ପାକିସ୍ତାନକୁ କପିଳଙ୍କ କଟାକ୍ଷ: ଅର୍ଥ ଦରକାର ଥିଲେ ସୀମା କାର୍ଯ୍ୟକଳାପ ବନ୍ଦ କର

ନୂଆଦିଲ୍ଲୀ: ଆଗ ସ୍କୁଲ୍‌ଗୁଡ଼ିକ ଖୋଲୁ; ଏହାପରେ କ୍ରିକେଟ୍‌ ଓ ଫୁଟ୍‌ବଲ୍‌ ଭଳି ଖେଳ ଆପେ ଆପେ ଆରମ୍ଭ ହୋଇପାରିବ। ତୁମେ କ’ଣ ଭାବୁଛ କ୍ରିକେଟ୍‌ ଏକମାତ୍ର ପ୍ରସଙ୍ଗ ଯାହାକୁ ନେଇ ଆମେ ସମସ୍ତେ ଆଲୋଚନା କରିପାରିବା। ମୁଁ କିନ୍ତୁ ଚାହେଁ ପ୍ରଥମେ ସ୍କୁଲ୍‌ ଓ କଲେଜ ଖୋଲିବା ଉଚିତ। ସେଗୁଡ଼ିକ କିପରି ଖୋଲିବ ସେ ଦିଗରେ ପଦକ୍ଷେପ ନେବା ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ। ବରଂ କ୍ରିକେଟ୍‌ର ପୁନଃଆରମ୍ଭ ହୋଇପାରୁନଥିବାରୁ ଏତେଟା ବିଚଳିତ ହେବା ଆବଶ୍ୟକ ନୁହେଁ। ମୁଁ ବିଶେଷକରି ବୃହତର ସ୍ବାର୍ଥ କଥା ଭାବୁଛି ବୋଲି ‘ସ୍ପୋର୍ଟସ ତକ୍‌’କୁ ଏକ ସାକ୍ଷାତକାର ବେଳେ ଏକଥା କହିଛନ୍ତି କିଂବଦନ୍ତି ଭାରତୀୟ ଅଲ୍‌ରାଉଣ୍ଡର ତଥା ବିଶ୍ବକପ୍‌ ବିଜେତା ଅଧିନାୟକ କପିଳ ଦେବ।

ଏହି ସାକ୍ଷାତକାର ଅବସରରେ ଭାରତ ଓ ପାକିସ୍ତାନ ଦଳ ମଧ୍ୟରେ ଦ୍ବିପାକ୍ଷିକ କ୍ରୀଡ଼ା ଶୃଙ୍ଖଳାର ପୁନଃଆରମ୍ଭ ନେଇ କ୍ଷୋଭ ପ୍ରକାଶ କରିଥିଲେ। ସାଂପ୍ରତିକ କରୋନା ମହାମାରୀ ବିପକ୍ଷ ଲଢ଼େଇ ବେଳେ ପାଣ୍ଠି ସଂଗ୍ରହ ପାଇଁ ଉଭୟ ଦେଶ ମଧ୍ୟରେ କ୍ରିକେଟ୍‌ ଶୃଙ୍ଖଳା ଖେଳିବାକୁ ପାକିସ୍ତାନର କିଛି କ୍ରିକେଟର୍‌ ପ୍ରସ୍ତାବ ବାଢ଼ିଥିଲେ। ହେଲେ ପାଣ୍ଠି ସଂଗ୍ରହ ପାଇଁ ଭାରତ-ପାକିସ୍ତାନ ଏବେ ମ୍ୟାଚ୍‌ ଖେଳିବା କଥା ବୋଲି ଭାବପ୍ରବଣ ହୋଇ ତୁମେ କହିପାର। କିନ୍ତୁ ମ୍ୟାଚ୍‌ ଖେଳିବା ହିଁ ଏବର ସମୟରେ ପ୍ରମୁଖ ସୂତ୍ର ନୁହେଁ ବୋଲି ରୋକ୍‌ଠୋକ୍‌ ଭାବେ କଟାକ୍ଷ କରିଛନ୍ତି କପିଳ ଦେବ। କପିଳଙ୍କ କହିବା କଥା ହେଲା ଯଦି ତୁମର ଅର୍ଥ ଆବଶ୍ୟକ ତାହାଲେ ଆଗ ସୀମାରେ କାର୍ଯ୍ୟକଳାପକୁ ବନ୍ଦ କର। ସେବାବଦରେ ଯେଉଁ ଅର୍ଥ ବ୍ୟୟ କରୁଛ ବରଂ ତାହାକୁ ହସ୍ପିଟାଲ ଓ ସ୍କୁଲ୍‌ ନିର୍ମାଣରେ ବିନିଯୋଗ କର ବୋଲି କପିଳ ପରାମର୍ଶ ଦେଇଛନ୍ତି। ଆଉ ଯଦି ଆମେ ପ୍ରକୃତରେ ଅର୍ଥ ଚାହୁଁଛେ, ତାହାଲେ ଆମର ବହୁ ଧାର୍ମିକ ସଂଗଠନ ରହିଛି। ସେମାନେ ଏବେ ଆଗକୁ ଆସିବା ଦରକାର। ଏହା କ’ଣ ତାଙ୍କର ଦାୟିତ୍ବ ନୁହେଁ କି? ବୋଲି କପିଳ କହିଛନ୍ତି। ଆମେ ଯେତେବେଳେ ଧାର୍ମିକ ପୀଠ ବୁଲିବାକୁ ଯାଉଛୁ ସେତେବେଳେ ଯଥେଷ୍ଟ ଦାନ ଦେଉଛୁ। ତେଣୁ ସେମାନେ ଏବେ ସରକାରକୁ ସହାୟତା କରିବା ଉଚିତ ବୋଲି କପିଳ ପାକିସ୍ତାନ ଉଦ୍ଦେଶ୍ୟରେ କହିଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ୍‌ ଅଖତର ଦୁଇ ଦଳ ମଧ୍ୟରେ ମ୍ୟାଚ୍‌ ଖେଳିବାର ପ୍ରସ୍ତାବ ବାଢ଼ିଥିଲେ। ଏଥିରୁ ସଂଗୃହୀତ ପାଣ୍ଠି ବଳରେ ପାକିସ୍ତାନର ସଂଖ୍ୟାଧିକ ଜନସାଧାରଣଙ୍କ ଜୀବନଧାରଣ ସହଜ ହୋଇପାରିବ ବୋଲି ସେ କହିଥିଲେ। ପୁଣି ଏବର ସଂକଟଜନକ ସମୟରେ ସମସ୍ତଙ୍କ ଆର୍ଥିକ ସ୍ଥିତି ଦୋହଲିଯାଇଛି। ତେଣୁ ସମସ୍ତେ ଏକାଠି ଆମର ମୁଣ୍ଡ ଉପରକୁ କରିବା ସହିତ ରାଜସ୍ବ ସଂଗ୍ରହ ବ୍ୟବସ୍ଥା କରିବାର ସମୟ ବୋଲି ଅଖ୍‌ତର କହିଥିଲେ। ହେଲେ ଏହାକୁ ନେଇ ଅଖ୍‌ତର ଓ କପିଳଙ୍କ ମଧ୍ୟରେ ବାକ୍‌ବିତଣ୍ଡା ଲାଗି ରହିଥିଲା। କପିଳ ଦେବ କହିଥି‌ଲେ, ଭାରତ ପାଖରେ ଯଥେଷ୍ଟ ଅର୍ଥ ମହଜୁଦ୍ ରହିଛି। ତା’ର ଏବେ ଅର୍ଥ ଦରକାର ନାହିଁ। ତେଣୁ ପାକିସ୍ତାନ ସହ କ୍ରିକେଟ୍‌ ଖେଳିବା କଥା ଭୂଲିଯାଅ। ତଥାପି ତୁମ ପ୍ରସ୍ତାବ ବିଚାରଯୋଗ୍ୟ ବୋଲି କପିଳ କହିଥିଲେ। ଅନ୍ୟପକ୍ଷରେ ମୁଁ ଭାବୁଛି, କପିଳ ଭାଇ ମୋ କଥାକୁ ଠିକ୍‌ ଭାବେ ବୁଝିପାରିନଥିଲେ। ସେଥିପାଇଁ ଏମିତି କହିଲେ ବୋଲି ଅଖ୍‌ତର କହିଥିଲେ।

ସମ୍ବନ୍ଧିତ ଖବର