ବର୍ଲିନ : ପୂର୍ବତନ ଏକ ନମ୍ବର ମହିଳା ଟେନିସ ଖେଳାଳି ଆଞ୍ଜେଲିକ୍ କର୍ବର ଗତ ସପ୍ତାହରେ ମାତୃତ୍ବ ଲାଭ କରିଛନ୍ତି। ୩ ଥରର ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ କର୍ବର ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ନିଜ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ସେ ନବଜାତକ ଶିଶୁ କନ୍ୟାର ହାତକୁ ତାଙ୍କ ସାଥୀ ଫ୍ରାଙ୍କୋ ବିଆନ୍କୋ ଧରି ଥିବାର ଏକ ସୁନ୍ଦର ଫଟୋକୁ ଟ୍ବିଟର୍ରେ ଛାଡ଼ିଛନ୍ତି।
ଏହାର ଶିରୋନାମାରେ କର୍ବର ଲେଖିଛନ୍ତି ଯେ ‘‘ଆମ ପରିବାର ଲିଆନା (୨୫/୨/୨୩)ଙ୍କୁ ସ୍ବାଗତ କରୁଛି। ତୁମ ସହିତ ରହିବାର ସୁନ୍ଦର ଅନୁଭବ ମିଳିବ। ଯାହାକୁ ଆମେ କଳ୍ପନା କରିନଥିଲୁ’’। ଗତ ବର୍ଷ ଅଗଷ୍ଟରେ କର୍ବର ଗର୍ଭବତୀ ଥିବା ସୂଚନା ଦେଇଥିଲେ। ଏଥିପାଇଁ ସେ ୨୦୨୨ ୟୁଏସ୍ ଓପନ୍ ଓ ଚଳିତ ବର୍ଷ ଅଷ୍ଟ୍ରେଲିଆନ୍ ଓପନ୍ ଖେଳିନଥିଲେ।