ନୂଆଦିଲ୍ଲୀ: ଜୁନ୍ ୨୫, ଭାରତୀୟ କ୍ରିକେଟ୍ ପାଇଁ ଏହି ଦିନର ଢେର ମହତ୍ବ ରହିଛି। ୧୯୮୩ ମସିହା ଆଜିର ଦିନରେ ହିଁ ଭାରତ ପ୍ରଥମ ଥର ପାଇଁ ବିଶ୍ବବିଜୟୀ ହୋଇଥିଲା। ବିଶ୍ବ କ୍ରିକେଟ୍ର ନୂଆ ନାୟକ ଭାବେ ଉଭା ହୋଇଥିଲା।
ମଙ୍ଗଳବାର ବିଶ୍ବକପ୍ ବିଜୟର ସେହି ସ୍ବର୍ଣ୍ଣିମ ସଫଳତାକୁ ୩୬ ବର୍ଷ ପୂରିଛି। ୱେଷ୍ଟଇଣ୍ଡିଜ୍ ହ୍ୟାଟ୍ରିକ୍ କରିବାର ପୂର୍ବାନୁମାନକୁ ପୂରା ଭୁଲ ପ୍ରମାଣିତ କରି ଭାରତ ଲର୍ଡସରେ ନୂଆ ଇତିହାସ ରଚିଥିଲା।
/sambad/media/post_attachments/wp-content/uploads/2019/06/7-June-25-1983-When-the-Cup-came-home-1.jpg)
ଭାରତୀୟ କ୍ରିକେଟ୍ ଦଳ ତୃତୀୟ ଥର ପାଇଁ ବିଶ୍ବକପ୍ ଜିତିବା ଲାଗି ଇଂଲଣ୍ଡରେ ଲଢ଼େଇ କରୁଛି। ଆଜିକୁ ଠିକ୍ ୩୬ ବର୍ଷ ପୂର୍ବେ କିନ୍ତୁ ଭାରତୀୟ ଦଳ ପ୍ରଥମ ବିଶ୍ବକପ୍ ବିଜୟର ସ୍ବପ୍ନ ପୂରଣ କରିଥିଲା। ଏହି ସଫଳତାକୁ ପୁନର୍ବାର ଦୋହରାଇବା ଲାଗି ଭାରତକୁ ୨୮ ବର୍ଷ ଲାଗି ଯାଇଥିଲା। କପିଳଙ୍କ ପରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତ ୨୦୧୧ ମସିହାରେ ଦ୍ବିତୀୟ ଥର ପାଇଁ ବିଶ୍ବକପ୍ ଜିତିଥିଲା। ୨୦୧୧ରେ ଭାରତ ଅନ୍ୟତମ ଦାବିଦାର ଥିଲା। ୧୯୮୩ରେ ଅଣ୍ଡରଡଗ୍ ଭାବେ ଖେଳିଥିବା କପିଳ ବାହିନୀ କମାଲ କରିଥିଲା। ସବୁ ଅଙ୍କ କଷାକୁ ଭୁଲ ପ୍ରମାଣିତ କରି ବିଶ୍ବ ବିଜୟୀ ହୋଇଥିଲା। ଏହା ହିଁ ଭାରତୀୟ କ୍ରିକେଟ୍ର ମୋଡ଼ ବଦଳାଇବା ମୁହୂର୍ତ ଥିଲା। ଫାଇନାଲରେ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ବିଶ୍ବକପ୍ ତୋଳି ଧରିବା ସହ ଭାରତରେ କ୍ରିକେଟ୍ ବିପ୍ଳବର ଶୁଭାରମ୍ଭ ହୋଇଥିଲା। ୧୯୮୩ ଜୁନ୍ ୨୫ ତାରିଖରେ କପିଳଙ୍କ ଭାରତ ବାହିନୀ ଐତିହାସିକ ଲର୍ଡସରେ ମାତ୍ର ୧୮୩ ରନ୍ କରିଥିଲା। ହେଲେ ଚମତ୍କାର ବୋଲିଂ ଏବଂ କ୍ଷେତ୍ରରକ୍ଷଣ କରି ଭିଭିଆନ୍ ରିଚାର୍ଡସ, କ୍ଲାଇଭ୍ ଲୟଡ, ଗଡନ ଗ୍ରିନିଜ୍ଙ୍କ ଭଳି ଖେଳାଳି ଥିବା ଇଣ୍ଡିଜ୍କୁ ସ୍ତବ୍ଧ କରି ଦେଇଥିଲା। ତାରକା ଖଚିତ ଇଣ୍ଡିଜ୍ ମାତ୍ର ୧୪୦ ରନ୍ରେ ଅଲଆଉଟ୍ ହୋଇ ଯାଇଥିଲା। ତା’ର ହ୍ୟାଟ୍ରିକ୍ ବିଶ୍ବକପ୍ ଜିତିବା ସ୍ବପ୍ନ ମଧ୍ୟ ଧୂଳିସାତ୍ ହୋଇ ଯାଇଥିଲା। କପିଳ ନେଇଥିବା ରିଚାର୍ଡସଙ୍କ କ୍ୟାଚ୍ ସହ ଜିମ୍ବାୱେ ବିପକ୍ଷରେ ଖେଳିଥିବା ୧୭୫* ରନ୍ର ଅବିଶ୍ବସନୀୟ ପାଳି ତାଙ୍କୁ କିମ୍ବଦନ୍ତୀ କରି ଦେଇଥିଲା। ବ୍ରିଟିସ୍ ଯୁବରାଜଙ୍କଠାରୁ ସେ ବିଶ୍ବକପ୍ ଟ୍ରଫି ଗ୍ରହଣ କରିବା ପରେ ଭାରତୀୟ କ୍ରିକେଟ୍ ବିଶ୍ବ ଦରବାରରେ ପହଞ୍ଚିଗଲା ବୋଲି ଲୟଡ୍ କହିଥିଲେ। ଯାହା ପରେ ସତ ହୋଇଥିଲା। ପ୍ରତିଯୋଗିତାରେ ବଳିଷ୍ଠ ନେତୃତ୍ବର ନିଦର୍ଶନ ଦେଇଥିବା କପିଳ ୩୦୩ ରନ୍ କରିଥିଲେ। ରୋଜର ବିନ୍ନି ସର୍ବାଧିକ ୧୮ ୱିକେଟ୍ ଅକ୍ତିଆର କରିଥିଲେ। ସେମିଫାଇନାଲ୍ ଏବଂ ଫାଇନାଲର ହିରୋ କିନ୍ତୁ ଥିଲେ ମହିନ୍ଦର ଅମରନାଥ। ଅଲରାଉଣ୍ଡ ପ୍ରଦର୍ଶନ କରି ସେ ଉଭୟ ମୁକାବିଲାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଲିଗ୍ ପର୍ଯ୍ୟାୟରେ ୱେଷ୍ଟଇଣ୍ଡିଜ୍କୁ ୩୪ ରନ୍ରେ ହରାଇ ଭାରତ ତା’ର ଅଭିଯାନ ଆରମ୍ଭ କରିଥିଲା। ଏହାପରେ ଜିମ୍ବାୱେକୁ ୫ ୱିକେଟ୍ରେ ପରାସ୍ତ କରିଥିଲା। ପରବର୍ତୀ ଦୁଇଟି ମୁକାବିଲାରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜଠାରୁ ହାରି ଯାଇଥିଲା। ଶେଷ ଦୁଇ ଲିଗ୍ ମ୍ୟାଚ୍ରେ ଜିମ୍ବାୱେ ଓ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ସେହିଭଳି ସେମିରେ ଆୟୋଜକ ଇଂଲଣ୍ଡକୁ ୬ ୱିକେଟ୍ରେ ମାତ୍ ଦେଇ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା। ସାଂପ୍ରତିକ ଭାରତୀୟ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ସେହି ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ। ପ୍ରଥମ ମ୍ୟାଚ୍ରେ ହିଁ ୱେଷ୍ଟଇଣ୍ଡିଜ୍ ଭଳି ଦଳକୁ ହରାଇବା ଆମେ ବିଶ୍ବକପ୍ ଜିତିପାରିବାର ଭାବନା ଜାଗ୍ରତ କରିଥିଲା ବୋଲି ଶାସ୍ତ୍ରୀ କହିଛନ୍ତି। ଦୁଇ ମହାନ କ୍ରିକେଟର ସୁନୀଲ ଗାଭାସ୍କର ଏବଂ କପିଳ ଦେବ ମଧ୍ୟ ସେଦିନର ସେହି ଅଭୁଲା ମୁହୂର୍ତକୁ ମନେ ପକାଇ ଭାବବିହ୍ବଳ ହୋଇଯାଇଥିଲେ। ସେଥରର ବିଶ୍ବକପ୍ରେ ଭାରତ ଦୁଇ ଥର ଇଣ୍ଡିଜକୁ ହରାଇ ସମସ୍ତଙ୍କୁ ଚକିତ କରି ଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Kapil-World-Cup_Thumbnail.jpg)