ଦ୍ରାବିଡ଼ ପ୍ରଶିକ୍ଷକ ‌ହେବା ପଛରେ କପିଳଙ୍କ ପରାମର୍ଶ ‘ଭାରତରେ ଉଦୀୟମାନ କ୍ରିକେଟର୍‌ଙ୍କ ଜୀବନ ଅତ୍ୟନ୍ତ କଷ୍ଟକର’

ଚେନ୍ନାଇ: ‘ଦି ୱାଲ’ ରାହୁଲ ଦ୍ରାବିଡ଼ ଏକଦା ଭାରତୀୟ ବ୍ୟାଟିଂକ୍ରମର ଅଭେଦ୍ୟ ପ୍ରାଚୀର ଥିଲେ। ଅଧିନାୟକ, ୱିକେଟ୍ ରକ୍ଷକ, ସଙ୍କଟମୋଚକ ଏଭଳି ବିଭିନ୍ନ ଭୂମିକା ତୁଲାଇବା ପରେ ଶେଷରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୪,୦୦୦ରୁ ଅଧିକ ରନ୍ କରି ସେ ଅବସର ଘୋଷଣା କରିଥିଲେ। ଅବସର ପରେ ତାଙ୍କ ପାଖରେ ଅନେକ ବିକଳ୍ପ ଥିଲା। ହେଲେ ଭାରତୀୟ ଯୁବ କ୍ରିକେଟରଙ୍କୁ ଉଚିତ ମାର୍ଗଦର୍ଶନ ଦେବାର ଲକ୍ଷ୍ୟ ନେଇ ଦ୍ରାବିଡ଼ କନିଷ୍ଠ କ୍ରିକେଟ୍ ପ୍ରଶିକ୍ଷକ ଭାବେ ନୂଆ ଜୀବନ ଆରମ୍ଭ କରିଥିଲେ। ଖେଳାଳି ଭାବେ ସେ ଯେତିକି ସଫଳତା ଲାଭ କରିଥିଲେ ପ୍ରଶିକ୍ଷକ ଭାବେ ମଧ୍ୟ ସେତିକି ସଫଳତା ପାଇ ନିଜର ଏକାଗ୍ରତା ଓ ଭାରତୀୟ କ୍ରିକେଟ୍‌କୁ ଭଲ ପାଇବାର ବଳିଷ୍ଠ ପ୍ରମାଣ ଦେଇଥିଲେ। ତେବେ ଅନ୍ୟ କେତେକ ସାଥୀ ଖେଳାଳିଙ୍କ ଭଳି ଅବସର ପରେ ଭାଷ୍ୟକାର କିମ୍ବା କ୍ରିକେଟ୍ ବିଶେଷଜ୍ଞ ହେବାର ବିକଳ୍ପକୁ ସେ କାହିଁକି ବାଛିଲେନି ବୋଲି ହୋଇଥିବା ପ୍ରଶ୍ନର ଉତ୍ତର ଦେଇ ଦ୍ରାବିଡ଼ ଏକ ରୋଚକ କଥା ଉପରୁ ପରଦା ଉଠାଇଛନ୍ତି। ପ୍ରକୃତରେ ଅବସର ପର ଜୀବନକୁ ପ୍ରଶିକ୍ଷକ ଭାବେ କଟାଇବାକୁ ତାଙ୍କୁ ଭାରତୀୟ କ୍ରିକେଟ୍‌ର ଅନ୍ୟତମ ମହାନାୟକ କପିଳ ଦେବ ପରାମର୍ଶ ଦେଇଥିଲେ ବୋଲି ସେ ସୂଚନା ଦେଇଛନ୍ତି। ଦ୍ରାବିଡ଼ କହିଛନ୍ତି ଯେ ଅବସର ନେବା ପରେ ମୋ ପାଖରେ ଅନେକ ବିକଳ୍ପ ଥିଲା। ହେଲେ ସେଥିମଧ୍ୟରୁ କୌଣସି ଗୋଟିକୁ ବାଛିବା ମୋ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା। ଖେଳ ଜୀବନର ଶେଷ ଭାଗରେ କପିଳ ଦେବ ହିଁ ମୋତେ ଏଭଳି ପରାମର୍ଶ ଦେଇଥିଲେ। ପ୍ରଶିକ୍ଷଣ ଦୁନିଆରେ ପାଦ ଥାପିବାକୁ ସେ ହିଁ ମୋତେ ପରୋକ୍ଷରେ ଉତ୍ସାହିତ କରିଥିଲେ। ଥରେ ଅକସ୍ମାତ ତାଙ୍କ ସହ ମୋର ଦେଖା ହୋଇଯାଇଥିଲା। ସେ କହିଥିଲେ ରାହୁଲ ହଠାତ୍ କିଛି କରିବା ଆରମ୍ଭ କରିଦିଅନ୍ତି। କିଛି ବର୍ଷ କେବଳ ନୂଆ ନୂଆ କାମ କର, ଅନ୍ବେଷଣରେ ମନ ଦିଅ, ତା ପରେ ତୁମକୁ ଯେଉଁ କାମଟି ସବୁଠାରୁ ବେଶି ଭଲ ଲାଗିବ ତାହା କର। ମୁଁ ଭାବିଥିଲି ଏହା ଏକ ଭଲ ପରାମର୍ଶ। ସେଥିପାଇଁ ଅନ୍ତର୍ଜାତୀୟ ଖେଳ ଜୀବନ ଶେଷ ହେବାର କିଛି ଋତୁ ପୂର୍ବରୁ ରାଜସ୍ଥାନ ରୟାଲ୍ସର ଅଧିନାୟକ ସହ କେତେକାଂଶରେ ପ୍ରଶିକ୍ଷକ ଦାୟିତ୍ବ ବି ତୁଲାଇଥିଲି।

ପୂର୍ବତନ ଭାରତୀୟ କ୍ରିକେଟର ଏବଂ ଭାରତୀୟ ମହିଳା ଦଳର ବର୍ତ୍ତମାନର ପ୍ରଶିକ୍ଷକ ଡବ୍ଲ୍ୟୁଭି ରମଣଙ୍କୁ ସାକ୍ଷାତକାର ଦେଇ ଭାରତୀୟ ଦିନିକିଆ ଦଳରୁ ବାଦ ପଡ଼ିବା ଏବଂ ଅଧିନାୟକ ଭାବେ ଫେରିବାର ଅଭିଜ୍ଞତାକୁ ବର୍ଣ୍ଣନା କରିଥିଲେ ଦ୍ରାବିଡ଼। ସେହିଭଳି ଷ୍ଟ୍ରାଇକ୍ ରେଟ୍ ହିଁ ସେ ଦଳରୁ ବାଦ ପଡ଼ିବାର ମୁଖ୍ୟ କାରଣ ଥିଲା ବୋଲି କହିଥିଲେ ଦ୍ରାବିଡ୍‌। ‘‘ମୋ ଅନ୍ତର୍ଜାତୀୟ ଖେଳ ଜୀବନରେ ଏମିତି ବି ସମୟ ଆସିଥିଲା ଯେତେବେଳେ ମୁଁ ନିଜକୁ ଅତ୍ୟନ୍ତ ଅସୁରକ୍ଷିତ ମନେ କରିଥିଲି। ୧୯୯୮ ମସିହାରେ ‌ମୁଁ ଦିନିକିଆ ଦଳରୁ ବାଦ୍ ପଡ଼ିଥିଲି। ବର୍ଷକ ପାଇଁ ଭାରତୀୟ କ୍ରିକେଟ୍‌ରୁ ଦୂରେଇ ରହିଥିଲି। ଦଳକୁ ଫେରିବା ଲାଗି ମୋତେ ଢେର କିଛି ସମୟ ଲଢ଼େଇ କରିବାକୁ ପଡ଼ିଥିଲା। ଦିନିକିଆ କ୍ରିକେଟ୍ ପାଇଁ ମୁଁ ଯୋଗ୍ୟ ନା ନାହିଁ, ସେ ଭାବନା ମଧ୍ୟ ମନରେ ଆସିଥିଲା। ମୁଁ ସବୁବେଳେ ଜଣେ ଟେଷ୍ଟ୍ ଖେଳାଳି ହେବାକୁ ସ୍ବପ୍ନ ଦେଖିଥିଲି। ମୋତେ ସେହିଭଳି ହିଁ ପ୍ରଶିକ୍ଷଣ ଦିଆଯାଇଥିଲା। ସବୁବେଳେ ପଡ଼ିଆକୁ ସଟ୍ ମାର, ପବନରେ ଓ ଉପରକୁ ଉଠେଇ ‌ଖେଳନି ବୋଲି କୁହାଯାଇଥିଲା। ଏଣୁ ଦିନିକିଆରେ ଦରକାର ହେଉଥିବା ସଟ୍ ଖେଳିବା ଦକ୍ଷତା ମୋ ପାଖରେ ଅଛି କି ନାହିଁ ସେ ଭାବନା କେବେ କେବେ ବିଚଳିତ କରୁଥିଲା’’ ବୋଲି ଦ୍ରାବିଡ଼ ମତ ରଖିଥିଲେ। ସେହିଭଳି ଜଣେ ଉଦୀୟମାନ କ୍ରିକେଟର ଭାବେ ସେ ସହିଥିବା ଅସୁରକ୍ଷିତ ଭାବନା ଓ ସମସ୍ୟାକୁ ମଧ୍ୟ ଦ୍ରାବିଡ଼ ଏହି ଅବସରରେ ଖୋଲି କହିଥିଲେ। ‘‘ଜୀବନର ଅନେକ ପର୍ଯ୍ୟାୟରେ ମୁଁ ନିଜକୁ ଅସୁରକ୍ଷିତ ମନେକରିଛି। ଭାରତରେ ଜଣେ କ୍ରିକେଟର ଭାବେ ବଢ଼ିବା ଆଦୌ ସହଜ ନୁହେଁ। ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେଉଥିଲା। ବିଶେଷ କରି ମୋ ପିଢ଼ିର କ୍ରିକେଟରଙ୍କ ପାଇଁ କେବଳ ରଣଜୀ ଟ୍ରଫି ହିଁ ଏକମାତ୍ର ଆଶା ଓ ଭରସା ଥିଲା। ଆଇପିଏଲ୍ ନଥିଲା। ରଣଜୀ ଟ୍ରଫିରେ ମିଳୁଥିବା ପାଉଣା ଏତେ କମ ଥିଲା ଯେ ଅର୍ଥ ମଧ୍ୟ ଏକ ଆହ୍ବାନ ଭାବେ ଉଭା ହେଉଥିଲା। ଖେଳ ପାଇଁ ଆପଣଙ୍କୁ ନିଜ ପାଠପଢ଼ାକୁ ଉତ୍ସର୍ଗ କରିବାକୁ ପଡ଼ିଥାଏ। ମୁଁ ପାଠରେ ସେତେଟା ଖରାପ ନଥିଲି। ଏଣୁ ମୁଁ ସହଜରେ ଏମ୍‌ବିଏ ବା ଅନ୍ୟକିଛି କରି ପାରିଥାଆନ୍ତି। ହେଲେ ମୁଁ ସେସବୁ ଛାଡ଼ି ଦେଇଥିଲି। ଏଣୁ କ୍ରିକେଟ୍‌ରେ ଯଦି କିଛି କରି ପାରିନଥାଆନ୍ତି, ଏହା ମୋ ପାଇଁ ଏକ ଶକ୍ତ ଧକ୍କାଠାରୁ କିଛି କମ୍ ହୋଇନଥାଆନ୍ତା। ସେହି ବୟସରେ ଏସବୁ ଅସୁରକ୍ଷିତ ଭାବନା ମନରେ ଉଙ୍କି ମାରୁଥିଲା। ମୋତେ ଏବେ ଏହା ବେଶ୍ ସହାୟ ହେଉଛି। ଏବେକାର ପିଢ଼ିର ଖେଳାଳିଙ୍କ ଅସୁରକ୍ଷିତ ଭାବନାକୁ ମୁଁ ଭଲ ଭାବରେ ବୁଝି ପାରୁଛି’’ ବୋଲି ଦ୍ରାବିଡ଼ ଆବେଗପୂର୍ଣ୍ଣ କଷ୍ଠରେ କହିଥିଲେ। ସୂଚନାଯୋଗ୍ୟ ଯେ ଦ୍ରାବିଡ଼ଙ୍କ ପ୍ରଶିକ୍ଷଣରେ ଭାରତ ୧୯ ବର୍ଷରୁ କମ୍ ବିଶ୍ବକପ୍ ଜିତିଥିଲା ବେଳେ ଭାରତୀୟ ‘ଏ’ ଦଳ ମଧ୍ୟ ତାଙ୍କ ପ୍ରଶିକ୍ଷଣରେ ବହୁତ ଭଲ ପ୍ରଦର୍ଶନ କରିଛି। ସଂପ୍ରତି ସେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡମିର ନିର୍ଦ୍ଦେଶକ ଅଛନ୍ତି।

ସମ୍ବନ୍ଧିତ ଖବର