କର୍ଣ୍ଣାଟକ ଜିତିଲା ବିଜୟ ହଜାରେ ଟ୍ରଫି : ମୟଙ୍କଙ୍କ କୀର୍ତିମାନ

ଗୋଟିଏ ଋତୁରେ ୨୦୦୦ ରନ୍‌ ପୂରଣ କରିବାରେ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ: ମୟଙ୍କ ଅଗ୍ରଓ୍ଵାଲଙ୍କ କୀର୍ତିମାନଭରା ପ୍ରଦର୍ଶନ ବଳରେ କର୍ଣ୍ଣାଟକ ଚଳିତ ଋତୁର ବିଜୟ ହଜାରେ ଟ୍ରଫି ଜିତି ନେଇଛି। ସ୍ଥାନୀୟ ଫିରୋଜ ଶାହା କୋଟଲା ପଡ଼ିଆରେ ମଙ୍ଗଳବାର ଖେଳାଯାଇଥିବା ଫାଇନାଲ୍‌ରେ ଚେତେଶ୍ୱର ପୂଜାରାଙ୍କ ନେତୃତ୍ୱାଧୀନ ସୌରାଷ୍ଟ୍ରକୁ ୪୧ ରନ୍‌ରେ ପରାସ୍ତ କରି କରୁଣ ନାୟାରଙ୍କ କର୍ଣ୍ଣାଟକ ବିଜେତା ହୋଇଛି। ଏଥି ସହିତ କର୍ଣ୍ଣାଟକ ମଧ୍ୟ ତୃତୀୟ ଥର ଲାଗି ବିଜୟ ହଜାରେ ଟ୍ରଫି କରାୟତ କରିଛି। ଏହା ପୂର୍ବରୁ କର୍ଣ୍ଣାଟକ ୨୦୧୩-୧୪ ଏବଂ ୨୦୧୪-୧୫ରେ ଲଗାତାର ଟ୍ରଫି ଜିତିଥିଲା। ବିଶେଷକରି ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ମୟଙ୍କ ଅଗ୍ରଓ୍ଵାଲ୍‌ଙ୍କ ଦମ୍‌ଦାର ପ୍ରଦର୍ଶନ ହିଁ ଦଳକୁ ବିଜେତା କରାଇବାରେ ପ୍ରମୁଖ ଭୂମିକା ନେଇଛି। ୨୭ ବର୍ଷ ବୟସ୍କ ମୟଙ୍କ ବିଜୟ ହଜାରେ ଟ୍ରଫିରେ ମୋଟ ୮ ମ୍ୟାଚ୍‌ ଖେଳି ୩ ଶତକ ଓ ୪ ଅର୍ଧଶତକ ବଳରେ ୭୨୩ ରନ୍‌ କରିଛନ୍ତି। ପ୍ରଥମରୁ ଅଷ୍ଟମ ତଥା ଫାଇନାଲ୍‌ ପର୍ଯ୍ୟନ୍ତ ପ୍ରତି ମ୍ୟାଚ୍‌ରେ ମୟଙ୍କଙ୍କ ସ୍କୋର୍‌ ଥିଲା। ୧୦୯, ୮୪, ୨୮, ୧୦୨, ୮୯, ୧୪୦, ୮୧ ଓ ୮୦। ପୁଣି ବିଜୟ ହଜାରେ ଟ୍ରଫିକୁ ମିଶାଇ ଚଳିତ ଋତୁରେ ସବୁ ଫର୍ମାଟ୍‌ରେ ମୋଟ ୨୧୪୧ ରନ୍‌ ସଂଗ୍ରହ କରିଛନ୍ତି। ଫଳରେ ମୟଙ୍କ ଗୋଟିଏ ଘରୋଇ ଋତୁରେ ୨୦୦୦ ରନ୍‌ ପୂରଣ କରିବାରେ ପ୍ରଥମ ଭାରତୀୟ ଖେଳାଳି ଭାବେ କୀର୍ତିମାନ ରଚିଛନ୍ତି।
ଚଳିତ ବିଜୟ ହଜାରେ ଟ୍ରଫି ଫାଇନାଲ୍‌ରେ ଟସ୍‌ ଜିତି ସୌରାଷ୍ଟ୍ର ପ୍ରଥମେ କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲା। ବୋଲର ଓ କ୍ଷେତ୍ରରକ୍ଷକ ମିଳିତ ଭାବେ ତୃତୀୟ ଓଭର ମଧ୍ୟରେ କର୍ଣ୍ଣାଟକର ଦୁଇ ଆନ୍ତର୍ଜାତିକ ତାରକା ଅଧିନାୟକ କରୁଣ ନାୟାର (୦) ଓ ଓ୍ଵିକେଟ୍‌ ରକ୍ଷକ ଲୋକେଶ ରାହୁଲ୍‌ (୦)ଙ୍କୁ ଖାତା ଖୋଲିବାକୁ ନଦେଇ ପାଭିଲିୟନ୍‌ ପଠାଇ ଦେଇଥିଲେ। ହେଲେ ମୟଙ୍କ ଓ ରବି କୁମାର ସମର୍ଥ କ୍ରିଜ୍‌ରେ ଜମିରହି ତୃତୀୟ ଓ୍ଵିକେଟ୍‌ରେ ୧୩୬ ରନ୍‌ ଯୋଡ଼ି ସ୍ଥିତି ସମ୍ଭାଳି ନେଇଥିଲେ। ମୟଙ୍କ (୯୦ ରନ୍‌, ୭୯ ବଲ୍‌, ୧୧ ଚୌକା ଓ ୩ ଛକା) ଶତକରୁ ବଞ୍ଚିତ ହୋଇଥିଲା ବେଳେ ସମର୍ଥ (୪୮ ରନ୍‌) ଅର୍ଧଶତକରୁ ମଧ୍ୟ ବଞ୍ଚିତ ହୋଇଥିଲେ। ଏମାନଙ୍କ ବ୍ୟତୀତ ପବନ ଦେଶପାଣ୍ଡେ (୪୯) ଗୋଟିଏ ରନ୍‌ ପାଇଁ ଅର୍ଧଶତକରୁ ବଞ୍ଚିତ ହୋଇଥିଲା ବେଳେ ଶ୍ରେୟସ ଗୋପାଳ (୩୧ ରନ୍‌, ୨୮ ବଲ୍‌, ୬ ଚୌକା) ଓ ଶ୍ରୀନାଥ ଅରବିନ୍ଦ (୧୩ ରନ୍‌) ଉପଯୋଗୀ ପାଳି ଖେଳି କର୍ଣ୍ଣାଟକ ସ୍କୋର୍‌ ୨୫୦ ପାରି କରାଇଥିଲେ। ତେବେ ସ୍ପିନର କମଲେଶ ମକ୍‌ଓ୍ଵାନା (୪/୩୫) ଓ ପ୍ରେରକ ମଙ୍କଡ଼ (୨/୫୪)ଙ୍କ ସଫଳତା ଯୋଗୁଁ କର୍ଣ୍ଣାଟକ ପାଳି ୪୫.୫ ଓଭରରେ ୨୫୩ରେ ଅଟକି ଯାଇଥିଲା। ଜବାବରେ ପୂଜାରାଙ୍କ ଅଧିନାୟକ ପାଳି (୯୪ ରନ୍‌, ୧୨୭ ବଲ୍‌, ୧୦ ଚୌକା ଓ ୧ ଛକା) ସତ୍ତ୍ୱେ ସୌରାଷ୍ଟ୍ର ୪୬.୩ ଓଭରରେ ୨୧୨ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ପୂଜାରାଙ୍କ ବ୍ୟତୀତ ଓ୍ଵିକେଟ୍‌ ରକ୍ଷକ ଅଭି ବାରୋଟ୍‌ (୩୦), ଚିରାଗ ଜାନୀ (୨୨), ମକ୍‌ଓ୍ଵାନା (୨୦), ରବୀନ୍ଦ୍ର ଜାଦେଜା (୧୫) ଓ ସମର୍ଥ ବ୍ୟାସ (୧୦) ରନ୍‌ କରିଥିଲେ ମଧ୍ୟ ଦଳ ବିଜୟଠୁ ୪୨ ରନ୍‌ ଦୂରରେ ରହିଗଲା। କୃଷ୍ଣପା ଗୌତମ (୩/୨୭) ଓ ପ୍ରସିଦ୍ଧ କୃଷ୍ଣ (୩/୩୭) ୬ ଓ୍ଵିକେଟ୍‌ ବାଣ୍ଟିନେଇ ସୌରାଷ୍ଟ୍ର ପାଳିକୁ ରୋକିଥିଲେ। ମୟଙ୍କ ଅଗ୍ରଓ୍ଵାଲ୍‌ ଫାଇନାଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଅରବିନ୍ଦଙ୍କ ଅବସର
ସୌରାଷ୍ଟ୍ର ବିପକ୍ଷ ଫାଇନାଲ୍‌ରେ ୪୧ ରନ୍‌ର ବିଜୟ ସହ କର୍ଣ୍ଣାଟକ ଚଳିତ ବର୍ଷର ବିଜୟ ହଜାରେ ଟ୍ରଫି ଜିତିନେଇଥିଲା ବେଳେ ଏହାର ଦ୍ରୁତ ବୋଲର ଶ୍ରୀନାଥ ଅରବିନ୍ଦ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ତେବେ ଆଗକୁ ସେ କେବଳ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ଖେଳିବା ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି। ୨୦୦୮୦୯ ଋତୁରେ ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ରେ ରରଜୀ ଟ୍ରଫି କ୍ୱାର୍ଟର ଫାଇନାଲ୍‌ରେ ପଦାର୍ପଣ କରିଥିବା ଅରବିନ୍ଦ ଗତ ୫ ବର୍ଷ ଧରି କର୍ଣ୍ଣାଟକ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ରହି ଆସିଥିଲେ। ଏହି ବାମହାତୀ ଦ୍ରୁତ ବୋଲର ୫୬ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୧୮୬ ଓ୍ଵିକେଟ୍‌ ନିଜ ନାମରେ ରଖିଛନ୍ତି। ୨୦୧୪-୧୫ ଋତୁରେ ସେ ୫୪ ରଣଜୀ ଓ୍ଵିକେଟ୍‌ ଦଖଲ କରିବା ତାଙ୍କ ଘରୋଇ କ୍ରିକେଟ୍‌ ଜୀବନର ଉଲ୍ଲେଖନୀୟ ରହିଥିଲା। ସେ ମଧ୍ୟ ଗତ ତିନିଟି ରଣଜୀ ଋତୁରେ ଯଥାକ୍ରମେ ୧୯, ୩୦ ଓ ୨୪ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଏହି ପ୍ରଦର୍ଶନ ତାଙ୍କୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଆଇପିଏଲ୍‌ ଖେଳିବା ସୁଯୋଗ ଦେଇଥିଲା। ଏହାପରେ ଅରବିନ୍ଦ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେ୍ଵଣ୍ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳକୁ ଡକରା ପାଇଥିଲେ। ସେ ଗୋଟିଏ ମ୍ୟାଚ୍‌ ଖେଳି ୪୪ ରନ୍‌ ବିନିମୟରେ ଗୋଟିଏ ଓ୍ଵିକେଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର