ଚେନ୍ନାଇ: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଯେବେ ବି ଅବସର ଘୋଷଣା କରିବେ, ତାହା ଭାରତୀୟ କ୍ରିକେଟ୍ ଦଳ ପାଇଁ ବହୁତ ବଡ଼ ଓ ଅପୂରଣୀୟ କ୍ଷତି ହେବ। ଭାରତର ପ୍ରଥମ ବିଶ୍ବକପ୍ ବିଜୟୀ ଅଧିନାୟକ ତଥା କିଂବଦନ୍ତି ଅଲ୍ରାଉଣ୍ଡର କପିଳ ଦେବ ଶନିବାର ଏହା କହିଛନ୍ତି। ଭାରତୀୟ କ୍ରିକେଟ୍ ଦଳର ୧୯୮୩ ମସିହା ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍ ବିଜୟକୁ ନେଇ ନିର୍ମାଣ ହୋଇଥିବା ବଲିଉଡ୍ ଚଳଚ୍ଚିତ୍ର ‘୮୩’ର ପ୍ରଚାର ପାଇଁ ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କପିଳ କହିଥିଲେ ଯେ ଧୋନି ବହୁ ବର୍ଷ ଧରି ଦେଶ ପାଇଁ ଅତୁଳନୀୟ ସେବା ଦେଇଛନ୍ତି। ଏକଥା ମଧ୍ୟ ସତ ଯେ ଦିନେ ନା ଦିନେ ସେ ଅବସର ଘୋଷଣା କରିବେ। ଧୋନି ଏବେ ମ୍ୟାଚ୍ ଖେଳୁନାହାନ୍ତି। ସେଥିପାଇଁ ସେ କେବେ ଅବସର ନେବେ ମୁଁ କହିପାରିବିନାହିଁ। ଧୋନି ଯେତେବେଳେ ବି ଅବସର ନିଅନ୍ତୁ, ଏହା ଆମ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି ହେବ। ବିସିସିଆଇ ନିକଟରେ ଘୋଷଣା କରିଥିବା ତା’ର ବାର୍ଷିକ ଚୁକ୍ତି ତାଲିକାରେ ଧୋନିଙ୍କୁ ବାଦ୍ ଦେଇଛି। ଫଳରେ ତାଙ୍କ ଖେଳ ଜୀବନ ଆପାତତଃ ଶେଷ ହୋଇଯାଇଛି ବୋଲି ଚର୍ଚା ହେଉଛି। ସେ କିନ୍ତୁ ଦୀର୍ଘ ଦିନ ହେବ କ୍ରିକେଟ୍ରୁ ଦୂରେଇ ରହିବା ସହ ନିଜ ଖେଳ ଜୀବନକୁ ନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରି ନାହାନ୍ତି। ସେଥିପାଇଁ ତାଙ୍କୁ ନେଇ ରହସ୍ୟ ଲାଗି ରହିଛି। ଭାରତୀୟ କ୍ରିକେଟ୍ ଦଳରେ ସଂପ୍ରତି ହେଉଥିବା ପରିବର୍ତନକୁ କପିଳ ସ୍ବାଗତ କରିଛନ୍ତି। ଏଥିନେଇ ସେ କହିଛନ୍ତି ଯେ ଅନେକ ସମୟରେ କ୍ରିକେଟ୍କୁ ବ୍ୟାଟ୍ସମ୍ୟାନଙ୍କ ଖେଳ ବୋଲି କୁହାଯାଇଥାଏ। ସୌଭାଗ୍ୟବଶତଃ ଏବେ ଏହି ଭାବନା ବଦଳିବାରେ ଲାଗିଛି। ଆମେ ବୋଲରଙ୍କ ବଳରେ ମ୍ୟାଚ୍ ଜିତୁଛେ। ଆମ ପାଖରେ ଏକ ପ୍ରତିଭାବାନ ବୋଲିଂ ବାହିନୀ ଅଛି ଏବଂ ଏହା ଟେଷ୍ଟ୍ କ୍ରିକେଟ୍ରେ ପ୍ରତିପକ୍ଷ ଦଳର ୨୦ ୱିକେଟ୍ ନେବାକୁ ପୂରା ସକ୍ଷମ। ଯଶପ୍ରୀତ ବୁମରାଙ୍କ ଭଳି ବୋଲର ବାରମ୍ବାର ଆହତ ହେବା ଉପରେ ମତ ରଖିବାକୁ ଯାଇ କପିଳ ଏଥିଲାଗି ବ୍ୟସ୍ତବହୁଳ କ୍ରିକେଟ୍ ସୂଚୀକୁ ଦାୟୀ କରିଥିଲେ। ଋଷବ ପନ୍ତଙ୍କୁ ଜଣେ ପ୍ରତିଭାବାନ ଖେଳାଳି ଭାବେ ବର୍ଣ୍ଣନା କରିଥିବା କପିଳ ତାଙ୍କୁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ।
ଧୋନି ଯେବେ ବି ଅବସର ନିଅନ୍ତୁ, ଭାରତ ପାଇଁ ଏହା ଅପୂରଣୀୟ କ୍ଷତି ହେବ: କପିଳ
/sambad/media/post_attachments/wp-content/uploads/2020/01/kapil_dhoni_0.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)