କଟକ: କାର୍ତ୍ତିକ ବିଶ୍ବାଳଙ୍କ ଚିତାକର୍ଷକ ଶତକ ସାଙ୍ଗକୁ ନିମ୍ନକ୍ରମରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏଠାରେ ଚାଲିଥିବା ରଣଜୀ ମୁକାବିଲାରେ ଓଡ଼ିଶାକୁ ହରିୟାଣା ବିପକ୍ଷରେ ପ୍ରଥମ ପାଳି ଅଗ୍ରଣୀ ଦେଇଛି। ହରିୟାଣା ପ୍ରଥମ ପାଳିକୁ ୩୩୮ ରନ୍‌ରେ ଶେଷ କରିଦେଇଥିବା ଓଡ଼ିଶା ଗୁରୁବାର ତୃତୀୟ ଦିବସରେ ୪୧୪ ରନ୍‌ରେ ସମସ୍ତ ଖେଳାଳିଙ୍କୁ ହରାଇବା ପୂର୍ବରୁ ୭୬ ରନ୍‌ର ମହତ୍ବପୂର୍ଣ୍ଣ ଅଗ୍ରଣୀ ହାସଲ କରିନେଇଥିଲା। ମ୍ୟାଚ୍‌ ଆଉ ଗୋଟିଏ ଦିନ ଥିବାରୁ ଅମୀମାଂସିତ ମୁହାଁ ହୋଇଛି। ଫଳରେ ପାଳି ଅଗ୍ରଣୀ ପାଇଯାଇଥିବାରୁ ଓଡ଼ିଶା ଏବେ ୩ ପଏଣ୍ଟ୍‌ ହାସଲ ଲକ୍ଷ୍ୟରେ ରହିବ। ହରିୟାଣା ଆଜି ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୧ ୱିକେଟ୍‌ ବିନିମୟରେ ୧୧୯ ରନ୍‌ କରି ଓଡ଼ିଶା ଉପରେ ଚାପ ପକାଇବାର ପ୍ରୟାସ କରିଛି। ଅଙ୍କିତ କୁମାର ଏବଂ ହିମାଂଶୁ ରାଣା ଅପରାଜିତ ଅଛନ୍ତି।

Advertisment

ବୁଧବାର ଦ୍ବିତୀୟ ଦିବସ ସ୍କୋର୍‌ ୨୦୪/୩ରୁ ଖେଳିଥିବା ଓଡ଼ିଶା ଗୁରୁବାର ଆଉ ୨୧୦ ରନ୍‌ ଯୋଡ଼ି ଅବଶିଷ୍ଟ ୭ ୱିକେଟ୍‌ ହରାଇଥିଲା। ମଧ୍ୟାହ୍ନ ବିରତି ସୁଦ୍ଧା ୩୦୯/୫ର ସୁବିଧାଜନକ ସ୍ଥିତି ପାଇଥିବା ଓଡ଼ିଶା ପରବର୍ତୀ ୫ ୱିକେଟ୍‌ ୧୦୩ ରନ୍‌ରେ ହରାଇଥିଲା। ପୂର୍ବଦିନର ଅପରାଜିତ ବ୍ୟାଟର୍‌ ଶୁଭ୍ରାଂଶୁ ଆଜି ଅର୍ଦ୍ଧଶତକ ପୂରଣ କରିଥିଲା ବେଳେ କାର୍ତ୍ତିକ ବିଶ୍ବାଳ କିନ୍ତୁ ପାଳିର ପୂରା ଦାୟିତ୍ବ ନିଜ କାନ୍ଧକୁ ନେଇଥିଲେ। ଶୁଭ୍ରାଂଶୁଙ୍କ ସହ ସେ ଚତୁର୍ଥ ୱିକେଟ୍‌ରେ ମହତ୍ବପୂର୍ଣ୍ଣ ୯୮ ରନ୍‌ ଯୋଡ଼ିଥିଲେ। ଶୁଭ୍ରାଂଶୁଙ୍କ ୧୫୨ ବଲ୍‌ ପାଳିରେ ୪ ଚୌକା ଓ ୨ ଛକା ସାମିଲ ଥିଲା ବେଳେ କାର୍ତ୍ତିକ ୧୭୭ ବଲ୍‌ରୁ ୧୩ ଚୌକା ସହାୟତାରେ ୧୦୧ ରନ୍ କରିଥିଲେ। ତେବେ ଚମତ୍କାର ବୋଲିଂ ଜରିଆରେ ହରିୟାଣା ବ୍ୟାଟର୍‌ଙ୍କୁ ଘାଇଲା କରିଥିବା ସୂର୍ଯ୍ୟକାନ୍ତ ପ୍ରଧାନ କିନ୍ତୁ ବ୍ୟାଟିଂରେ ଉଗ୍ରରୂପ ଦେଖାଇଥିଲେ। ସେ ୫ ଛକା ଓ ୬ ଚୌକା ସହାୟତାରେ ୬୦ ରନ୍‌ କରିଥିଲେ। ହରିୟାଣା ପକ୍ଷରୁ ଅଧିନାୟକ ୟୁଝ୍‌ବେନ୍ଦ୍ର ଚହଲ ୩ ୱିକେଟ୍ ପାଇଥିଲେ।

ଶତକ ମରୁଡ଼ିର ଅନ୍ତ

ଭୁବନେଶ୍ବର: ‌ଦୁଇଟି ଋତୁ ବ୍ୟବଧାନ ପରେ ଓଡ଼ିଶା ରଣଜୀ ଦଳରେ ଶତକ ମରୁଡ଼ିର ଅନ୍ତ ଘଟିଛି। ଚଳିତ ଋତୁରେ ପଦାର୍ପଣ କରିଥିବା ଯୁବ ଅଲରାଉଣ୍ଡର କାର୍ତ୍ତିକ ବିଶ୍ବାଳ ହରିୟାଣା ବିପକ୍ଷରେ ୧୦୧ ରନ୍‌ର ପାଳି ଖେଳି ଶତକୀୟ ତାଲିକାରେ ନିଜ ନାମ ଯୋଡ଼ିଛନ୍ତି। ଏପରିକି ଏହି ମ୍ୟାଚ୍‌ରେ ସେ ତାଙ୍କର ପ୍ରଥମ ଅର୍ଦ୍ଧଶତକକୁ ଶତକରେ ପରିଣତ କରିବାରେ ସଫଳ ହୋଇଛନ୍ତି। ଏଥିପୂର୍ବରୁ ବରୋଦା (୩୧) ଓ ଉତ୍ତରାଖଣ୍ଡ (୪୮, ୬) ବିପକ୍ଷରେ କାର୍ତ୍ତିକ ଭଲ ଖେଳିଥିଲେ ବି ତାହାକୁ ଅର୍ଦ୍ଧଶତକରେ ପରିଣତ କରିପାରିନଥିଲେ। ଶେଷଥର ପାଇଁ ୨୦୧୯-୨୦ ଋତୁରେ ଝାଡ଼ଖଣ୍ଡ ବିପକ୍ଷରେ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଦେବାଶିଷ ସାମନ୍ତରାୟ (୧୫୬) ଓ ଶୁଭ୍ରାଂଶୁ ସେନାପତି (୧୦୦*) ଶତକ ହାସଲ କରିଥିଲେ।