ବ୍ୟାଟ୍‌କୁ ପ‌ଡୋଶୀଙ୍କ ପତ୍ନୀ ସହ ତୁଳନା କରି କାର୍ତ୍ତିକ ଅଡୁଆରେ

ନୂଆଦିଲ୍ଲୀ : ମହିଳାମାନଙ୍କ ପ୍ରତି ଅସମ୍ମାନ ଭଳିଆ କଥା ପଦେ କହି ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି ଭାରତୀୟ କ୍ରିକେଟର୍‌ ଦୀନେଶ କାର୍ତ୍ତିକ। ଗୁରୁବାର ରାତିରେ ଲଣ୍ଡନ୍‌ର କେନିଙ୍ଗଟନ୍‌ ଓଭାଲରେ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ବିତୀୟ ଦିନିକିଆ ଚାଲିଥିବା ବେଳେ ଜଣେ ବଦଳ ଖେଳାଳି ଏକାଧିକ ବ୍ୟାଟ୍‌ ଧରି ପଡିଆ ଭିତରକୁ ପ୍ରବେଶ ପାଇଁ ବ୍ୟାକୁଳ ହେଉଥିବା ଦେଖି ଭାଷ୍ୟକାର ଭୂମିକାରେ ଥିବା କାର୍ତ୍ତିକ କହିଥିଲେ, ‘ବ୍ୟାଟ୍ସମ୍ୟାନ ବ୍ୟାଟ୍‌ ପସନ୍ଦ କରୁନାହାନ୍ତି। ସେମାନେ ହାତଯୋଡ଼ି ବସୁଛନ୍ତି, ଅଧିକାଂଶ ବ୍ୟାଟ୍ସମ୍ୟାନ ଅନ୍ୟର ବ୍ୟାଟ୍ ପସନ୍ଦ କରୁଛନ୍ତି।…କିଛି ସମୟ ଅଟକିଯାଇ ସେ ପୁଣି କହିଥିଲେ ‘ବ୍ୟାଟ୍‌ଗୁଡିକ ପଡ଼ୋଶୀଙ୍କ ପତ୍ନୀ ଭଳି। ଏଥିରେ ସେମାନେ ଖୁସୀ ଅନୁଭବ କରୁଛନ୍ତି।’’

ସ୍କାଏ ସ୍ପୋର୍ଟସରେ ଏତକ କଥା କହିବା ପରେ ପ୍ରଶଂସକମା‌ନେ କାର୍ତ୍ତିକଙ୍କୁ ଟ୍ରୋଲ୍ କରିବାରେ ଲାଗିଛନ୍ତି। ଟିନା ଟାଙ୍ଗରା ନାମକ ଜଣେ ଲେଖିଛନ୍ତି ‘କ୍ରିକେଟ୍‌ ଖେଳର ସମୀକ୍ଷା ବେ‌େଳ ଆମେ ଦୀନେଶ କାର୍ତ୍ତିକଙ୍କ ସ୍ବର ଶୁଣି ଉଲ୍ଲସିତ‌ ହୋଇଥାଉ, କିନ୍ତୁ ମହିଳାଙ୍କ ବିରୋଧୀ ଏଭଳି ମନ୍ତବ୍ୟ ଖେଳରେ ଚଳିବ ନାହିଁ। ଏହା ଏକ ଖରାପ ସ୍ବାଦର ଥଟ୍ଟା।’ କ୍ରିକେଟ୍ ବ୍ୟାଟ୍‌ ସହ କାହାର ପତ୍ନୀ କିମ୍ବା ମହିଳାଙ୍କୁ ତୁଳନା କରିବା ଅନାବଶ୍ୟକ ଏବଂ ଅସମ୍ମାନସୂଚକ ‌ବୋଲି ଟିନା ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି। ଡିକେଙ୍କ ସ୍ବରକୁ ମୁଁ ଭଲ ପାଏ କିନ୍ତୁ ଏଭଳି ତୁଳନାଠାରୁ‌ ସେ ଦୂରେଇ ରୁହନ୍ତୁ। ଏଭଳି ଥଟ୍ଟା ଗ୍ରହଣୀୟ ନୁହେଁ ବୋଲି କାୟୋମର୍ଜ ଦାରୁୱାଲା ଲେଖିଛନ୍ତି। ଦୀନେଶ ଭଲ କ୍ରିକେଟିଂ ଶବ୍ଦ ବ୍ୟବହାର କରନ୍ତି, ଆଶା କରିବି ତାଙ୍କ ପତ୍ନୀ କିଛି ଖରାପ ଭାବିନଥିବେ, ହା..ହା…ହା…’ ବୋଲି ଆନ୍ଦ୍ରିଆସ୍‌ ‌ହେୟସ୍‌ ଟ୍ବିଟ୍‌ କରିଛନ୍ତି।

ସୂଚନାଯୋଗ୍ୟ, କ୍ରିକେଟ୍ ଦୁନିଆରୁ ଅବସର ନେଇନଥିଲେ ମଧ୍ୟ କାର୍ତ୍ତିକ ଗତ ଭାରତ-ନ୍ୟୁଜିଲାଣ୍ଡ୍ ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍‌ ଫାଇନାଲ୍‌ରେ ଭାଷ୍ୟକାର ଭାବେ ପଦାର୍ପଣ କରିଥିଲେ। ଚଳିତ ଇଂଲଣ୍ଡ-ଶ୍ରୀଲଙ୍କା ଶୃଙ୍ଖଳାରେ ମଧ୍ୟ ସ୍କାଏ ସ୍ପୋର୍ଟସ ପ୍ୟାନେଲରେ ରହିଛନ୍ତି। ତେବେ ଗୁରୁବାର ରାତିରେ ଯୌନ ଉଦ୍ଦୀପକ ଟିପ୍ପଣୀ ରଖିଥିବାରୁ କାର୍ତ୍ତିକ ଏବେ ନିଜ ପାଇଁ ବଡ଼ ଗାତ ଖୋଳିଛନ୍ତି ବୋଲି ବିଶ୍ବାସ କରାଯାଉଛି। ଖବର ଲେଖା ହେବା ପର୍ଯ୍ୟନ୍ତ କାର୍ତ୍ତିକ କ୍ଷମା ମାଗିନାହାନ୍ତି। ଭାରତ ପାଇଁ ଏହି ୱି‌କେଟରକ୍ଷକ ବ୍ୟାଟ୍ସମ୍ୟାନ୍‌ ୨୬ ‌ଟେଷ୍ଟ୍, ୯୪ ଦିନିକିଆ, ୩୨ ଟ୍ବେଣ୍ଟି ଅନ୍ତର୍ଜାତୀୟ ଖେଳିଛନ୍ତି। ଏବେ କିନ୍ତୁ ଦଳ ବାହାରେ ରହିଛନ୍ତି।

ସମ୍ବନ୍ଧିତ ଖବର