ନୂଆଦିଲ୍ଲୀ: ବିଶ୍ବ କ୍ରିକେଟ୍ର ଏକଦା ମହାନ୍ ବୋଲର ଭାବେ ପରିଗଣିତ ହୋଇଥିବା ଭାରତର କପିଳ ଦେବ, ପାକିସ୍ତାନର ଇମ୍ରାନ୍ ଖାନ୍, ଇଂଲଣ୍ଡର ଇଆନ୍ ବୋଥାମ୍, ଅଷ୍ଟ୍ରେଲିଆର ଡେନିସ୍ ଲିଲି ଏବଂ ୱେଷ୍ଟଇଣ୍ଡିଜ୍ର ଲାନ୍ସ ଗିବ୍ସ ଯେ ସେମାନଙ୍କ ଆନ୍ତର୍ଜାତିକ ଜୀବନକାଳରେ ଆଦୌ ନୋ-ବଲ୍ ବୋଲିଂ କରିନଥିଲେ ବୋଲି କୁହାଯାଇଥାଏ। ଏଭଳି ଖବର ଇଣ୍ଟରନେଟ୍ରେ ଘୁରି ବୁଲୁଛି। ହେଲେ ଏହା କେବଳ ଗୁଜବ। ସେହି ସମସ୍ତ ବୋଲର ନୋ-ବଲ୍ ବୋଲିଂ କରିବା ଭଲି ଭୁଲ୍ ମଧ୍ୟ କରିଥିଲେ ବୋଲି ସେମାନଙ୍କ ଉପରେ ଗବେଷଣା କରିଯାଇଥିବା ତଥ୍ୟରୁ ଜଣାପଡ଼ିଛି। ଜଣାଶୁଣା କ୍ରିକେଟ୍ ପରିସଂଖ୍ୟାନବିତ୍ ଚାର୍ଲସ ଡେଭିସ୍ ଏଭଳି ରୋଚକ ତଥ୍ୟ ଉପସ୍ଥାପନ କରିଛନ୍ତି।
ଗବେଷକଙ୍କ ତଥ୍ୟ ପ୍ରମାଣ ବଳିଷ୍ଠ ହୋଇପାରେ। ଏହି ତଥ୍ୟ ଦୁର୍ଭାଗ୍ୟବଶତଃ ବିପଦପୂର୍ଣ୍ଣ ମଧ୍ୟ ହୋଇପାରେ। ଏପରିକି ଆମ ବିଶ୍ବାସକୁ ଦୋହଲାଇ ଦେଇପାରେ। ତଥାପି ବିଶ୍ବ କ୍ରିକେଟର୍ ଏହି ପୂର୍ବତନ ମହା ନାୟକମାନେ ଯେ ନୋ-ବଲ୍ ବୋଲିଂ କରିଥିଲେ ସେ ନେଇ ଗବେଷକମାନେ ଦେଇଛନ୍ତି ବଳିଷ୍ଠ ପ୍ରମାଣ। ମାତ୍ର ଏଥିପାଇଁ ସେମାନଙ୍କୁ ନିନ୍ଦା କରାଯାଇପାରିବନି। କାରଣ ସେମାନେ ସମସ୍ତେ ହେଉଛନ୍ତି ଜଣେ ଜଣେ ଅତି ଚମତ୍କାର ବୋଲର। ସେମାନଙ୍କ ସଂପର୍କରେ ମିଥ୍ୟା ସୂଚନା ଦେବା ଆଦୌ ସମିଚୀନ ନୁହେଁ ବୋଲି ଗବେଷକମାନେ କହିଛନ୍ତି। ଗବେଷକମାନଙ୍କୁ ମଧ୍ୟ ଇଣ୍ଟରନେଟ୍ ଦ୍ବନ୍ଦ୍ବରେ ପକାଉଛନ୍ତି। ତଥାପି ଏହି ୫ ଜଣଙ୍କୁ ନେଇ ଯେଉଁ ତଥ୍ୟ ରଖାଯାଇଛି ତାହା ସଂପୂର୍ଣ୍ଣ ତ୍ରୁଟୀପୂର୍ଣ୍ଣ ବୋଲି କୁହାଯାଇପାରିବ। ସତ କଥା ହେଲା କପିଳ ଦେବ ପ୍ରଥମ ଥର ପାଇଁ ଟେଷ୍ଟ୍ରେ ବୋଲିଂ କରିଥିଲା ବେଳେ ପ୍ରଥମ ଓଭରରେ ହିଁ ନୋ-ବଲ୍ ପକାଇଥିଲେ। ଏହାପରେ ମଧ୍ୟ ସେ କେତେକ ଥର ନୋ-ବଲ୍ ବୋଲିଂ କରିଥିବା ସ୍କୋର୍କାର୍ଡରୁ ଜଣାପଡ଼ିଛି। ସେହି ଦୃଷ୍ଟିରୁ କପିଳ ଦେବ ଯେ ତାଙ୍କ ଆନ୍ତର୍ଜାତିକ ଜୀବନକାଳରେ ଆଦୌ ନୋ-ବଲ୍ ବୋଲିଂ କରିନଥିବାକୁ ମିଛ ବୋଲି ପ୍ରମାଣିତ କରିବା ପାଇଁ ଏହା ଯଥେଷ୍ଟ ହେବ। କପିଳଙ୍କ ବ୍ୟତୀତ ଅନ୍ୟ ୪ ଜଣ ମଧ୍ୟ କ୍ରିଜ୍ ବାହାରକୁ ପାଦ ନେଇ ବୋଲିଂ କରିଥିଲେ କି ନାହିଁ ସେବିଷୟରେ ଯାଞ୍ଚ୍ କରିଥିଲି। ଏବଂ ସମସ୍ତେ ନୋ-ବଲ୍ ବୋଲିଂ କରିଥିବା ପ୍ରମାଣ ପାଇଥିଲି ବୋଲି ଗବେଷକ ଜଣଙ୍କ କହିଛନ୍ତି। ଇମ୍ରାନ୍ ମଧ୍ୟ ତାଙ୍କ ଶେଷ ଆନ୍ତର୍ଜାତିକ ମ୍ୟାଚ୍ ୧୯୯୨ ବିଶ୍ବକପ୍ ଫାଇନାଲ୍ରେ ନୋ-ବଲ୍ ବୋଲିଂ କରିଥିବା ସ୍କୋର୍କାର୍ଡରେ ପ୍ରମାଣ ରହିଛି। ସେହପରି ଗିବ୍ସ, ଲିଲି ଓ ବୋଥାମ୍ ମଧ୍ୟ ସେହି ତାଲିକାରେ ରହିଛନ୍ତି। ପାକିସ୍ତାନ ଅମ୍ପାୟାର ସାକୁର ରାଣା ଯେତେବେଳେ ତାଙ୍କର ପ୍ରଥମ ଟେଷ୍ଟ୍ ପରିଚାଳନା କରିଥିଲେ ସେହି ଟେଷ୍ଟ୍ରେ ୱେଷ୍ଟଇଣ୍ଡିଜ୍ ସ୍ପିପର ଗିବ୍ସଙ୍କ ବୋଲିଂରେ ନୋ-ବଲ୍ ଡାକିଥିଲେ। ଅବଶ୍ୟ ଗିବ୍ସ ଏହାର ପ୍ରତିବାଦ କରିଥିଲେ। ୧୯୭୪-୭୫ରେ ଲାହୋରର ଗଦାଫି ଷ୍ଟାଡିୟମ୍ ଏହାର ସାକ୍ଷୀ ରହିଛି।
ସେହିପରି ଗ୍ରେଗ୍ ରିଚିଙ୍କ ବିପକ୍ଷରେ ବୋଥାମ୍ ଏକ ଏଲ୍ବିଡବ୍ଲୁ ଅପିଲ କରିଥିଲେ। ହେଲେ ଅମ୍ପାୟାର ହ୍ବାଇଟ୍ହେଡ୍ ସେହି ବଲ୍କୁ ନୋ-ବଲ୍ ଡାକି ବୋଥାମ୍ଙ୍କ ଅପିଲକୁ ଖାରଜ କରିଦେଇଥିଲେ। ଏହାପରେ ସେହି ବୋଥାମଙ୍କ ଅନ୍ୟ ଏକ ବଲ୍ରେ ଯେତେବେଳେ ରିଚି ଡିପ୍ ଅଫ୍ରେ ଧରିପଡ଼ିଥିଲେ ସେତେବେଳେ ହ୍ବାଇଟ୍ହେଡ୍ ସେହି ବଲ୍କୁ ‘ନୋ’ ଡାକିଥିଲେ। ବୋଥାମ୍ ୧୯୮୫ ଆସେସ୍ ଟେଷ୍ଟ୍ର ଶେଷ ଦିନ ୨ଟି ନୋ-ବଲ୍ ବୋଲିଂ କରିଥିବା ସେତେବେଳେ ‘ଦି କାନ୍ବେରା ଟାଇମ୍ସ’ ପତ୍ରିକା ପ୍ରକାଶ କରିଥିଲା। ଅବଶ୍ୟ ଏହାପରଠୁ ନିଜର ରାଗ ନିୟଂତ୍ରଣ କରିନପାରି ଲଗାତାର ନୋ-ବଲ୍ ବୋଲିଂ କରିବା ବୋଥାମ୍ କ୍ଷେତ୍ରରେ କ୍ବଚିତ ଦେଖାଯାଇଥିଲା। ମୋ ଜାଣିବାରେ ଲିଲି କଦାପି ନୋ-ବଲ୍ ବୋଲିଂ କରୁନଥିଲେ। ଲିଲିଙ୍କ ମତରେ ସେ ନୋ-ବଲ୍ ବୋଲିଂକୁ ଘୃଣା କରୁଥିଲେ। ଏହା ମଧ୍ୟ ତାଙ୍କ ପାଇଁ ଆହ୍ବାନ ଥିଲା। କିନ୍ତୁ ଖବରକାଗଜରୁ ପଢ଼ିବା ପରେ ସେ ଯେ ନୋ-ବଲ୍ ବୋଲିଂ କରିଥିବା କଥା କହିବାକୁ ବାଧ୍ୟ ହେଉଛି। ସେତେବେଳେ ଭିଡିଓର ପ୍ରଚଳନ ନଥିଲା। ଯେଉଁଥିପାଇଁ ବୋଲରଙ୍କ ନୋ-ବଲ୍ଗୁଡ଼ିକ ରେକର୍ଡ କରାଯାଇପାରୁନଥିଲା। ତେଣୁ ମୁଁ ମ୍ୟାଚ୍ ରିପୋର୍ଟକୁ ଯାଞ୍ଚ୍ କରିବାକୁ ବାଧ୍ୟ ହୋଇଥିଲି। ‘ଦି କାନ୍ବେରା ଟାଇମ୍ସ’ ପତ୍ରିକାର ୩୬ ନମ୍ବର ପୃଷ୍ଠାରେ ୧୯୭୨ ମସିହା ଜୁଲାଇ ୧୫ ତାରିଖ ଟ୍ରେଷ୍ଟ୍ବ୍ରିଜ୍ ଆସେସ୍ ଟେଷ୍ଟ୍ରେ ଲିଲି ନୋ-ବଲ୍ ବୋଲିଂ କରିଥିବା ପଢ଼ିଥିଲି। ଅଷ୍ଟ୍ରେଲିଆ ପ୍ରଥମ ଦିନ ୨୪୯/୬ରେ ଥିଲା ଏବଂ ଦ୍ବିତୀୟ ଦିବସ ମଧ୍ୟାହ୍ନ ବିରତି ପୂର୍ବରୁ ୩୧୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ବିରତି ପୂର୍ବରୁ ଇଂଲଣ୍ଡକୁ ୨ ଓଭର ବୋଲିଂ ସାମ୍ନା କରିବାକୁ ଥାଏ। ଲିଲି ପ୍ରଥମ ଓଭର ପକାଇଥିଲେ। ସେ ତାଙ୍କ ପ୍ରଥମ ବଲ୍କୁ ‘ନୋ’ ପକାଇଥିବାର ରିପୋର୍ଟ ରହିଛି। ଏହା ବ୍ୟତୀତ ଆଉ ଦୁଇଟି ଘଟଣା ମଧ୍ୟ ରହିଛି। ୧୯୭୩ ଫେବ୍ରୁଆରି ୨୬ ତାରିଖରେ ଲିୱାର୍ଡସ ଆଇଲାଣ୍ଡ୍ ବିପକ୍ଷ ମ୍ୟାଚ୍ରେ ଲିଲି ମଧ୍ୟ ତାଙ୍କ ପ୍ରଥମ ବଲ୍କୁ ନୋ-ବଲ୍ ପକାଇଥିଲେ। ପୁଣି ୧୯୮୪ ମାର୍ଚ୍ଚ ୧୦ ତାରିଖରେ କୁଇନ୍ସଲାଣ୍ଡ୍ ବିପକ୍ଷ ସେଫିଲ୍ଡ ସିଲ୍ଡ ମ୍ୟାଚ୍ରେ ମଧ୍ୟ ଲିଲି ନୋ-ବଲ୍ ବୋଲିଂ କରିଥିବାର ନଜିର ରହିଛି। କେବଳ ସେତିକି ନୁହେଁ ପରିସଂଖ୍ୟାନବିତ୍ ଡେଭିସ୍ ମଧ୍ୟ ଆହୁରି ଏକ କଥା ଉଲ୍ଲେଖ କରିଛନ୍ତି ଯେ ୧୯୮୦-୮୧ରେ ମେଲ୍ବର୍ନରେ ଭାରତ ବିପକ୍ଷରେ ଲିଲି ଗୋଟିଏ ଓଭରରେ ୧୨ ବଲ୍ ବୋଲିଂ କରିଥିଲେ। ଏହି ଓଭରରେ ସେ ମଧ୍ୟ ନୋ-ବଲ୍ ବୋଲିଂ କରିଥିବା ରିପୋର୍ଟ ରହିଛି।
ଏଭଳି ପରିସଂଖ୍ୟାନ ସତ୍ତ୍ବେ ଏହି ୫ ଜଣ ହେଉଛନ୍ତି କ୍ରିକେଟ୍ର କିଂବଦନ୍ତି। କେବଳ ଇମ୍ରାନ୍ଙ୍କ ଛାଡ଼ିଦେଲେ ଅନ୍ୟମାନେ ବିଶ୍ବ କ୍ରିକେଟ୍ରେ ସର୍ବାଧିକ ୱିକେଟ୍ ଦଖଲକାରୀଙ୍କ ମଧ୍ୟରେ ରହିଛନ୍ତି। ହେଲେ ଇମ୍ରାନ୍ ବହୁ ମ୍ୟାଚ୍ରୁ ବଞ୍ଚିତ ହେବା ଏବଂ ଖେଳ ଜୀବନର ଶେଷ ଭାଗରେ ଜଣେ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍ ଭାବେ ଖେଳିବା ଯୋଗୁଁ କିଛିଟା ପଛରେ ପଡ଼ିଯାଇଥିଲେ।