ନୂଆଦିଲ୍ଲୀ: ଭାରତ ଶେଷ ଥର ପାଇଁ ୨୦୧୧ରେ ଟି-୨୦ ବିଶ୍ବକପ ଜିତିଥିଲା। ସେତେବେଳେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ଥିଲେ ମହେନ୍ଦ୍ର ସିଂହ ଧୋନି। ଏହା ପରଠାରୁ ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରିଥିଲେ ବି ବିଶ୍ବକପ ହାତେଇ ପାରିନାହିଁ। ଏବେ ଭାରତୀୟ ଟିମର ନଜରରେ ରହିଛି ଚଳିତ ବର୍ଷ ଅକ୍ଟୋବରରେ ହେବାକୁ ଥିବା ଏକଦିବସୀୟ ବିଶ୍ବକପ। ତେବେ ବର୍ତ୍ତମାନ ଭାରତୀୟ ଟିମର ଅଧିନାୟକ ଥିବା ରୋହିତ ଶର୍ମା ଓ କ୍ରିକେଟର ବିରାଟ କୋହଲି ଗତ କିଛି ବର୍ଷ ଧରି ଟିମର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇ ରହିଥିଲେ ବି ଦୁହେଁ ଭାରତକୁ ବିଶ୍ବକପ ଜିତାଇ ପାରିନାହାନ୍ତି।

Advertisment

ଏହାକୁ ନେଇ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ କପିଲ ଦେବ ନିଜର ପ୍ରତିକ୍ରିୟା ରଖିଛନ୍ତି। ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟକୁ ସେ କହିଛନ୍ତି ଯେ, ଯଦି ଆପଣ ଭାବୁଛନ୍ତି ବିରାଟ କୋହଲି, ରୋହିତ ଶର୍ମା ଏବଂ ୨-୩ଜଣ ଖେଳାଳି ଆମକୁ ବିଶ୍ୱକପ ଜିତାଇବେ, ତେବେ ତାହା କେବେ ହେବ ନାହିଁ। ଆପଣଙ୍କୁ ଜଣେ ବା ଦୁଇଜଣ ଖେଳାଳିଙ୍କ ଉପ‌ରେ ନୁହେଁ, ପୂରା ଦଳ ଉପରେ ବିଶ୍ୱାସ ରଖିବାକୁ ପଡ଼ିବ। ଆମର ଏପରି ଦଳ ଅଛି କି? ନିଶ୍ଚିତ ଭାବରେ ଅଛି। ଆମ ପାଖରେ ମ୍ୟାଚ୍ ବିଜେତା ଅଛନ୍ତି କି? ହଁ, ଅଛନ୍ତି। ଆମ ପାଖରେ ଏଭଳି ଖେଳାଳି ଅଛନ୍ତି ଯେଉଁମାନେ ବିଶ୍ୱକପ ଜିତାଇ ପାରିବେ। ଯଦି ଆପଣ ବିଶ୍ୱକପ୍ ଜିତିବାକୁ ଚାହୁଁଛନ୍ତି, ତେବେ କୋଚ୍, ଚୟନକର୍ତ୍ତା ଏବଂ ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟକୁ କିଛି କଠୋର ନିଷ୍ପତ୍ତି ନେବାକୁ ପଡ଼ିବ। ବ୍ୟକ୍ତିଗତ ଆଗ୍ରହକୁ ପଛରେ ରଖି ସମସ୍ତଙ୍କୁ ଦଳ ବିଷୟରେ ଚିନ୍ତା କରିବାକୁ ପଡ଼ିବ।