ନୂଆଦିଲ୍ଲୀ: ୧୯୮୩ ମସିହାରେ ଭାରତକୁ ପ୍ରଥମ ଥର ବିଶ୍ବକପ୍ ବିଜେତା କରାଇଥିବା ଅଧିନାୟକ କପିଳ ଦେବଙ୍କୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ୍ ସୁନୀଲ ଗାଭାସ୍କର ଭାରତ ସୃଷ୍ଟି କରିଥିବା ମହାନ ଅଲରାଉଣ୍ଡର୍ ଆଖ୍ୟା ଦେଇଛନ୍ତି। ସେ ଉଭୟ ବ୍ୟାଟ୍ ଓ ବଲ୍ରେ ମ୍ୟାଚ୍ ବିଜେତା ହୋଇପାରନ୍ତି। ସେତେବେଳେ ଆଇପିଏଲ୍ ଥିଲେ ତାଙ୍କ ମୂଲ୍ୟ ନିଶ୍ଚିତ ୨୫ କୋଟି ହୋଇଥାନ୍ତା ବୋଲି ମଧ୍ୟ ମତ ରଖିଛନ୍ତି ଗାଭାସ୍କର। କପିଳ ଦେବ ନିଶ୍ଚିତ ସବୁଠୁ ଦାମୀ ଖେଳାଳି ହୋଇଥାନ୍ତେ ଏବଂ ବର୍ତମାନ ଆଲୋଚନା ହେଉଥିବା ୭/୮କୋଟିଠାରୁ ଢେର ଆଗରେ ରହିଥାନ୍ତେ ବୋଲି କହିଛନ୍ତି ଗାଭାସ୍କର। ଜିମ୍ବାୱେ ବିପକ୍ଷରେ କପିଳ ଖେଳିଥିବା ୧୭୫* ରନ୍ର ମହାକାୟ ପାଳିକୁ ଗାଭାସ୍କର କହିଛନ୍ତି ‘ମୁଁ ଦେଖିଥିବା ପାଳି ମଧ୍ୟରୁ ଶ୍ରେଷ୍ଠ’। ଦିନିକିଆ କ୍ରିକେଟରେ ମୁଁ ଦେଖିଥିବା ପାଳି ମଧ୍ୟରୁ ଏହା ସର୍ବଶ୍ରେଷ୍ଠ। ମୁଁ ମୋ ଖେଳ ଜୀବନରେ କି ଭାଷ୍ୟକାର ଜୀବନରେ ଆଜି ପର୍ଯ୍ୟନ୍ତ ଏଭଳି ପାଳି ଦେଖିନାହିଁ’। ଭାରତ ଅତି ଦୟନୀୟ ସ୍ଥିତି ୧୭/୫ରେ ଥିବାବେଳେ ଭୟଙ୍କର ଥଣ୍ଡା ପରିବେଶରେ କପିଳଙ୍କ ଏଭଳି ପାଳି ଚର୍ଚିତ ରହି ଆସିଛି। ଏକ ସମୟରେ ଲାଗୁଥିଲା ଭାରତ ୬୦/୭୦ ରନ୍ରେ ସୀମିତ ହୋଇଯିବ। କିନ୍ତୁ କପିଳଙ୍କ ପାଳି ବଳରେ ଭାରତ ସେହି ମ୍ୟାଚ୍କୁ ବଡ଼ ବ୍ୟବଧାନରେ ଜିତିଥିଲା। ଅଧିକାଂଶ ସମୟ କପିଳ ଦେବ ନିଜ ବକ୍ତବ୍ୟରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଦେଶ ସୃଷ୍ଟି କରିଥିବା ଶ୍ରେଷ୍ଠ ଖେଳାଳି ବୋଲି ଆଖ୍ୟା ଦେଇଥାନ୍ତି। ଧୋନି ୯୦ ଟେଷ୍ଟ୍ ଖେଳିବା ପରେ ଯୁବ ଖେଳାଳିଙ୍କ ପାଇଁ ସୁଯୋଗ ଦେବା ଉଚିତ୍ ବୋଲି କପିଳ ଥରେ କହିଥିଲେ। ଧୋନି ତାହା ହିଁ କରିଥିଲେ। ଧୋନିଙ୍କ ଅଧୀନରେ ଭାରତ ୩ ପ୍ରମୁଖ ଆଇସିସି ପ୍ରତିଯୋଗିତା ଟି-୨୦ ବିଶ୍ବକପ୍ (୨୦୦୭), ଆଇସିସି ବିଶ୍ବକପ୍ (୨୦୧୧) ଏବଂ ଚାମ୍ପିଅନ୍ସ ଟ୍ରଫି (୨୦୧୩) ଜିତିବା ସହିତ ପ୍ରଥମ ଥର ଟେଷ୍ଟ୍ ମାନ୍ୟତାରେ ଶୀର୍ଷକୁ ଉଠିଥିଲା।
କପିଳଙ୍କ ଆଇପିଏଲ୍ ମୂଲ୍ୟ ୨୫ କୋଟି: ଗାଭାସ୍କର
/sambad/media/post_attachments/wp-content/uploads/2018/12/kapil-dev-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)