କପିଳଙ୍କ କଟାକ୍ଷ: ‘ଶତକକୁ ଦ୍ବିଶତକ କିମ୍ବା ତ୍ରିଶତକରେ ପରିଣତର କଳା ସଚିନଙ୍କୁ ଜଣା ନଥିଲା’

ନୂଆଦିଲ୍ଲୀ: ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବହୁ କୀର୍ତ୍ତିମାନ କରିଛନ୍ତି। ହେଲେ ଟେଷ୍ଟ୍‌ରେ ଦ୍ବିଶତକ ହାସଲ କରିବାରେ ଶୀର୍ଷ ୧୦ ମଧ୍ୟରେ ନାହାନ୍ତି। ସର୍ବାଧିକ ୨୦୦ ଟେଷ୍ଟ୍‌ ଖେଳିଥିଲେ ମଧ୍ୟ ସଚିନ ମାତ୍ର ୬ ଦ୍ବିଶତକ ସହ ତାଲିକାର ଦ୍ବାଦଶ ସ୍ଥାନରେ ରହିଛନ୍ତି। ତାଙ୍କ ଆଗରେ ମାର୍ଭନ ଆଟାପାଟୁ, ବୀରେନ୍ଦ୍ର ସେହବାଗ, ଜାଭେଦ ମିଆଁଦାଦ, ୟୁନିସ ଖାନ୍‌ ଓ ରିକି ପଣ୍ଟିଂ ରହିଛନ୍ତି। ଅଷ୍ଟ୍ରେଲୀୟ କିଂବଦନ୍ତି ଡନ୍‌ ବ୍ରାଡ୍‌ମ୍ୟାନ୍‌ (୧୨) ଏହି ତାଲିକାର ଶୀର୍ଷରେ ଅଛନ୍ତି। ଏହାକୁ ନଜରରେ ରଖି ୧୯୮୩ ବିଶ୍ବକପ୍ ବିଜେତା ଅଧିନାୟକ କପିଳ ଦେବ ପୂର୍ବତନ କ୍ରିକେଟର୍‌ ତଥା ସଂପ୍ରତି ଭାରତୀୟ ମହିଳା ଦଳର ପ୍ରଶିକ୍ଷକ ଥିବା ଡବ୍ଲୁଭି ରମଣଙ୍କ ସହ କଥା ହେଲା ବେଳେ କହିଛନ୍ତି ଯେ ଶତକକୁ ଦ୍ବିଶତକ କିମ୍ବା ତ୍ରିଶତକରେ ପରିଣତ କରିବାର କଳା ସଚିନଙ୍କୁ ଜଣା ନଥିଲା।

ସଚିନ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ। ଯାହା ମୁଁ ଅନ୍ୟ କାହା ପାଖରେ ଦେଖିନି। କିଭଳି ଶତକ କରାଯିବ ତାଙ୍କୁ ତାହା ଭଲ ଭାବରେ ଜଣା ଥିଲା। କିନ୍ତୁ ଶତକକୁ କିଭଳି ଦ୍ବିଶତକ କିମ୍ବା ତ୍ରିଶତକରେ ରୂପାନ୍ତର କରାଯିବ ତାହା ଜଣା ନଥିଲା ବୋଲି କପିଳ କହିଛନ୍ତି। ସଚିନଙ୍କ ପାଖରେ ଯେଭଳି ପ୍ରତିଭା ଥିଲା ସେ ୫ରୁ ଅଧିକ ତ୍ରିଶତକ ଓ ୧୦ରୁ ଅଧିକ ଦ୍ବିଶତକ ହାସଲ କରି ପାରିଥା’ନ୍ତେ। କାରଣ ଦ୍ରୁତ ବୋଲର ହୁଅନ୍ତୁ କି ସ୍ପିନର ସେ ପ୍ରତି ଓଭରରେ ବାଉଣ୍ଡରି ମାରୁଥିଲେ। ହେଲେ ତାଙ୍କ ଖାତାରେ ତ୍ରିଶତକ ସଂଖ୍ୟା ଖାଲି ପଡ଼ିଥିଲା ବେଳେ ୬ ଦ୍ବିଶତକ ରହିଛି ବୋଲି ବୋଲି କପିଳ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ସଚିନ ଟେଷ୍ଟ୍‌ରେ ସର୍ବାଧିକ ୫୧ ଶତକ ହାସଲ କରିଥିଲା ବେଳେ ଦ୍ବିଶତକ ହାସଲ କରିବାକୁ ତାଙ୍କୁ ୧୦ ବର୍ଷ ଲାଗି ଯାଇଥିଲା। ୧୯୯୯ରେ ନ୍ୟୁଜିଲାଣ୍ଡ ବିପକ୍ଷ ହାଇଦ୍ରାବାଦ ଟେଷ୍ଟ୍‌ରେ ସେ ପ୍ରଥମ ଦ୍ବିଶତକ ହାସଲ କରିଥିଲେ। ନିଜ ୫୧ ଶତକ ମଧ୍ୟରେ ୨୦ଟିରେ ସେ ୧୫୦ରୁ ରନ୍‌ ଅଧିକ କରିଛନ୍ତି। ସଚିନ (୨୦୧୦ ମସିହା, ଦକ୍ଷିଣ ଆଫ୍ରିକା ବିପକ୍ଷ) ଅବଶ୍ୟ ପ୍ରଥମ ଦିନିକିଆ ବ୍ୟାଟ୍ସମ୍ୟାନ୍‌ ଭାବେ ଦ୍ବିଶତକ ହାସଲ କରିଥିଲେ। ସଚିନ ମୁମ୍ବାଇର ତେଣୁ ତାଙ୍କ ମାନିସିକତା ହେଉଛି ‘ଶତକ ମାରିବା ପରେ ପୁଣି ଶୂନରୁ ଆରମ୍ଭ କରିବା’। ହେଲେ ମୁଁ ଏଥିସହ ଏକମତ ନୁହେଁ। ବରଂ ଏହା ପରେ ଜଣେ ଅଧିକ ଆକ୍ରମଣାତ୍ମକ ଖେଳ ଖେଳିବା ଉଚିତ। ସଚିନଙ୍କ ପ୍ରତିଭା ଅତୁଳନୀୟ ହୋଇଥିବାରୁ ତାଙ୍କୁ ସବୁ ବୋଲର ଭୟ କରିବା ଦରକାର। ଶତକ ଅର୍ଜନ ପରେ କିନ୍ତୁ ସେ କେବଳ ସିଙ୍ଗଲ ନେବା ଉପରେ ଧ୍ୟାନ ଦେଉଥିଲେ। ବିସ୍ଫୋରକ ଖେଳ ଖେଳୁ ନଥିଲେ ବୋଲି କପିଳ କହିଛନ୍ତି।

ଏବର ଅଧିନାୟକ ବିରାଟ କୋହଲି (୭) ଟେଷ୍ଟ୍‌ ଦ୍ବିଶତକ ହାସଲକାରୀ ଭାରତୀୟଙ୍କ ମଧ୍ୟରେ ଆଗରେ ରହିଛନ୍ତି। ଭାରତର ଦୁଇ ଜଣ ବୀରେନ୍ଦ୍ର ସେହବାଗ (୨) ଓ କରୁଣ ନାୟର (ଗୋଟିଏ) ତ୍ରିଶତକ ହାସଲ କରିଛନ୍ତି। ସଚିନ ୨୦୧୩ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ। ସେ ୨୦୦ ଟେଷ୍ଟ୍‌ ଖେଳି ୫୪.୦୪ ହାରରେ ୧୫,୯୨୧ ରନ୍‌ ଏବଂ ୪୬୩ ଦିନିକିଆରେ ୪୪.୮୩ ହାରରେ ୧୮,୪୨୬ ରନ୍‌ କରିଛନ୍ତି।

ସମ୍ବନ୍ଧିତ ଖବର