ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ କ୍ରିକେଟ୍କୁ ବୁଝିବା ଜ୍ଞାନ ଏବଂ ଏଥିନେଇ ଅସରଦାର ରଣନୀତି ପ୍ରସ୍ତୁତ କରିବା ଦକ୍ଷତାକୁ ପୂର୍ବତନ ଭାରତୀୟ ୱିକେଟ୍ ରକ୍ଷକ ଦୀନେଶ କାର୍ତ୍ତିକ ପ୍ରଶଂସା କରିଛନ୍ତି। ହେଲେ ଗମ୍ଭୀରଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଏବଂ ଖେଳାଳି ପରିଚାଳନା ଶୈଳୀକୁ ନେଇ ସଂଶୟ ଥିବା ଖୋଲାଖୋଲି ଭାବେ କହିଛନ୍ତି। ସେହିଭଳି ନି ଜ ସ୍ବଭାବରେ କିଛିଟା ପରିବର୍ତ୍ତନ କରିବାକୁ ଗମ୍ଭୀରଙ୍କୁ ପରୋକ୍ଷରେ ଆହ୍ବାନ କରିଛନ୍ତି।
ଏକ ସାକ୍ଷାତକାର ଅବସରରେ କାର୍ତ୍ତିକ କହିଛନ୍ତି, ରଣନୈତିକ ଦୃଷ୍ଟିରୁ ଗୌତି ଜଣେ ବହୁତ ଭଲ ପ୍ରଶିକ୍ଷକ। ଖେଳାଳି ପରିଚାଳନା ଏମିତି ଏକ ଦିଗ ଯେଉଁଥିରେ ସେ ନିଶ୍ଚିତ ଭାବେ ଆହୁରି ଉନ୍ନତି ଆଣିବାକୁ ଚାହୁଥିବେ ବୋଲି ମୁଁ ଭାବୁଛି। ଗୋଟିଏ କଥା କିନ୍ତୁ ମାନିବାକୁ ପଡ଼ିବ ଯେ ଗୌତି ସବୁବେଳେ ଖେଳାଳିଙ୍କ ହିତକୁ ଅଗ୍ରାଧିକାର ଦେଇଥା’ନ୍ତି। ତେବେ ଖେଳାଳି ଭାବେ ସେ ଯେଉଁ ଅଭିମୁଖ୍ୟ ପ୍ରଦର୍ଶନ କରୁଥିଲେ ପ୍ରଶିକ୍ଷକ ଭାବେ ଏଥିରେ ସାମାନ୍ୟ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ଅର୍ଥାତ୍ ଗୌତିଙ୍କୁ ଅଧିକ ଦାୟିତ୍ବବାନ ହୋଇ ସମୟର ଆବଶ୍ୟକତା ଅନୁସାରେ ନିଜକୁ ବଦଳାଇବାକୁ ପଡ଼ିବ। ଏହା ଅନ୍ତତଃ ଭାରତୀୟ କ୍ରିକେଟ୍ ପାଇଁ ଭଲ ଫଳ ଆଣିବ।