କପିଳ ଓ ଧୋନିଙ୍କ ସ୍ତର ସମାନ, ଗାଙ୍ଗୁଲି କିନ୍ତୁ ସର୍ବଶ୍ରେଷ୍ଠ: ମନିନ୍ଦର

ଦଳର ଦ୍ରୁତତମ ଧାବକକୁ ହରାଉଥିବା ପର୍ଯ୍ୟନ୍ତ ଧୋନି ଖେଳିବେ

ମୁମ୍ବାଇ: ବହୁ ଦକ୍ଷ ତଥା ଚର୍ଚିତ କ୍ରିକେଟର ଭାରତୀୟ କ୍ରିକେଟ୍ ଦଳର ନେତୃତ୍ବ ନେଇସାରିଛନ୍ତି। ସମସ୍ତେ ଭାରତକୁ ଶୀର୍ଷରେ ପହଞ୍ଚାଇବାକୁ ପ୍ରାଣପଣେ ଚେଷ୍ଟା କରିଛନ୍ତି। ବିଜୟ ପ୍ରତିଶତ ଦେଖିଲେ ସାଂପ୍ରତିକ ଅଧିନାୟକ ବିରାଟ କୋହଲି ସମସ୍ତଙ୍କ ଆଗରେ ରହିବେ। ଟ୍ରଫି ଜିତିବା ସଂଖ୍ୟାକୁ ତୁଳନା କଲେ କିନ୍ତୁ ମହେନ୍ଦ୍ର ସିଂହ ଧୋନି ଏକ ନମ୍ବର ସ୍ଥାନ ଅଧିକାର କରିବେ। ତେବେ ଜଣେ ଅଧିନାୟକଙ୍କୁ ପରଖିବାର ମାନଦଣ୍ଡ କେବଳ କୌଣସି ମ୍ୟାଚ୍ କିମ୍ବା ପ୍ରତିଯୋଗିତାର ଫଳାଫଳ ହୋଇ ନଥାଏ। ଅନ୍ତତଃ ପୂର୍ବତନ ବାମହାତୀ ସ୍ପିନର ମନିନ୍ଦର ସିଂହ ଏକଥା ମାନନ୍ତି। ୧୯୮୨ରୁ ୧୯୯୩ ମଧ୍ୟରେ ଭାରତ ପକ୍ଷରୁ ୩୫ ଟେଷ୍ଟ୍ ଓ ୪୯ ଦିନିକିଆ ଖେଳି ଯଥାକ୍ରମେ ୮୮ ଓ ୬୬ ୱିକେଟ୍ ନେଇଥିବା ମନିନ୍ଦର ବିଶ୍ବାସ କରନ୍ତି ଯେ ଜଣେ ଅଧିନାୟକର ସବୁଠାରୁ ବଡ଼ ଗୁଣ ହେଲା ଖେଳାଳିଙ୍କ ଆତ୍ମବିଶ୍ବାସ ବଢ଼ାଇବା ଏବଂ ସେମାନଙ୍କ ଉପରେ ଭରସା ରଖିବା ଓ ଦୃଢ଼ ସମର୍ଥନ ଦେବା। ୧୯୮୩ ମସିହାରେ ଭାରତକୁ ବିଶ୍ବକପ୍ ଜିତାଇ କପିଳ ଦେବ ହିଁ ଭାରତୀୟ ଖେଳାଳିଙ୍କ ମନରେ ଏଭଳି ଆତ୍ମବିଶ୍ବାସ ଭରି ଦେଇଥିଲେ। ଯାହା ପରବର୍ତ୍ତୀ ସମୟରେ ସୌରଭ ଗାଙ୍ଗୁଲି ଓ ଧୋନିଙ୍କ କାମକୁ ସହଜ କରି ଦେଇଥିଲା। କପିଳ, ଧୋନି ଓ ଗାଙ୍ଗୁଲିଙ୍କୁ ତୁଳନା କରି ମନିନ୍ଦର କହିଛନ୍ତି ଯେ ଧୋନି ଭାଗ୍ୟଶାଳୀ ଥିଲେ ଯେ ତାଙ୍କ ପୂର୍ବରୁ କପିଳ ଆମକୁ ୧୯୮୩ ମସିହାରେ ବିଶ୍ବକପ୍ ଜିତାଇ ସାରିଥିଲେ।

ସୌରଭ ଗାଙ୍ଗୁଲି ତାଙ୍କ ପୂର୍ବରୁ ଅଧିନାୟକ ରହିବା ମଧ୍ୟ ଧୋନିଙ୍କ ପାଇଁ କୌଣସି ବରଦାନଠାରୁ କମ୍ ନଥିଲା। ଯେକୌଣସି ଦଳକୁ ଯେକୌଣସି ପରିସ୍ଥିତିରେ ହରାଇ ପାରିବାର ଆତ୍ମବିଶ୍ବାସ ଗାଙ୍ଗୁଲି ହିଁ ଭାରତୀୟ ‌ଖେଳାଳିଙ୍କ ମନରେ ଭରିଥିଲେ। ଖାସ୍ ଏହି କାରଣରୁ ଭାରତକୁ ବିଶ୍ବକପ୍ ଜିତାଇ ନଥିଲେ ମଧ୍ୟ ମନିନ୍ଦର ଅଧିନାୟକ ଭାବେ ଗାଙ୍ଗୁଲିଙ୍କୁ କପିଳ ଓ ଧୋନିଙ୍କ ଉପରେ ରଖିଛନ୍ତି। ପ୍ରତିଭା ଚିହ୍ନଟ କରିବା ଏବଂ ସଫଳତା ଲାଭ କରିବା ଲାଗି ସେମାନଙ୍କୁ ନିରନ୍ତର ସମର୍ଥନ ଦେବାର ଅନନ୍ୟ କଳା ଲାଗି ଗାଙ୍ଗୁଲିଙ୍କୁ ସେ ଭାରତର ସର୍ବଶ୍ରେଷ୍ଠ ଅଧିନାୟକ ବାଛିଛନ୍ତି। ଏହି ତିନି ମହାନ ଖେଳାଳିଙ୍କ ଅଧିନାୟକ ଦକ୍ଷତା ଉପରେ ମତ ରଖିବାକୁ ଯାଇ ମନିନ୍ଦର କହିଛନ୍ତି, ”କ୍ରିକେଟ୍ କୌଶଳ, ଶାନ୍ତ ବାତାବରଣ ଓ ସକାରାତ୍ମକ ଚିନ୍ତାଧାରା କଥା ପଡ଼ିଲେ, ଧୋନି ଓ କପିଳ ଗୋଟିଏ ପ୍ରଜାତିର। କପିଳଙ୍କ ବେଳେ ଯେକୌଣସି ଦଳକୁ ହରାଇବାର ଆତ୍ମବିଶ୍ବାସ ସମ୍ଭବତଃ ନଥିଲା। ଥିଲେ ମଧ୍ୟ ଏହା ଯଥେଷ୍ଟ କମ୍ ଥିଲା। ତାଙ୍କ ପୂର୍ବରୁ ଆଉ କେହି ବିଶ୍ବକପ୍ ଜିତିଥିଲେ, ହୁଏତ କପିଳ ମହାନତମ ଅଧିନାୟକ ହୋଇପାରିଥା’ନ୍ତେ। ଧୋନି ମଧ୍ୟ କପିଳଙ୍କ ଭଳି ବୋଲି ମୁଁ କହିପାରିବି। ସୌରଭଙ୍କ କଥା କିନ୍ତୁ ଅଲଗା। ବ୍ୟକ୍ତିଗତ ଭାବେ ମୁଁ ତାଙ୍କ ଅଧିନାୟକ ଦକ୍ଷତାର ଜଣେ ବଡ଼ ପ୍ରଶଂସକ। ଭାରତୀୟ କ୍ରିକେଟ୍ ପାଇଁ ସୌରଭଙ୍କର ଅତୁଳନୀୟ ଅବଦାନ ରହିଛି। ହରଭଜନ ସିଂହ, ଜାହିର ଖାନ୍, ବୀରେନ୍ଦ୍ର ସେହବାଗ, ଯୁବରାଜ ସିଂହଙ୍କ ଭଳି ଖେଳାଳି ସେ ଭାରତୀୟ କ୍ରିକେଟ୍‌କୁ ଦେଇଛନ୍ତି। ସେହବାଗଙ୍କୁ ମଧ୍ୟକ୍ରମରେ ଖେଳାଇ ସୌରଭ ସମସ୍ତଙ୍କୁ ଚକିତ କରି ‌ଦେଇଥିଲେ। ସେ ମଧ୍ୟ ଦ୍ରାବିଡ଼ଙ୍କୁ ୱିକେଟ୍ ରକ୍ଷକ ଦାୟିତ୍ବ ଦେଇଥିଲେ। ଦ୍ରାବିଡ଼ ଦିନିକିଆରେ ୧୦୦୦୦ରୁ ଅଧିକ ରନ୍‌ କରି ଅବସର ନେଲେ। ଜଣେ ଅଧିନାୟକଙ୍କ ପାଖରେ ସକାରାତ୍ମକ ଚିନ୍ତାଧାରା ରହିବା ସହ ସେ ଆକ୍ରମଣାତ୍ମକ ହେବା ମଧ୍ୟ ନିହାତି ଜରୁରୀ। ଯୁବ ଖେଳାଳିଙ୍କୁ ସମର୍ଥନ ଜଣାଇଲା ବେଳେ ଅଧିନାୟକଙ୍କୁ ସାଧାରଣତଃ ଧୈର୍ଯ୍ୟ ରଖିବାକୁ ପଡ଼ିଥାଏ। ଯୁବ ଖେଳାଳିଙ୍କୁ ସେମାନଙ୍କ ସ୍ବାଭାବିକ ଖେଳ ଖେଳିବା ଲାଗି ପ୍ରୋତ୍ସାହିତ କରିବା ସହ ପଡ଼ିଆ ଭିତରେ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିବାକୁ ହୋଇଥାଏ। ଏସବୁ ଗୁଣ ଗାଙ୍ଗୁଲିଙ୍କ ପାଖରେ ଯଥେଷ୍ଟ ପରିମାଣରେ ଥିଲା। ଏଣୁ ମୋ ମତରେ ଗାଙ୍ଗୁଲି ହିଁ ଭାରତର ସର୍ବଶ୍ରେଷ୍ଠ ଅଧିନାୟକ”। ସୂଚନାଯୋଗ୍ୟ ଯେ ଗାଙ୍ଗୁଲି ୧୪୬ ଦିନିକିଆ ଓ ୪୯ ଟେଷ୍ଟ୍‌ରେ ଭାରତର ନେତୃତ୍ବ ନେଇଥିଲେ। ତାଙ୍କ ଅଧିନାୟକତ୍ବରେ ଭାରତ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ୨୦୦୩ ବିଶ୍ବକପ୍ ଫାଇନାଲ୍‌ରେ ପ୍ରବେଶ କରିଥିଲା। ହେଲେ ଅଷ୍ଟ୍ରେଲିଆଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା।

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତତମ ଧାବକଙ୍କୁ ପଛରେ ପକାଉଥିବା ପର୍ଯ୍ୟନ୍ତ ମହେନ୍ଦ୍ର ସିଂହ ଧୋନି ‌ଖେଳ ଜାରି ରଖିବେ ବୋଲି ସ୍ପଷ୍ଟ ହୋଇଛି। ଧୋନି ଏଭଳି ମନ୍ତବ୍ୟ‌ ଦେଇଥିବା ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସଞ୍ଜୟ ମଞ୍ଜରେକର ପ୍ରକାଶ କରିଛନ୍ତି। ୨୦୧୭ ମସିହାରେ ବିରାଟ କୋହଲିଙ୍କ ବିବାହ ଉତ୍ସବ ଅବସରରେ ‌ଧୋନି ଏଭଳି କଥା କହିଥିବା ମଞ୍ଜରେକର ଖୁଲାସା କରିଛନ୍ତି। ‘ଏହି ବିବାହ ଉତ୍ସବ ବେଳେ ମୁଁ ଗୋଟିଏ କୋଣରେ ଧୋନିଙ୍କ ସହ କିଛି ସମୟ କାଟିଥିଲି। ସେ କହିଥିଲେ ମୁଁ ଯେ ପର୍ଯ୍ୟନ୍ତ ଦଳର ଦ୍ରୁତତମ ଧାବକଙ୍କୁ ହରାଉଥିବି ସେ ପର୍ଯ୍ୟନ୍ତ ଖେଳୁଥିବି। ନିଜକୁ ଉଚ୍ଚସ୍ତରର ଅନ୍ତର୍ଜାତୀୟ କ୍ରିକେଟ୍ ପାଇଁ ଫିଟ୍‌ ରଖିବା ଉପରେ ଗୁରୁତ୍ବ ଦେବି’ ବୋଲି‌ ସେ କହିଥିଲେ। ସଚିନ ତେନ୍ଦୁଲକର, ଏମଏସ୍ ଧୋନି ଚାମ୍ପିଅନ୍ କ୍ରିକେଟର୍‌, ସେ ଥରେ ଅନଫିଟ୍‌ କିମ୍ବା ଦୌଡ଼ିବାକୁ ସକ୍ଷମ ନହେଲେ ନିଜକୁ ଓହରାଇନେବେ’ ବୋଲି ମଞ୍ଜରେକର ପ୍ରକାଶ କରିଥିଲେ। ଧୋନି ଶେଷ ଥର ପାଇଁ ଭାରତୀୟ ଦଳରୁ ୨୦୧୯ ବିଶ୍ବକପ୍‌ରେ ଖେଳିଥିଲେ। ନ୍ୟୁଜିଲାଣ୍ଡ୍ ବିପକ୍ଷ ସେମିଫାଇନାଲରେ ହାରି ଭାରତ ବିଦାୟ ନେଇଥିଲା। ଧୋନି କିନ୍ତୁ ଆଇପିଏଲ୍-୧୩ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ସେ ନିଶ୍ଚିତ ଆଇପିଏଲ୍‌ରେ ଭଲ କରିବେ, ମାତ୍ର ୪/୫ ଜଣ ଭଲ ବୋଲର ତାଙ୍କୁ ଅସୁବିଧାରେ ପକାଇପାରିବେ ନାହିଁ ବୋଲି ମଞ୍ଜରେକର ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର