ଟିମ ଇଣ୍ଡିଆ କୋଚ ଚୟନ ପାଇଁ ଗଠନ ହେଲା କପିଳ ଦେବଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି, ଚୟନକର୍ତ୍ତା ବି ବଦଳିବେ

ମୁମ୍ବାଇ : ବିଶ୍ୱକପ ସେମିଫାଇନାଲରେ ଭାରତର ପରାଜୟ ପରେ ଟିମ ପରିଚାଳନାରେ ବ୍ୟାପକ ପରିବର୍ତ୍ତନ ହେବାର ସୂଚନା ମିଳିଛି । ଭାରତୀୟ ଦଳର ମୁଖ୍ୟ କୋଚ ଓ ଅନ୍ୟ ସହାୟକ କୋଚିଂ କର୍ମଚାରୀମାନଙ୍କ ପାଇଁ ଗତ କାଲି ବିସିସିଆଇ ଆବେଦନ ଆହ୍ଵାନ କରିବା ପରେ ଆଜି ଏହି ଚୟନ ପ୍ରକ୍ରିୟା ପାଇଁ ଏକ ୩ ଜଣିଆ କମିଟି ଗଠନ କରାଯାଇଛି ।
ଏହି କମିଟିରେ ପୂର୍ବତନ ଅଲରାଉଣ୍ଡର ତଥା ୧୯୮୩ର ବିଶ୍ୱକପ ବିଜୟୀ ଭାରତୀୟ ଦଳର ଅଧିନାୟକ କପିଳ ଦେବ, ପୂର୍ବତନ ଓପନର ଅଂଶୁମାନ ଗାଓକ୍ୱାର୍ଡ ଓ ପୂର୍ବତନ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଶାନ୍ତା ରଙ୍ଗାସ୍ୱାମୀ ସଦସ୍ୟ ରହିଛନ୍ତି । ଗତକାଲି ବିସିସିଆଇ ପକ୍ଷରୁ ଭାରତୀୟ ଟିମ ପାଇଁ ମୁଖ୍ୟ କୋଚ, ବୋଲିଂ କୋଚ, ବ୍ୟାଟିଂ କୋଚ, ଫିଲଡିଂ କୋଚ,ଫିଜିଓ ଓ ଷ୍ଟ୍ରେଙ୍ଗଥ ଏଣ୍ଡ କଣ୍ଡସନିଂ କୋଚ ଓ ମ୍ୟାନେଜରଙ୍କ ପାଇଁ ଦରଖାସ୍ତ ଆହ୍ଵାନ କରାଯାଇଛି ।


ଆସନ୍ତା ଜୁଲାଇ ୩୦ ସଂଧ୍ୟା ୫ ସୁଦ୍ଧା ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ । ବର୍ତ୍ତମାନର ସପୋର୍ଟିଂ ଷ୍ଟାଫ ମୁଖ୍ୟ କୋଚ ରବି ଶାସ୍ତ୍ରୀ, ବୋଲିଂ କୋଚ ଭାରତ ଅରୁଣ, ବ୍ୟାଟିଂ କୋଚ ସଂଜୟ ବାଙ୍ଗର, ଫିଲଡିଂ କୋଚ ଆର ଶ୍ରୀଧର ସିଧାସଳଖ ଏହି ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀଭାବେ ଅଂଶଗ୍ରହଣ କରିପାରିବେ । ଅନ୍ୟପକ୍ଷରେ କେବଳ କୋଚିଂ ଷ୍ଟାଫ ନୁହେଁ, ଚୟନକର୍ତ୍ତା କମିଟିକୁ ମଧ୍ୟ ବଦଳାଇବାକୁ ବିସିସିଆଇର ପ୍ରଶାସନିକ କମିଟି ନିଷ୍ପତ୍ତି ନେଇଛି ।

ସମ୍ବନ୍ଧିତ ଖବର