କପିଳ ଭାରତର ସର୍ବଶ୍ରେଷ୍ଠ ମ୍ୟାଚ୍‌ ବିଜେତା: ଗାଭାସ୍କର

ମୁମ୍ବାଇ: ୧୯୮୩ ମସିହା ଜୁନ୍‌ ୨୫ ତାରିଖ ଦିନ ଭାରତ ଜିତିଥିଲା ବିଶ୍ବକପ୍‌। ଏହି ସ୍ମରଣୀୟ ବିଜୟର ୩୭ ବର୍ଷ ପୂର୍ତ୍ତିକୁ ଗୁରୁବାର ଭାରତୀୟ ପ୍ରଶଂସକମାନେ ପାଳନ କରିଥିଲେ। ଏହା ଥିଲା ଭାରତୀୟ ଦଳର ପ୍ରଥମ ବିଶ୍ବକପ୍‌ ଫାଇନାଲ୍‌। ଆଉ ସେହି ଫାଇନାଲ୍‌ରେ ପୂର୍ବ ଦୁଇଥର ବିଜେତା ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ଲଣ୍ଡନର ଐତିହାସିକ ଲର୍ଡସ୍‌ ପଡ଼ିଆରେ ଭାରତୀୟ ଦଳ ତୋଳି ଧରିଥିଲା ବିଶ୍ବକପ୍‌। କିଂବଦନ୍ତି କପିଳ ଦେବଙ୍କ ନେତୃତ୍ବରେ ଦଳ ଏହି ଐତିହାସିକ ସଫଳତା ପାଇଥିଲା।

ତାଙ୍କ ମତରେ ଭାରତୀୟ କ୍ରିକେଟ୍‌ ଇତିହାସରେ ସବୁଠୁ ମହାନ୍‌ ତଥା ସର୍ବଶ୍ରେଷ୍ଠ ମ୍ୟାଚ୍‌ ବିଜେତା କିଏ ବୋଲି ବିଶ୍ବକପ୍‌ ବିଜୟର ୩୭ ବର୍ଷ ପୂର୍ତ୍ତି ଅବସରରେ ସେହି ଦଳର ସଦସ୍ୟ ଥିବା ସୁନିଲ ଗାଭାସ୍କରଙ୍କୁ ପ୍ରଶ୍ନ ପଚରାଯାଇଥିଲା। ଜାଗରଣ ଡଟ୍‌ କମ୍‌ ସହ ଆଲୋଚନା ବେଳେ ଏହି ପ୍ରଶ୍ନର ଉତ୍ତର ଦେଇ ତତ୍‌କାଳୀନ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଗାଭାସ୍କର ବିଶ୍ବବିଜେତା ଅଧିନାୟକ କପିଳ ଦେବଙ୍କ ନାମ ନେଇଥିଲେ। ଭାରତ ଏପର୍ଯ୍ୟନ୍ତ ସୃଷ୍ଟି କରିପାରିଥିବା‌ ଖେଳାଳିଙ୍କ ମଧ୍ୟରେ ଅଲ୍‌ରାଉଣ୍ଡର କପିଳ ହିଁ ସର୍ବଶ୍ରେଷ୍ଠ ମ୍ୟାଚ୍‌ ବିଜେତା ବୋଲି ଗାଭାସ୍କର ଦୃଢ଼ତାର ସହ କହିଥିଲେ। କପିଳ ହିଁ ନିଜର ଉଭୟ ବ୍ୟାଟିଂ ଓ ବୋଲିଂ ସାମର୍ଥ୍ୟ ବଳରେ ଦଳକୁ ମ୍ୟାଚ୍‌ ବିଜୟ ଦେଇପାରୁଥିଲେ। କପିଳଙ୍କୁ ଏହି ଅବସରରେ ଗାଭାସ୍କର ମଧ୍ୟ ପ୍ରଶଂସା କରିବା ସହିତ ତାଙ୍କ ସହ ଭାରତୀୟ ଦଳରେ ଏକାଠି ଖେଳିଥିବା ଉପରେ ଆଲୋକପାତ କରିଥିଲେ।

କପିଳ ମୋତେ ଖୁବ୍‌ ସମ୍ମାନ କରନ୍ତି। ୧୯୭୮ ୱିଲ୍‌ସ ଟ୍ରଫିରେ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌‌ରେ ପ୍ରଥମ ଥର ପାଇଁ ତାଙ୍କ ବିପକ୍ଷରେ ଖେଳିବା କଥା ମୋର ମନେଅଛି। ଆମେ ୱିଲ୍‌ସ ଟ୍ରଫିର ଅଳ୍ପ ଦିନ ପୂର୍ବରୁ ଅଷ୍ଟ୍ରଲିଆ ଗସ୍ତରୁ ଫେରିଥାଉ। ୱିଲ୍‌ସ ଟ୍ରଫିରେ ଆମ ମୁମ୍ବାଇ ଦଳ ବିପକ୍ଷରେ କପିଳ ଦେବ ଓ ଅନ୍ୟତମ ପ୍ରତିଭାବାନ ଅଲ୍‌ରାଉଣ୍ଡର ରାଜେନ୍ଦ୍ର ଜାଦେଜା ବୋଲିଂ ଆକ୍ରମଣ ଆରମ୍ଭ କରିଥିଲେ। କପିଳ କ୍ରିଜ୍‌ର ସାମାନ୍ୟ ଦୂରରୁ ବୋଲିଂ କରୁଥିଲେ। ସେଥିପାଇଁ ମୁଁ ମଧ୍ୟ ବଲ୍‌କୁ ସହଜରେ ଛାଡ଼ିଦେବାରେ ସମର୍ଥ ହେଉଥିଲି। ସେହି ମ୍ୟାଚ୍‌ରେ ସେ ଆମର ପ୍ରତିଦ୍ବନ୍ଦ୍ବୀ ଥିଲେ ମଧ୍ୟ ୱିକେଟ୍‌ର ଖୁବ୍‌ ପାଖରୁ ବୋଲିଂ କରିବାକୁ କପିଳଙ୍କୁ ପରାମର୍ଶ ଦେଇଥିଲି। ମୁଁ ଯେତେବେଳେ ବୋଲିଂ ପଟରେ ରହୁଥିଲି ସେତେବେଳେ ତାଙ୍କୁ ଏହି ପରାମର୍ଶ ଦେଇଥିଲି। କପିଳ ମଧ୍ୟ ମୋର ସେହି ପରାମର୍ଶକୁ ଅନୁସରଣ କରିଥିଲେ। ଯାହାକି ଯାଦୁ ଭଳି କାମ କରିଥିଲା। ମୋ ପରାମର୍ଶ ପରେ ସେ ମୁମ୍ବାଇ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ମଧ୍ୟ ଅଡୁଆରେ ପକାଇଥିଲେ। କପିଳଙ୍କୁ ପରାମର୍ଶ ଦେଉଥିଲା ବେଳେ ତାଙ୍କ ଦଳୀୟ ସାଥୀମାନେ ମୁଁ ସ୍ଲେଜିଂ କରୁଛି ବୋଲି ଭାବୁଥିଲେ। ହେଲେ ମୁଁ ଯେ ଭିନ୍ନ କଥା କହୁଥିଲି ତାହା ନିଜେ କପିଳ ହିଁ ଜାଣିଥିଲେ। ଏହା ହିଁ ଥିଲା କପିଳଙ୍କ ବିପକ୍ଷରେ ଖେଳିବାର ପ୍ରଥମେ ଘଟଣା। ପ୍ରତିଦ୍ବନ୍ଦ୍ବୀ ସତ୍ତ୍ବେ ବୋଲିଂରେ ଉନ୍ନତି ଆଣିବାର ବାଟ ଦେଖାଇଥିଲି। ଆଉ ସେହି ଘଟଣା ପରଠାରୁ କପିଳ ସବୁବେଳେ ମୋତେ ସମ୍ମାନ ଦେଖାଇ ଆସିଛନ୍ତି ବୋଲି ୭୦ ବର୍ଷ ବୟସ୍କ ଗାଭାସ୍କର ସ୍ମୃତିଚାରଣ କରିଛନ୍ତି। ତେବେ ଆମ ଦୁହିଁ (କପିଳ ଓ ମୁଁ)ଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି କରିବାକୁ କେତେକ ବରିଷ୍ଠ ବୋର୍ଡ ସଦସ୍ୟ ଏବଂ କିଛି କ୍ରିକେଟର୍‌ ଚେଷ୍ଟା କରୁଥିଲେ ବୋଲି ଗାଭାସ୍କର କହିଛନ୍ତି। ସେହି ସମୟରେ ଅବସର ନେଇଥିବା ସଂପୃକ୍ତ ବ୍ୟକ୍ତିମାନେ ଗଣମାଧ୍ୟମକୁ ହାତକରି ଆମ ଭିତରେ ଫାଟ ସୃଷ୍ଟି କରିବାର ଉଦ୍ୟମ କରିଥିଲେ। ହେଲେ ଆମେ ସବୁବେଳେ ଦେଶରେ କ୍ରିକେଟ୍‌ର ଉନ୍ନତି ଦିଗରେ ଚିନ୍ତା କରୁଥିଲୁ ଏବଂ ସେଇଥିପା‌ଇଁ ଖଳ ଲୋକଙ୍କ ମନ୍ତ୍ରଣାକୁ କର୍ଣ୍ଣପାତ କରୁନଥିଲୁ ବୋଲି ଗାଭାସ୍କର ରୋକ୍‌ଠୋକ୍‌ କହିଛନ୍ତି।

ସମ୍ବନ୍ଧିତ ଖବର