‘ଏକଦା ଭାରତରେ ଜଣେ ବି ଦ୍ରୁତ ବୋଲର ନଥିଲେ’ ଆହ୍ବାନକୁ ଗ୍ରହଣ କରି ସଫଳ ହୋଇଥିଲେ କପିଳ

ନୂଆଦିଲ୍ଲୀ: ଏକ ସମୟରେ ଭାରତୀୟ କ୍ରିକେଟ୍‌ରେ ପେସ୍‌ ବୋଲିଂ ବିକଳ୍ପର ବିବିଧତା ରହିଥିଲା। ଆଉ ସେମାନଙ୍କ ମଧ୍ୟରୁ କେତେକ ବିଶ୍ବର ଶ୍ରେଷ୍ଠଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ହେଲେ ଅତୀତ ଉପରେ ନଜର ପକାଇଲେ ଏଭଳି ଏକ ସମୟ ଥିଲା ଯେତେବେଳେ କି ଭାରତ ଜଣେ ବିଶ୍ବସ୍ତରୀୟ ଦ୍ରୁତ ବୋଲର ଉତ୍ପନ୍ନ କରିବା ପାଇଁ ସଂଘର୍ଷ କରୁଥିଲା। ଯେଉଁଥିପାଇଁ ପ୍ରତିପକ୍ଷ ପ୍ରମୁଖ ଦଳମାନଙ୍କ ସହ ଲଢ଼ିବା ପାଇଁ ଭାରତୀୟ ଦଳକୁ ନିଜ ମାଟିରେ ମଧ୍ୟ ଦ୍ରୁତ ବୋଲିଂ ଶକ୍ତିର ଅଭାବ ରହୁଥିଲା। ତଥାପି ୧୯୭୦ ଦଶକରେ ଭାରତୀୟ ଦଳ ତା’ର ବ୍ୟାଟିଂ ସାମର୍ଥ୍ୟ ସାଙ୍ଗକୁ ପ୍ରସିଦ୍ଧ ସ୍ପିନ୍‌ ଶକ୍ତି ବଳରେ ସଫଳତା ହାତେଇ ପାରୁଥିଲା। ସେତେବେଳେ କର୍ଷଣ ଘାବ୍ରି ହୁଅନ୍ତୁ କିମ୍ବା ପରେ ମହିନ୍ଦର ଅମରନାଥ ନୂଆ ବଲ୍‌ରେ ହାତଗଣତି କିଛି ଓଭର ମଧ୍ୟମଗତି ବୋଲିଂ କରିବା ପରେ ସ୍ପିନ୍‌ ଚତୁର୍ଧମୂର୍ତ୍ତି ଆକ୍ରମଣକୁ ଆସି ଯାଉଥିଲେ। କିନ୍ତୁ ଭାରତ ଜଣେ ବିଶେଷଜ୍ଞ ଦ୍ରୁତ ବୋଲରଙ୍କୁ ପାଉନଥିଲା। ଆନ୍ତର୍ଜାତିକ ଦୃଶ୍ୟପଟ୍ଟକୁ ଯୁବ କପିଳ ଦେବଙ୍କ ଆବିର୍ଭାବ ପୂର୍ବରୁ ଭାରତରେ ଜଣେ ହେଲେ ଦ୍ରୁତ ବୋଲର ଉତ୍ପନ୍ନ ହୋଇନଥିଲେ। ଯାହାକି ମୋତେ ଜଣେ ଦ୍ରୁତ ବୋଲର ହେବାକୁ ପ୍ରେରିତ କରିଥିଲା ବୋଲି କହିଛନ୍ତି କିଂବଦନ୍ତି କପିଳ ଦେବ। ଆଉ ତାଙ୍କ ଆବିର୍ଭାବ ପରଠୁ କପିଳ ମଧ୍ୟ ବିଶ୍ବର ଅନ୍ୟତମ ଦ୍ରୁତ ବୋଲିଂ ଅଲ୍‌ରାଉଣ୍ଡର ପାଲଟି ଯାଇଥିଲେ। ସେ ମଧ୍ୟ ତାଙ୍କ ଆନ୍ତର୍ଜାତିକ ଖେଳ ଜୀବନର ସମାପ୍ତି ଘଟାଇବା ପୂର୍ବରୁ ଟେଷ୍ଟ କ୍ରିକେଟ୍‌ରେ ନ୍ୟୁଜିଲାଣ୍ଡ୍‌ ଦ୍ରୁତ ବୋଲର ରିଚାର୍ଡ ହାଡ୍‌ଲିଙ୍କ କୀର୍ତ୍ତିମାନକୁ ଅତିକ୍ରମ କରିଯାଇଥିଲେ। ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କର ମଧ୍ୟ ବାରମ୍ବାର ଉଲ୍ଲେଖ କହିଥିଲେ ଯେ ବିନା ବିଶେଷଜ୍ଞ ଦ୍ରୁତ ବୋଲରରେ ଭାରତ କିପରି ଅଡୁଆ‌ରେ ପଡୁଥିଲା ଏବଂ ଭାରତ ଯେ ଦ୍ରୁତ ବୋଲର ଉତ୍ପନ୍ନ କରିପାରିବ ସେଭଳି ଉଦାହରଣ କପିଳ ଦେବ ହିଁ ଦେଖାଇଥିଲେ।

ଏକ ସାକ୍ଷାତକାର ଅବସରରେ ଭାରତର ପ୍ରଥମ ବିଶ୍ବକପ୍‌ ବିଜେତା ଅଧିନାୟକ କପିଳ ଦେବ ସେ କାହିଁକି ନିଜକୁ ଜଣେ ଦ୍ରୁତ ବୋଲର ହେବାକୁ ଚାହିଁଥିଲେ ସେନେଇ ମନେ ପକାଇଛନ୍ତି। ପ୍ରକୃତରେ ମୁଁ ୧୯ ବଷଁରୁ କମ୍‌ ଶିବିରକୁ ଯାଇଥିଲା ବେଳେ ମନରେ ଏଭଳି ଭାବନା ଆଣିଥିଲି। ତୁମେ ଜାଣିଥିବା ଶିବିରରେ ବେଳେବେଳେ ଅଧିକାରୀମାନେ ତୁମ ପ୍ରତି କଠୋର ହୋଇଥା’ନ୍ତି। ତେଣୁ ସେଭଳି ଅଧିକାରୀମାନଙ୍କ ସହ ମୋର ମଧ୍ୟ ଯୁକ୍ତିତର୍କ ହୋଇଥିଲା। ଜଣେ ଅଧିକାରୀ ମୋତେ କହିଥିଲେ ‘‘ତୁମେ କ’ଣ ହେବାକୁ ଚାହଁ’’?। ମୁଁ କହିଲି, ମୁଁ ଜଣେ ଦ୍ରୁତ ବୋଲର। ଭାରତରେ ଜଣେ ହେଲେ ଦ୍ରୁତ ବୋଲର ନାହାନ୍ତି ବୋଲି ତାଙ୍କର ଉତ୍ତର ଥିଲା। ତେଣୁ ଉତ୍ସାହିତ କରିବା ପରିବର୍ତେ ସେ ମୋତେ ନିରୁତ୍ସାହିତ କରିଥିଲେ। ହେଲେ ମୁଁ ମୋର ଭାବନାକୁ ଆହ୍ବାନ ଭାବେ ନେଇଥିଲି ଏବଂ ଦିନେ ନି ଦିନେ ମୁଁ ନିଶ୍ଚିତ ଜଣେ ଦ୍ରୁତ ବୋଲର ହୋଇ ଦେଖାଇଦେବି ବୋଲି ନିଜକୁ ନିଜେ କହିଥିଲି। ଏପରିକି ତାଙ୍କ ମନୋଭାବକୁ ଭୁଲ୍‌ ପ୍ରମାଣିତ କରିଦେବି ବୋଲି ଚିନ୍ତା କରିଥିଲି। ସେଭଳି କିଛି ନିର୍ଦିଷ୍ଟ ନକାରାତ୍ମକ ବ୍ୟକ୍ତିଙ୍କୁ ମୁଁ ସବୁବେଳେ ଭୁଲ୍‌ ପ୍ରମାଣିତ କରିବାକୁ ଭଲ ପାଉଥିଲି। ଖାସ୍‌ ସେହି ଦୃଷ୍ଟିରୁ ହିଁ ମୁଁ ଦ୍ରୁତ ବୋଲିଂ ଉପରେ ଗୁରୁତ୍ବ ଦେଇଥିଲି। ଶେଷରେ ଏହି ପ୍ରେରଣା ହିଁ ମୋତେ ଆଗକୁ ବଢ଼ିବାରେ ସହାୟକ ହୋଇଥିଲା ବୋଲି କପିଳ ପୂର୍ବତନ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ତଥା ଏବର ମହିଳା ଦଳର ପ୍ରଶିକ୍ଷକ ଡବ୍ଲୁଭି ରମଣଙ୍କ ସହ ଏକ ୟୁଟ୍ୟୁବ୍‌ ସାକ୍ଷାତକାରରେ କହିଥିଲେ।

ଏଠାରେ ସୂଚନାଯୋଗ୍ୟ, କପିଳ ଦେବ ଭାରତ ପାଇଁ ୧୩୧ ଟେଷ୍ଟ୍‌ ଖେଳି ୫୨୪୮ ରନ୍‌ କରିଥିଲା ବେଳେ ୪୩୪ ୱିକେଟ୍‌ ଅକ୍ତିଆର କରିଥିଲେ। ସେହିପରି ଦିନିକିଆ ଆନ୍ତର୍ଜାତିକରେ ସେ ୨୫୩ ୱିକେଟ୍‌ ଦଖଲ କରିଥିଲା ବେଳେ ୩୭୮୩ ରନ୍‌ କରିଥିଲେ। ୧୯୯୦ ଦଶକରେ କପିଳ ଭାରତୀୟ କ୍ରିକେଟ୍‌ ଦଳର ପ୍ରଶିକ୍ଷକ ରହିଥିଲା ବେଳେ ପରେ ନିଜକୁ ଜଣେ ପ୍ରତିଷ୍ଠିତ କ୍ରିକେଟ୍‌ ଭାଷ୍ୟକାର କରିପାରିଥିଲେ।

ସମ୍ବନ୍ଧିତ ଖବର

Comments are closed.