କାର୍ତ୍ତିକ ଏବେ ବିଶ୍ବକପ୍‌ ଦାବିଦାର: କୋହଲି

କାର୍ତ୍ତିକଙ୍କୁ ସ୍ବତନ୍ତ୍ର ବାର୍ତା ଦେ‌ଲେ ଦୀପିକା

ମୁମ୍ବାଇ: ବାଙ୍ଗାଲୋର୍‌ ପାଇଁ ଖେଳିବା ପରଠାରୁ ଚମତ୍କାର ପ୍ରଦର୍ଶନ କରୁଥିବା ଦୀ‌ନେଶ କାର୍ତିକଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ଆର୍‌ସିବିର ପୂର୍ବ ଅଧିନାୟକ ବିରାଟ କୋହଲି। ଏଥି ସହ କାର୍ତ୍ତିକ ଆଗାମୀ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ନିଜ ଦାବିଦାରିକୁ ଦୃଢ଼ କରିଛନ୍ତି ବୋଲି କୋହଲି କହିଛନ୍ତି। ‘ଆଇପିଏଲ୍‌-୧୫ ବର୍ତମାନର ଶ୍ରେଷ୍ଠ ବ୍ୟାଟର୍‌ ସହ ଏବେ ମୁଁ ଅଛି। ତୁମ ବ୍ୟାଟିଂକୁ ପୁଣି ଦେଖିବା ମୋ ପାଇଁ ଏକ ସମ୍ମାନ। ଏହା ଜାରି ରହୁ ବୋଲି ମୋ ବିଶ୍ବାସ। ନିଜ ଲକ୍ଷ୍ୟକୁ ନେଇ ସେ ସ୍ପଷ୍ଟ ରହିଛନ୍ତି। ତାଙ୍କ ପାଳି ଏବେ ଅନେକଙ୍କ ନଜରକୁ ଆସୁଥିବ ବୋଲି ମୋ ବିଶ୍ବାସ। ପ୍ରିଟୋରିଆରୁ ଏବି ଡି’ଭିଲିୟର୍ସ ବି ତାଙ୍କ ଖେଳ ଦେଖୁ୍‌ଥିବେ’ ବୋଲି କୋହଲି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, କାର୍ତ୍ତିକ ଶନିବାର ରାତିରେ ଦିଲ୍ଲୀ ବିପକ୍ଷରେ ୩୪ ବଲ‌୍ରୁ ୬୬ ରନ୍‌ କରିଥିଲେ। ବର୍ତମାନର ଅଗ୍ରଣୀ ରନ୍‌ ସଂଗ୍ରହକାରୀଙ୍କ ମଧ୍ୟରେ କାର୍ତ୍ତିକଙ୍କ ‌ହାରାହାରି (୧୯୭.୦୦) ଏବଂ ଷ୍ଟ୍ରାଇକ୍ ରେଟ୍‌ (୨୦୯.୫୭) ଶୀର୍ଷରେ ରହିଛି। ୬ ପାଳିରୁ ସେ ମାତ୍ର ଥରେ ଆଉଟ୍ ହୋଇ ୧୯୭ ରନ୍‌ କରିଛନ୍ତି। ଶେଷ ଥର ପାଇଁ କାର୍ତ୍ତିକ ୨୦୧୯ ଦିନିକିଆ ବିଶ୍ବକପ୍‌ ଖେଳିଥିଲେ। ୩୬ ବର୍ଷୀୟ ଏହି ୱିକେଟରକ୍ଷକ ବ୍ୟାଟର୍ ୨୦୦୪ରେ ଅନ୍ତର୍ଜାତୀୟ ପଦାର୍ପଣ କରି ଅନେକ ପ୍ରତ୍ୟାବର୍ତନ କରିଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ଆଗମନ ପୂର୍ବରୁ ଓ ଅବସର ପରେ ମଧ୍ୟ ଖେଳିଛନ୍ତି। ଦେଶ ପାଇଁ ୩୬ ଟେଷ୍ଟ୍‌, ୯୪ ଦିନିକିଆ ଓ ୩୨ ଟ୍ବେଣ୍ଟି-୨୦ ଖେଳିଛନ୍ତି।

କାର୍ତ୍ତିକଙ୍କୁ ସ୍ବତନ୍ତ୍ର ବାର୍ତା ଦେ‌ଲେ ଦୀପିକା
ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ପାଇଁ ଚଳିତ ଋତୁରେ ଖେଳୁଥିବା ଦୀ‌ନେଶ କାର୍ତ୍ତିକ ଶନିବାର ରାତିରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ। ୩୪ ବଲ୍‌ରୁ ୫ ଲେଖାଏଁ ଚୌକା ଓ ଛକା ମାରି ୬୬ ରନ୍‌ କରିଥିଲେ। ଏହି ଅବସରରେ ଖୁସି ଥିବା ପତ୍ନୀ ତଥା ଅନ୍ତର୍ଜାତୀୟ ସ୍ତରର ସ୍କ୍ବାଶ ଖେଳାଳି ଦୀପିକା ପାଲିକଲ୍‌ ଏକ ସ୍ବତନ୍ତ୍ର ବାର୍ତ୍ତା ଦେଇଥିଲେ। ମ୍ୟାଚ୍‌ ପୂର୍ବରୁ କାର୍ତ୍ତିକ ତାଙ୍କ ଦୁଇ ପିଲାଙ୍କ ସହ କଥା‌ ହେଉଥିବାର ଏକ ଫଟୋକୁ ଦୀପିକା ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ଏକଥା ଭୁଲିଯିବା ଉଚିତ୍ ନୁହେଁ, ନିକଟରେ ଦୀପିକା ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଖେଳୁଥିବା ବେଳେ ଡିକେ ସମାନ ଢଙ୍ଗରେ ଟିଭିରେ ମା’ଙ୍କ ଖେଳ ‌ଦେଖୁଥିବା ନିଜ ଯମଜ ସନ୍ତାନଙ୍କ ଫଟୋ ଛାଡ଼ି ଅଭିନନ୍ଦନ ଜଣାଇଥିଲେ।

ସମ୍ବନ୍ଧିତ ଖବର