ବାଙ୍ଗାଲୋରକୁ ଜିତାଇଲେ କାର୍ତ୍ତିକ

ମୁମ୍ବାଇ: ଦୀନେଶ କାର୍ତ୍ତିକ (୪୪*) ଓ ଶାହବାଜ ଅହମ୍ମଦ (୪୫)ଙ୍କ ଦ୍ରୁତ ଓ ଦାୟିତ୍ବବାନ ଭାଗୀଦାରି ବଳରେ ମଙ୍ଗଳବାରର ଏକମାତ୍ର ଆଇପିଏଲ୍ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ପଞ୍ଝାରୁ ବିଜୟ ଛଡ଼ାଇ ନେଇଛି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର। ରାଜସ୍ଥାନ ୧୭୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ବାଙ୍ଗାଲୋର ଗୋଟିଏ ଓଭରରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଡେଭିଡ୍ ୱିଲିଙ୍କ ୱିକେଟ୍ ସହ ମାତ୍ର ୮୭ ରନ୍‌ରେ ଅଧାଦଳ ହରାଇ ‌ଘୋର ସଙ୍କଟରେ ପଡ଼ିଥିଲା। ହେଳେ କାର୍ତ୍ତିକ ଓ ଅହମ୍ମଦଙ୍କ କମାଲ ବଳରେ ଶେଷରେ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଥିଲା। ୫ ବଲ୍ ପୂର୍ବରୁ ୪ ୱିକେଟ୍‌ରେ ବିଜୟୀ ହୋଇ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ପାଇଥିଲା ବାଙ୍ଗାଲୋର। ଅନ୍ୟପକ୍ଷରେ ରାଜସ୍ଥାନ ତୃତୀୟ ମ୍ୟାଚ୍‌ରୁ ପ୍ରଥମ ପରାଜୟ ବରଣ କରିଥି‌ଲେ ମଧ୍ୟ ପ୍ରଥମ ସ୍ଥାନରେ ସ୍ଥିର ରହିଥିଲା।

ଆଜି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଟସ୍ ଜିତି ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅଧିନାୟକ ଫାଫ୍ ଡୁ ଫ୍ଲେସିସ୍‌ଙ୍କ ନିଷ୍ପତ୍ତିକୁ ଯଥାର୍ଥ ବୋଲି ପ୍ରମାଣିତ କରି ଆର୍‌ସିବିକୁ ଦ୍ବିତୀୟ ଓଭରରେ ହିଁ ଡେଭିଡ୍ ୱିଲି ପ୍ରଥମ ସଫଳତା ଉପହାର ଦେଇଥିଲେ। ଜସସ୍ବୀ ଜୟସ୍ବାଲଙ୍କୁ ସେ କ୍ଲିନ୍ ବୋଲ୍ଡ କରିବା ବେଳକୁ ରାଜସ୍ଥାନ ସ୍କୋରବୋର୍ଡରେ ଥିଲା ମାତ୍ର ୬ ରନ୍। ତେବେ ଓପନର ଜୋସ୍ ବଟଲର (୭୦*) ପ୍ରଥମେ ଦେବିଦତ୍ତ ପଡ଼ିକଲ (୩୭) ଏବଂ ପରେ ସିମରନ୍ ହେଟମେୟର (୪୨*)ଙ୍କ ସହ ମିଶି ରାଜସ୍ଥାନ ସ୍କୋରକୁ ଦେଢ଼ ଶହ ରନ୍ ପାର କରାଇ ଦେଇଥିଲେ। ଉଭୟ ଅବିଭା‌ଜିତ ଚତୁର୍ଥ ୱିକେଟ୍‌ରେ ୫୦ ବଲ୍‌ରୁ ୮୩ ରନ୍ ସଂଗ୍ରହ କରିଥିଲେ। ବଟଲର ତାଙ୍କ ଆ‌ଇପିଏଲ୍ ଜୀବନର ଅନ୍ୟତମ ସଂଘର୍ଷଭରା ତଥା ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳିଥିଲେ। ହେଟମେୟରଙ୍କ ବି ତାଙ୍କୁ ଭଲ ସମର୍ଥନ ଦେଇଥିଲେ। ବଟଲର ଓ ହେଟମେୟର ବିସ୍ଫୋରଣ ବଳରେ ରାଜସ୍ଥାନ ଶେଷ ଦୁଇ ଓଭରରୁ ୪୨ ରନ୍ ଅମଳ କରି ୧୬୯/୩ରେ ପହଞ୍ଚି ଯାଇଥିଲା। ଅଧିନାୟକ ସଞ୍ଜୁ ସାମସନ୍ ମାତ୍ର ୮ ରନ୍‌ର ଯୋଗଦାନ ଦେଇଥିଲେ।

ସମ୍ବନ୍ଧିତ ଖବର