ଗୁମର ଖୋଲିଲେ ଗାଏକ୍ବାଡ୍ : ବିଶ୍ବ କୀର୍ତ୍ତିମାନ ପରେ କପିଳଙ୍କୁ ବିଦାୟ କଥା କହିଥିଲେ ଚୟନକର୍ତ୍ତା

ନୂଆଦିଲ୍ଲୀ : ଭାରତର ପୂର୍ବତନ ଅଧିନାୟକ କପିଳ ଦେବ ହେଉଛନ୍ତି ବିଶ୍ବ କ୍ରିକେଟ୍‌ର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଅଲ୍‌ରାଉଣ୍ଡର। ଭାରତୀୟ କ୍ରିକେଟ୍‌ର ଏହି କିଂବଦନ୍ତି ପୁରୁଷଙ୍କ ନେତୃତ୍ବ ଓ ମାର୍ଗଦର୍ଶନରେ ଟିମ୍ ଇଣ୍ଡିଆ ୧୯୮୩ ମସିହାରେ ପ୍ରଥମ ଥର ପାଇଁ ଏକଦିବସୀୟ ବିଶ୍ବକପ୍ ଜିତିବାର ଗୌରବ ଅର୍ଜନ କରିଥିଲା। ୧୯୯୪ ମସିହାରେ ଅହମ୍ମଦାବାଦଠାରେ ଶ୍ରୀଲଙ୍କାର ହାସନ ତିଲକରତ୍ନେଙ୍କୁ ଆଉଟ୍ କରି କପିଳ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ରିଚାର୍ଡ ହାଡ୍‌ଲିଙ୍କୁ ଟପି ଟେଷ୍ଟ୍ କ୍ରିକେଟ୍‌ର ସର୍ବାଧିକ ୱିକେଟ୍ (୪୩୨) ଦଖଲକାରୀ ହୋଇଥିଲେ (ସଂପ୍ରତି ଏହି କୀର୍ତ୍ତିମାନ ଶ୍ରୀଲଙ୍କା ସ୍ପିନର ମୁଥୟା ମୁରଲୀଧରନଙ୍କ ନାଁରେ ରହିଛି)। ବିଶ୍ବ କୀର୍ତ୍ତିମାନ କରିବାର କିଛି ମାସ ପୂର୍ବରୁ କିନ୍ତୁ କପିଳ ଆଦୌ ଭଲ ଫର୍ମରେ ନଥିଲେ। ସେଥିପାଇଁ ଚୟନକର୍ତ୍ତା ସମ୍ଭବତଃ ସେ ହାଡ୍‌ଲିଙ୍କ କୀର୍ତ୍ତିମାନ ଭାଙ୍ଗିବାକୁ ଯେମିତି ଅପେକ୍ଷା କରି ରହିଥିଲେ। ବିଶ୍ବ କୀର୍ତ୍ତିମାନ ପରେ ପରେ ହିଁ ଚୟନକର୍ତ୍ତା ଏଥିନେଇ ତାଙ୍କ ସହ ଖୋଲା ଆଲୋଚନା କରିଥିଲେ ଏବଂ ଦଳ ଉପରେ ବୋଝ ପାଲଟିବା ପୂର୍ବରୁ କପିଳ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଆତ୍ମସମ୍ମାନର ସହ ଅବସର ନେଇଯାଇଥିଲେ। କପିଳ ଦେବଙ୍କୁ ଅବସର ନେବାର ପରୋକ୍ଷ ସଙ୍କେତ ଅତ୍ୟନ୍ତ କଷ୍ଟକର ଥିଲା। ତେବେ ଭାରତୀୟ କ୍ରିକେଟ୍‌ର ହିତ ଦୃଷ୍ଟିରୁ ଚୟନକର୍ତ୍ତାଙ୍କୁ କପିଳଙ୍କ ଭଳି ଜଣେ ମହାନ ଖେଳାଳିଙ୍କ ସହ ମଧ୍ୟ ସ୍ପଷ୍ଟ ଭାବେ ଅବସର ଆଲୋଚନା କରିବାକୁ ପଡ଼ିଥିଲା। ଏହି କଥା ମନେ ପକାଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ତତ୍‌କା‌ଳୀନ ଚୟନକର୍ତ୍ତା ତଥା ପୂର୍ବତନ ପ୍ରଶିକ୍ଷକ ଅଂଶୁମାନ ଗାଏକ୍ବାଡ୍।

ଏକ ଅନଲାଇନ୍ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଅହମ୍ମଦାବାଦଠାରେ ହାଡ୍‌ଲିଙ୍କ କୀର୍ତ୍ତିମାନ ଭାଙ୍ଗିବା ପରେ କପିଳଙ୍କୁ ଆମେ କିଛି ଦିନ ଦଳରେ ରଖିଥିଲୁ। କିଛି ଦିନ ଅପେକ୍ଷା ବି କରିଥିଲୁ। ତା ପରେ ଭିସି (ଗୁଣ୍ଡାପ୍ପା ବିଶ୍ବନାଥ) ଓ ମୁଁ ତାଙ୍କ ପାଖକୁ ଯାଇ କଥା ହୋଇଥିଲୁ। ବିଶ୍ବ କୀର୍ତ୍ତିମାନ ପାଇଁ ଅଭିନନ୍ଦନ ଜଣାଇଥିଲୁ। ହେଲେ ସିଧା ସିଧା ପଚାରିଥିଲୁ ‘ଆଗକୁ କ’ଣ କରିବାକୁ ଭାବିଛ’। ଉଭୟ ପକ୍ଷ ଯେମିତି ଲଜ୍ଜିତ ନହୁଅନ୍ତି, ‌ସେଥିପାଇଁ ଆମେ ଏଭଳି କରିଥିଲୁ। କପିଳଙ୍କୁ ଏଭଳି କହିବା ଆମକୁ ଭଲ ଲାଗିନଥିଲା। ହେଲେ ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ ପାଇଁ କେବେ କେବେ ଚୟନକର୍ତ୍ତା ଏଭଳି କଠୋର ନିଷ୍ପତ୍ତି ନେବା ଉଚିତ। କପିଳ କିନ୍ତୁ ଗାଏକ୍ବାଡ୍ ଓ ବିଶ୍ବନାଥଙ୍କ ଠାରକୁ ଭଲ ଭାବରେ ବୁଝିଯାଇଥିଲେ। ଏହା ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହାମିଲଟନଠାରେ ଆଉ ମାତ୍ର ଗୋଟିଏ ମ୍ୟାଚ୍ ଖେଳି ୪୩୪ ୱିକେଟ୍ ସହ ଟେଷ୍ଟ୍ କ୍ରିକେଟ୍‌କୁ ସେ ଅଲବିଦା କହିଥିଲେ। ସେହିବର୍ଷ ଶେଷ ଭାଗରେ ଅର୍ଥାତ୍ ୧୯୯୪ ମସିହା ଅକ୍ଟୋବର ମାସରେ ଏକଦିବସୀୟ କ୍ରିକେଟ୍ ଖେଳିବା ମଧ୍ୟ ଛାଡ଼ି ଦେଇଥିଲେ।

ଚୟନକର୍ତ୍ତାଙ୍କ ଭୂମିକା ବିଷୟରେ ବ୍ୟକ୍ତିଗତ ମତ ରଖିବାକୁ ଯାଇ ଗାଏକ୍ବାଡ୍ ଏହି ଅବସରରେ କହିଥିଲେ, ‘‘ଜଣେ ଖେଳାଳି ଓ ଚୟନକର୍ତ୍ତା ଭାବେ ଆପଣଙ୍କ ଅଭିଜ୍ଞତାର ଢେର ମହତ୍ବଥାଏ। ଦୂରଦୃଷ୍ଟିସଂପନ୍ନ ହେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆପଣ କେବଳ ଘରୋଇ ପ୍ରଦର୍ଶନ କିମ୍ବା ପରିସଂଖ୍ୟାନକୁ ବିଚାରକୁ ନେଇପାରିବେନି। ଜଣେ ଖେଳାଳି ଯେତେ ୱିକେଟ୍ ନେଇଥିଲେ ଅଥବା ଯେତେ ରନ୍ କରିଥିଲେ ମଧ୍ୟ ସେ ଅନ୍ତର୍ଜାତୀୟ ସ୍ତରରେ ସଫଳ ହୋଇପାରିବ କି ନାହିଁ, ତାହା ପରଖିବାର କଳା ଚୟନକର୍ତ୍ତାଙ୍କର ଥିବା ଜରୁରୀ। ମୋ ମତରେ ଏହି ସ୍ତରକୁ ଯାଇଥିବା ଖେଳାଳିମାନେ ହିଁ ସେଠାକାର ଚାପ ଓ ଆବଶ୍ୟକ ପ୍ରଦର୍ଶନକୁ ହୃଦୟଙ୍ଗମ କରିପାରିବେ’’। ଚୟନକର୍ତ୍ତା ଓ ପ୍ରଶିକ୍ଷକଙ୍କ ସର୍ବାଧିକ ବୟସ ସୀମା ଉପରେ ବିସିସିଆଇ ଲାଗୁ କରିଥିବା ଅଙ୍କୁଶ ଉପରେ ନିଜ ପ୍ରତିକ୍ରିୟା ପ୍ରକାଶ କରି ଗାଏକ୍ବାଡ୍ କହିଥିଲେ ଯେ କପିଳ ଦେବ ହୁଅନ୍ତୁ କି ଅନିଲ କୁମ୍ବଲେ, ସଚିନ ତେନ୍ଦୁଲକର ହୁଅନ୍ତୁ କି ଅନ୍ୟ କେହି ଆପଣ ସେହି ପଦରେ ଭଲ ପ୍ରଦର୍ଶନ କରିବା ଦରକାର। ଦଳ କିମ୍ବା ସଂସ୍ଥା ଉପରେ କେବେ ବି ବୋଝ ହୁଅନ୍ତୁ ନାହିଁ। ଯଦି ଆପଶ ସେଭଳି ହେଲେ, ତାହାଲେ ଆପଣଙ୍କର ସେହି ପଦ ବା ସ୍ଥାନରେ ରହିବାର କୌଣସି ଅଧିକାର ନାହିଁ।

ସମ୍ବନ୍ଧିତ ଖବର