କପିଳଙ୍କ ଲକଡାଉନ୍ ଲୁକ୍

ଚଣ୍ଡିଗଡ: କରୋନା ଲକଡାଉନ୍ ବେଳେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା କିଂବଦନ୍ତି ଅଲରାଉଣ୍ଡର କପିଳ ଦେବଙ୍କୁ ନୁଆ ଲୁକ୍‌ରେ ଦେଖିବାକୁ ମିଳିଛି। ଲକଡାଉନ୍ ପାଇଁ ବାହାରକୁ ଯାଇ ଚୁଟି କାଟିବା ସମ୍ଭବ ହେଉ ନଥିବାରୁ କପିଳ ନିଜ ଘରେ ହିଁ ଲଣ୍ଡା ହୋଇଯାଇଛନ୍ତି। ତାଙ୍କର ଏହି ନୂଆ ଲୁକ୍‌ର ଝଲକ ପୂର୍ବତନ ଭାରତୀୟ କ୍ରିକେଟର ତଥା କପିଳଙ୍କ ପୁରୁଣା ସାଥୀ ଚେତନ ଶର୍ମା ନିଜ ଟ୍ବିଟର ପୃଷ୍ଠାରେ ଦେଇଛନ୍ତି। ଲଣ୍ଡା ମୁଣ୍ଡ ସହ କପିଳ ଏକ ବ୍ଲେଜର ପିନ୍ଧିଥିବାର ଫଟୋକୁ ଶର୍ମା ଟ୍ବିଟ୍ କରିଛନ୍ତି। ଯାହାକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରୁଛନ୍ତି। ଚେତନ ପ୍ରକାଶ କରିଥିବା‌ ଫଟୋ ତଳେ ଲେଖିଛନ୍ତି ଯେ ବଡ଼ଭାଇଙ୍କୁ ଭିନ୍ନ ଅବତାରରେ ଦେଖି ବହୁତ ଖୁସି ଲାଗୁଛି। ସେ ମଧ୍ୟ କପିଳଙ୍କ ଲୁକ୍‌କୁ ୱେଷ୍ଟଇଣ୍ଡିଜର କିଂବଦନ୍ତି କ୍ରିକେଟ୍‌ ତାରକା ଭିଭିଆନ୍ ରିଚାର୍ଡସଙ୍କ ସହ ତୁଳନା କରିଛନ୍ତି। କପିଳଙ୍କ ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ନିଜ ଲକଡାଉନ୍ ଲୁକ୍ ପ୍ରକାଶ କରିଥିଲେ। ସଚିନ ନିଜେ ଚୁଟି କାଟୁଥିବାର ଫଟୋ ବି ଛାଡ଼ିଥିଲେ। ଏହା ତଳେ ସେ ”ଲେଖିଥିଲେ ଯେ ସ୍କୋୟାର କଟ୍ ଠାରୁ ହେୟାର କଟ୍ ପର୍ଯ୍ୟନ୍ତ, ଭିନ୍ନ ଭିନ୍ନ କାମ କରିବାକୁ ମୁଁ ସବୁବେଳେ ଉପ‌ଭୋଗ କରେ। ମୋ ନୂଆ ଲୁକ୍‌କୁ ଦେଖନ୍ତୁ।”

ସମ୍ବନ୍ଧିତ ଖବର