କାନପୁର: ଗ୍ରିନ୍ ପାର୍କରେ ଭାରତ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ୍ ମ୍ୟାଚ୍ ରୋମାଞ୍ଚକ ଭାବେ ଅମୀମାଂସିତ ରହିଛି। ଭାରତ କିନ୍ତୁ ମାତ୍ର ଗୋଟିଏ ୱିକେଟ୍ ପାଇଁ ବିଜୟରୁ ବଞ୍ଚିତ ହୋଇଛି। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ଭାରତର ବିଜୟ ବାଟରେ ବଡ଼ ଅନ୍ତରାୟ ସାଜିଲେ ଦୁଇ ଭାରତୀୟ ବଂଶୋଦ୍ଭବ କିୱି କ୍ରିକେଟର୍ ଏଜାଜ ପଟେଲ୍ ଓ ରାଚିନ୍ ରବୀନ୍ଦ୍ର। ଅନ୍ତିମ ୱିକେଟ୍ ପାଇଁ ଏହି ଯୋଡ଼ି ଭାରତୀୟ ବୋଲରଙ୍କ ୫୨ ବଲ୍ (୮.୨ ଓଭର)କୁ ସଫଳତାର ସହ ମୁକାବିଲା କରି ନିଜ ଦଳକୁ ନିଶ୍ଚିତ ପରାଜୟ ମୁହଁରୁ ବଞ୍ଚାଇଥିଲେ।
ପଞ୍ଚମ ଦିନର କଷ୍ଟକର ପିଚ୍ରେ ତିନି ଭାରତୀୟ ସ୍ପିନର୍ ରବୀନ୍ଦ୍ର ଜାଦେଜା (୨୮-୧୦-୪୦-୪), ରବିଚନ୍ଦ୍ରନ ଅଶ୍ବିନ (୩୦-୧୨-୩୫-୩) ଏବଂ ଅକ୍ଷର ପଟେଲ୍ (୨୧-୧୨-୨୩-୧) ମିଳିତ ଭାବେ ୮ ୱିକେଟ୍ ଦଖଲ କରିଥିଲେ ମଧ୍ୟ ବିଜୟ ମୁଣ୍ଡି ମାରିପାରିନଥିଲେ। ମୁମ୍ବାଇ ଜନ୍ମିତ ଏଜାଜ ପଟେଲ୍ ୨୩ ବଲରୁ ୨* ଏବଂ କର୍ଣ୍ଣାଟକ ଜନ୍ମିତ ରବୀନ୍ଦ୍ର ୯୧ ବଲରୁ ୧୮* ରନ୍ କରିବା ସହ ଅପରାଜିତ ରହି ଦଳ ପାଇଁ ଛୋଡ଼ ଅବଦାନ ବଳରେ ବଡ଼ ସଫଳତା ଆଣି ଦେଇଥିଲେ। ଏଥି ସହିତ ୨ ମ୍ୟାଚ୍ ଶୃଙ୍ଖଳାରେ ଉଭୟ ଦେଶ ୦-୦ରେ ସ୍ଥିତିରେ ରହିଲେ। ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡୟମ୍ରେ ଦ୍ବିତୀୟ ତଥା ଶେଷ ଟେଷ୍ଟ୍ ଡିସେମ୍ବର ୩ ତାରିଖରୁ ଖେଳାଯିବ।
ସୋମବାର ସକାଳେ ମ୍ୟାଚ୍ ଆରମ୍ଭ ବେଳକୁ ନ୍ୟୁଜିଲାଣ୍ଡ୍ ୪/୧ରୁ ଖେଳିଥିଲା। ଲକ୍ଷ୍ୟ ଥିଲା ୨୮୪ ରନ୍। ଭ୍ରମଣକାରୀ ଦଳକୁ କିନ୍ତୁ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ୱିକେଟ୍ ହରାଇବାକୁ ଦେଇନଥିଲେ ଟମ୍ ଲଥାମ (୧୪୬ ବଲ୍) ଏବଂ ନାଇଟ୍ୱାଚମ୍ୟାନ୍ ୱିଲିୟମ୍ ସୋମରଭିଲ୍ (୧୧୦ ବଲ୍)। ଭୋଜନ ପରେ ଓ ଚା’ପାନ ବିରତି ପୂର୍ବରୁ ଭାରତୀୟ ବୋଲର ୩ ୱିକେଟ୍ ଅକ୍ତିଆର କରି ପ୍ରତ୍ୟାବର୍ତନ କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ୍ ପାଇଁ କେନ୍ ୱିଲିମୟସନ୍ (୧୧୨ ବଲ୍), ଟମ୍ ବ୍ଲଣ୍ଡେଲ୍ (୩୮ ବଲ୍) ଏବଂ ରାଚିନ୍ ରବୀନ୍ଦ୍ର (୯୧ ବଲ୍)ଙ୍କ ଧୈର୍ଯ୍ୟ ନିର୍ଣ୍ଣାୟକ ହୋଇଥିଲା।
ଶେଷ ଅଧଘଣ୍ଟା ଖେଳରେ ଅମ୍ପାୟାର ଓ ଖେଳାଳି ଉତ୍କଣ୍ଠାପୂର୍ଣ୍ଣ ସମୟ ଦେଇ ଗତି କରିଥିଲେ। ଅମ୍ପାୟାରଙ୍କୁ ପ୍ରାୟ ପ୍ରତି ଓଭର ଶେଷରେ ଆଲୋକର ମାତ୍ରାକୁ ପରଖିବାକୁ ପଡୁଥିଲା। ଶେଷରେ ବିଶ୍ବ ଟେଷ୍ଟ୍ ବିଜେତା ଦଳ ନ୍ୟୁଜିଲାଣ୍ଡ୍ ଅଳ୍ପକେ ବର୍ତ୍ତିଯାଇଥିଲା। ଉତ୍ଥାନ ପତନ ଦେଇ ଗତି କରିଥିବା ଏହି ଟେଷ୍ଟ୍ରେ ଭାରତ ପ୍ରଧାନ୍ୟ ବିସ୍ତାର କରିଥିଲେ ମଧ୍ୟ ବିଜୟ ଛଡ଼ାଇ ପାରିନଥିଲା। ୨୮୪ ରନ୍କୁ ପିଛା କରିଥିବା ନ୍ୟୁଜିଲାଣ୍ଡ୍ ୧୬୫/୯ (୯୮ ଓଭର)ରେ ସୀମିତ ରହିଥିଲା।
୫ ଦିନ ଧରି ଗ୍ରିନ୍ ପାର୍କ ପିଚ୍ ତିଷ୍ଠିବା ସହ ନିରପେକ୍ଷ କ୍ରିକେଟ୍ ପ୍ରଶଂସକଙ୍କୁ ରୋମାଞ୍ଚକ ଟେଷ୍ଟ୍ ମ୍ୟାଚ୍ ଉପହାର ଦେଇଥିଲା। ଏଥି ପାଇଁ ଗ୍ରାଉଣ୍ଡ୍ କର୍ମଚାରୀଙ୍କୁ ନବନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ୩୫,୦୦୦ ଟଙ୍କା ପୁରସ୍କାର ଦେଇଥିଲେ। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି କିନ୍ତୁ ପାଇଥିଲେ ପ୍ରଥମ ପଦାର୍ପଣକାରୀ ଶ୍ରେୟସ ଆୟର୍ (୧୦୫, ୬୫)। ନ୍ୟୁଜିଲାଣ୍ଡ୍ ପାଇଁ ପ୍ରଥମ ପଦାର୍ପଣ କରିଥିବା ରଚିନ ରବୀନ୍ଦ୍ର ତାଙ୍କ ଦ୍ବିତୀୟ ପାଳି ସାହସିକତା (୯୧ ବଲ୍ରୁ ୧୮* ରନ୍) ପାଇଁ ରାତାରାତି ନାୟକ ସାଜିଥିଲେ।
ଭଜିଙ୍କୁ ଟପିଲେ ଅଶ୍ବିନ
ଅଗ୍ରଣୀ ଟେଷ୍ଟ୍ ୱିକେଟ୍ ଦଖଲ ତାଲିକାରେ ରବିଚନ୍ଦ୍ରନ ଆଶ୍ବିନ୍ ସୋମବାର ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂହ (୪୧୭)ଙ୍କୁ ଅତିକ୍ରମ କରିଯାଇଛନ୍ତି। ନ୍ୟୁଜିଲାଣ୍ଡ୍ର ଦ୍ବିତୀୟ ପାଳିରେ ୩ ୱିକେଟ୍ ନେଇ ଅଶ୍ବିନ ନିଜ ମୋଟ ସଂଖ୍ୟାକୁ ୪୧୯ରେ ପହଞ୍ଚାଇଛନ୍ତି। ଭାରତୀୟ ଟେଷ୍ଟ୍ ୱିକେଟ୍ ତାଲିକାରେ ଅନିଲ କୁମ୍ବଲେ (୬୧୯), କପିଳ ଦେବ (୪୩୪)ଙ୍କ ପରେ ଅଶ୍ବିନ୍ ଏବେ ତୃତୀୟକୁ ଉଠିଛନ୍ତି। ଅଗ୍ରଣୀ ତାଲିକାରେ ମୋଟ ଉପରେ ଅଶ୍ବିନ୍ ୧୩ତମ ସ୍ଥାନରେ ରହିଛନ୍ତି। ମୁଥୟା ମୁରଲୀଧରନ (୮୦୦) ଶୀର୍ଷରେ ରହିଛନ୍ତି। କିନ୍ତୁ ସକ୍ରିୟ ବୋଲରଙ୍କ ମଧ୍ୟରେ ଷ୍ଟୁଆର୍ଟ ବ୍ରଡ୍ (୫୨୪) ଓ ଜେମ୍ସ ଆଣ୍ଡରସନ୍ (୬୩୨) ଙ୍କ ପରେ ଅଶ୍ବିନ୍ (୪୧୯) ତୃତୀୟରେ ରହିଛନ୍ତି।
ଅଶ୍ବିନଙ୍କୁ କପିଳଙ୍କ ସହ ତୁଳନା କଲେ କାର୍ତ୍ତିକ
ଭାରତୀୟ କ୍ରିକେଟର୍ ଦୀନେଶ କାର୍ତ୍ତିକ ସୋମବାର ଏକ ବଡ଼ ତୁଳନା କରିଛନ୍ତି। ବିଶ୍ବକପ୍ ବିଜେତା କିଂବଦନ୍ତି ଅଲରାଉଣ୍ଡର୍ କପିଳ ଦେବଙ୍କ ସହ ସଫଳ ଅଫ୍ସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନଙ୍କୁ ସମାନ ଦୃଷ୍ଟିରେ ଦେଖାଯିବା ଉଚିତ୍ ବୋଲି ମତ ଦେଇଛନ୍ତି। କାନପୁର ଟେଷ୍ଟ୍ ପରେ ହରଭଜନ ସିଂହ (୪୧୭)ଙ୍କୁ ଅତିକ୍ରମ କରି ଅଶ୍ବିନ୍ (୪୧୯) ଦେଶର ତୃତୀୟ ଅଗ୍ରଣୀ ବୋଲର ହେବା ପରେ କାର୍ତ୍ତିକ ଏଭଳି କଥା କହିଛନ୍ତି।
‘ଏ ସମ୍ପର୍କରେ ବିଚାର କରିବାକୁ ମୁଁ ନିଶ୍ଚିତ ଠିକଣା ସ୍ଥାନରେ ନାହିଁ, କିନ୍ତୁ ଭାରତୀୟ କ୍ରିକେଟ୍ କଥା ଉଠିଲେ ଉଭୟଙ୍କୁ ସମତୁଲ୍ୟ କରାଯିବା ଉଚିତ୍। କାରଣ ଉଭୟ ମ୍ୟାଚ୍ ବିଜେତା, ଅନେକ ଉଦାହରଣ ଛାଡ଼ିଯାଇଛନ୍ତି ଏବଂ ଏ ମାଟିର ଶ୍ରେଷ୍ଠ ଦୁଇ ଅଲରାଉଣ୍ଡର୍। ୮୦ ଟେଷ୍ଟ୍ ଭିତରେ ୪୧୯ ୱିକେଟ୍ ନେବା ଅବିଶ୍ବସନୀୟ, ତାଛଡ଼ା ୩୦-୩୫ ଖେଳିଥିବା ବ୍ୟାଟର୍ ବି ୫ ଶତକ ହାସଲ କରିନଥିବେ ଯାହା ଅଶ୍ବିନ୍ କରିଛନ୍ତି ବୋଲି କାର୍ତ୍ତିକ ଯୁକ୍ତି ବାଢ଼ିଥିଲେ।