କପିଳଙ୍କ ସହ କ୍ରିକେଟ୍ ଖେଳିଲେ କରିନା

ନୂଆଦିଲ୍ଲୀ : ଜୀ’ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ସୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ର ସପ୍ତମ ସଂସ୍କରଣରେ ବଲିଉଡ୍ ଅଭିନେତ୍ରୀ କରିନା କାପୁର ମହାନ କ୍ରିକେଟର କପିଳ ଦେବଙ୍କ ସହ କ୍ରିକେଟ୍ ଖେଳିଲେ। କପିଳ ଏହି ସୋ’ର ଏକ ଅଧ୍ୟାୟରେ ସ୍ବତନ୍ତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେବା ଅବସରରେ କରିନା ତାଙ୍କ କ୍ରିକେଟ୍ ଦକ୍ଷତାର ଝଲକ ଦେଖାଇଥି‌ଲେ। କପିଳ ବୋଲିଂ କରିଥିବା ବେଳେ ଗୋଲାପୀ ଶାଢ଼ି ପିନ୍ଧି ବେଶ୍ ଆକର୍ଷଣୀୟ ଦେଖା ଯାଉଥିବା କରିନା ବ୍ୟାଟିଂ କରିଥିଲେ। ସେଟ୍‌ରେ ଉପସ୍ଥିତ ଥିବା ଦର୍ଶକ ତାଙ୍କୁ ଉତ୍ସାହିତ କରିଥିଲେ। ‌ଉପସ୍ଥାପକ କରଣ ବାହି ୱିକେଟ୍ ରକ୍ଷକ ଥିଲେ। କରିନା ମଧ୍ୟ କପିଳଙ୍କ ଏକ ବଲ୍‌କୁ ଜୋରଦାର ପ୍ରହାର କରିଥିଲେ। ଏହା ପରେ କପିଳଙ୍କୁ କରିନା ବୋଲିଂ କରିଥିଲେ ଏବଂ କପିଳ ସୁନ୍ଦର ଭାବେ ଏହାକୁ ଖେଳି ନେଇଥିଲେ।

ସୋ’ର ଏହି ଅଧ୍ୟାୟ ଅବଶ୍ୟ ଏପର୍ଯ୍ୟନ୍ତ ପ୍ରସାରିତ ହୋଇନାହିଁ। ହେଲେ ଏହାର ପ୍ରମୋ ଚ୍ୟାନେଲ ପକ୍ଷରୁ ପ୍ରସାରିତ କରାଯାଇଛି। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହା ଚର୍ଚିତ ହେବାରେ ଲାଗିଛି। କପିଳ ମଧ୍ୟ କରିନାଙ୍କ ପୁଅ ତୈମୁରଙ୍କ ପାଇଁ ତାଙ୍କ ଅଟୋଗ୍ରାଫ ଥିବା ବ୍ୟାଟ୍ ଉପହାର ଦେଉଥିବା ପ୍ରମୋରେ ଦେଖିବାକୁ ମିଳିଛି। କରିନା ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ରିଅଲିଟି ‌ସୋ’ରେ ସେଲିବ୍ରେଟି ବିଚାରପତିର ଦାୟିତ୍ବ ତୁଲାଉଛନ୍ତି।

ତୈମୁରକୁ କ୍ରିକେଟର କରିବାକୁ ଚାହାନ୍ତି

ମହାନ କ୍ରିକେଟର କପିଳ ଦେବ ଆସିଥିବା ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ଏହି ଅଧ୍ୟାୟର ସୁଟିଂ ଅବସରରେ କରିନା ନିଜ ପୁଅ ତୈମୁରକୁ ଅଭିନେତା ନୁହେଁ କ୍ରିକେଟର କରିବାକୁ ଚାହାନ୍ତି ବୋଲି କହିଥିଲେ। କପିଳ ତାଙ୍କୁ ନିଜ ଦସ୍ତଖତ ଥିବା ବ୍ୟାଟ୍ ଉପହାର ଦେବା ପରେ ଏହାକୁ କରିନା ନିଜ ଜୀବନର ସବୁଠାରୁ ବଡ଼ ଉପହାର ଭାବେ ବର୍ଣ୍ଣନା କରିଥିଲେ। କରିନା ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ବିବାହ କରିଛନ୍ତି। ସୈଫଙ୍କ ପିତା ମନସୁର ଅଲ୍ଲୀ ଖାନ୍ ପଟୋଦୌ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଥିଲେ। ତାଙ୍କ ମା’ ଶର୍ମିଳା ଟା‌‌ଗୋର କିନ୍ତୁ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ। ତେବେ ପିତା ସୈଫ ଓ ଜେଜେ ମା’ ଶର୍ମିଳାଙ୍କ ପଦାଙ୍କ ଅନୁସରଣ ନ କରି ଜେଜେ ବାପା ମନସୁର ଅଲ୍ଲୀ ଖାନ୍ ପଟୌଦିଙ୍କ ଭଳି ତୈମୁର ଜଣେ କ୍ରିକେଟର ହେଲେ ସେ ଅଧିକ ଖୁସି ହେବେ ବୋଲି କରିନା ଏହି ଅବସରରେ କହିଥିଲେ।

ସମ୍ବନ୍ଧିତ ଖବର