ୱେଷ୍ଟଇଣ୍ଡିଜ୍‌ ଟେଷ୍ଟ୍‌ ଦଳରେ କର୍ନୱାଲ, ଗେଲ୍‌ଙ୍କୁ ମିଳିବନି ଟେଷ୍ଟ୍‌ ବିଦାୟୀ

ଜାମାଇକା: ଭାରତ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ପାଇଁ ଶନିବାର ୱେଷ୍ଟଇଣ୍ଡିଜ୍‌ ଦଳ ଘୋଷିତ ହୋଇଛି। ଆଇସିସି ଦ୍ବାରା ନୂଆ କରି ପ୍ରଣୟନ ବିଶ୍ବ ଟେଷ୍ଟ୍‌ ପ୍ରତିଯୋଗିତାର ଅଂଶବିଶେଷ ଏହି ଶୃଙ୍ଖଳା ଚଳିତ ମାସ ୨୨ ତାରିଖରୁ ଆଣ୍ଟିଗୁଆର ନର୍ଥ ସାଉଣ୍ଡ୍‌ଠାରେ ଆରମ୍ଭ ହେବ। ଘୋଷିତ ୧୩ ଜଣିଆ ଘରୋଇ ଦଳରେ ନୂଆ ମୁହଁ ଭାବେ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ତଥା ସ୍ପିନ୍‌ ଅଲ୍‌ରାଉଣ୍ଡର ରାକିମ୍‌ କର୍ନୱାଲଙ୍କୁ ଟେଷ୍ଟ୍‌ ପଦାର୍ପଣ ସୁଯୋଗ ମିଳିଥିଲା ବେଳେ ବରିଷ୍ଠ ତାରକା କ୍ରିସ୍‌ ଗେଲ୍‌ଙ୍କୁ ଅଣଦେଖା କରାଯାଇଛି। ୨୦୧୪ରେ ନିଜର ଶେଷ ଟେଷ୍ଟ୍‌ ଖେଳିଥିବା ଗେଲ୍‌ ଅବସର ପୂର୍ବରୁ ଅତି କମ୍‌ରେ ଗୋଟିଏ ଟେ‌ଷ୍ଟ ଖେଳିବାକୁ ବିଶ୍ବକପ୍‌ ପୂର୍ବରୁ ଇଛା ବ୍ୟକ୍ତ କରିଥିଲେ ମଧ୍ୟ ଦଳରେ ତାଙ୍କୁ ସ୍ଥାନ ମିଳିନାହିଁ। ଦିନିକିଆ କିମ୍ବା ଟ୍ବେଣ୍ଟି-୨୦ ଖେଳିବା କଥା କହିଥିଲେ ଭିନ୍ନ ହୋଇଥାନ୍ତା, ହେଲେ ଟେଷ୍ଟ୍‌ ଖେଳିବା ଗେଲ୍‌ଙ୍କ ପାଇଁ ଆଦୌ ସମ୍ଭବ ନୁହେଁ ବୋଲି ପୂର୍ବତନ ଦ୍ରୁତ ବୋଲର କର୍ଟଲି ଆମ୍ବ୍ରୋଜ୍‌ କହିଥିଲେ। ୫ ବର୍ଷ ଧରି ଟେଷ୍ଟ୍‌ ଖେଳିନଥିବା ଗେଲ୍‌ଙ୍କୁ ଏହି ଫର୍ମାଟ୍‌ରେ ସୁଯୋଗ ଦେବା ଅର୍ଥ ଦଳକୁ ଦୁର୍ବଳ କରିବା ସଙ୍ଗେ ସମାନ ବୋଲି ସେ କହିଛନ୍ତି। ସେହିପରି ଆହତରୁ ମୁକୁଳିନଥିବା ଯୁବ ତ୍ରୁତ ବୋଲର ଅଲ୍‌ଜାରି ଯୋଶେଫ୍‌ ଦଳରୁ ବାଦ୍‌ ପଡ଼ିଛନ୍ତି। ଯୋଶେଫ୍‌ ଗତ ଟେଷ୍ଟ ଶୃଙ୍ଖଳାରେ ଇଂଲଣ୍ଡକୁ ପରାସ୍ତ କରିଥିବା ୱେଷ୍ଟଇଣ୍ଡିଜ୍‌ ଦଳର ସଦସ୍ୟ ଥିଲେ। ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ଜିତିଥିବା ଦଳର ଅନ୍ୟତମ ସଦସ୍ୟ ବାମହାତୀ ସ୍ପିନର ଜୋମେଲ ୱାରିକାନ୍‌ ମଧ୍ୟ ଭାରତ ବିପକ୍ଷ ଶୃଙ୍ଖଳା ପାଇଁ ଦଳ ବାହାରେ ରହିଛନ୍ତି।

ଅନ୍ୟପକ୍ଷରେ ୨୬ ବର୍ଷ ବୟସ୍କ କର୍ନୱାଲ ୨୦୧୪ରେ ପ୍ରଥମ ଶ୍ରେଣୀ ପଦାର୍ପଣ କରିବା ପରେ ଲିୱାର୍ଡସ ଆଇଲାଣ୍ଡ୍‌ ଦଳର ନିୟମିତ ସଦସ୍ୟ ରହି ଆସିଛନ୍ତି। ଗତବର୍ଷ ମଧ୍ୟ ସେ ଲିୱାର୍ଡସ ଆଇଲାଣ୍ଡ୍‌ ଦଳର ନେତୃତ୍ବ ନେଇଥିଲେ। ୫୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି କର୍ନୱାଲ ୨୬୦ ୱିକେଟ୍‌ ଦଖଲ କରିଛନ୍ତି। ସେ ମଧ୍ୟ ଘରୋଇ ୪ ଦିନିଆ ପ୍ରତିଯୋଗିତାରେ ସର୍ବାଧିକ ୱିକେଟ୍‌ ଦଖଲକାରୀ ବୋଲର ରହିଛନ୍ତି। ବ୍ୟାଟିଂରେ କର୍ନୱାଲ ୨୨୨୪ ରନ୍‌ ନିଜ ନାମରେ ରଖିଛନ୍ତି। ନିକଟରେ ସେ ଭାରତ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୨ଟି ଅର୍ଧଶତକ ଜମାଇଛନ୍ତି। ଲଗାତାର ସ୍ଥିର ପ୍ରଦର୍ଶନ ଏବଂ ଜଣେ ମ୍ୟାଚ୍‌ ବିଜୟୀ ଭାବେ ପରିଗଣିତ କର୍ନୱାଲ ଟେଷ୍ଟ୍‌ ଦଳରେ ମଧ୍ୟ ପ୍ରଭାବୀ ସାବ୍ୟସ୍ତ ହେବେ ବୋଲି ଆଶା ରଖିଥିବା କହିଛନ୍ତି କ୍ରିକେଟ୍‌ ୱେଷ୍ଟଇଣ୍ଡିଜ୍‌ର ଅନ୍ତରୀଣ ମନୋନୟନ ସମିତି ମୁଖ୍ୟ ରବର୍ଟ ହେନ୍‌ସ। କର୍ନୱାଲଙ୍କ ସାମିଲ ମଧ୍ୟ ଭାରତ ବିପକ୍ଷ ଶୃଙ୍ଖଳାରେ ଦଳର ବ୍ୟାଟିଂ ଗଭୀରତା ବଢ଼ାଇବ। କର୍ନୱାଲ ମଧ୍ୟ ୱେଷ୍ଟଇଣ୍ଡିଜ୍‌-ଏ ଦଳର ସଦସ୍ୟ ରହି ଆସିଛନ୍ତି। ନିମ୍ନକ୍ରମରେ ବ୍ୟାଟିଂ କରି ସେ ୨ ଅର୍ଧଶତକ ଜମାଇଥିଲା ବେଳେ ୪ ୱିକେଟ୍‌ ଅକ୍ତିଆର କରିଛନ୍ତି। ୬ ଫୁଟ ଉଚ୍ଚତା ଥିବାରୁ କର୍ନୱାଲ ସହଜରେ ବଲ୍‌କୁ ବାଉଣ୍ଡାରୀ ପାର କରାଇବାର ସାମର୍ଥ୍ୟ ରଖିଛନ୍ତି।

୧୩ ଜଣିଆ ଦଳ: ଜାସନ୍‌ ହୋଲ୍‌ଡର (ଅଧିନାୟକ), କ୍ରେଗ୍‌ ବ୍ରାଥ୍‌ୱେଟ୍‌, ଡାରେନ୍‌ ବ୍ରାଭୋ, ସମର ବ୍ରୁକ୍‌ସ, ଜନ୍‌ କାମ୍ପବେଲ୍‌, ରସ୍ତନ ଚେଜ୍‌, ରାକିମ୍‌ କର୍ନୱାଲ, ସେନ୍‌ ଡୌରିକ୍‌ (ୱିକେଟ୍‌ରକ୍ଷକ), ସାନନ୍ ଗାବ୍ରିଏଲ୍‌, ସିମ୍ରନ୍‌ ହେଟ୍‌ମିର୍‌, ସାଇ ହୋପ୍‌, କିମୋ ପଲ୍‌, କେମାର ରୋଚ୍‌।

ସମ୍ବନ୍ଧିତ ଖବର