ନୂଆଦିଲ୍ଲୀ: ଭାରତୀୟ ୱିକେଟ୍ରକ୍ଷକ ବ୍ୟାଟର୍ ଦୀନେଶ କାର୍ତ୍ତିକ ୨୦୨୪ ଆଇପିଏଲ୍ ପରେ ଅବସର ନେବାର ଯୋଜନା କରିଛନ୍ତି। ମାର୍ଚ୍ଚ ୨୨ରେ ଏହି ଧନୀ ଲିଗ୍ ଆରମ୍ଭ ହେଉଥିଲା ବେଳେ ଏହା ଶେଷ ପରେ ହିଁ ସେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିବେ। ୩୮ ବର୍ଷୀୟ କାର୍ତ୍ତିକ ସଂପ୍ରତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ରହିଛନ୍ତି। ୨୦୦୮ରୁ ଏପର୍ଯ୍ୟନ୍ତ ସେ ୧୬ ସଂସ୍କରଣ ଖେଳିଥିଲା ବେଳେ ଏହା ମଧ୍ୟରେ କେବଳ ୨ଟି ମ୍ୟାଚ୍ରେ ଖେଳିପାରି ନାହାନ୍ତି। ସବୁଠୁ ଅଭିଜ୍ଞ ୱିକେଟ୍ରକ୍ଷକ ବ୍ୟାଟର୍ କାର୍ତ୍ତିକ ଆଇପିଏଲ୍ରେ ୬ଟି ଫ୍ରାଞ୍ଚାଇଜ୍ରୁ ପ୍ରତିନିଧିତ୍ବ କରିଛନ୍ତି।
ଆଇପିଏଲ୍ ପ୍ରଦର୍ଶନ ବଳରେ ସେ ୨୦୨୨ ଟ୍ବେଣ୍ଟି-୨୦ ବିଶ୍ବକପ୍ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ୨୦୦୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍ ପଦାର୍ପଣ କରିଥିବା କାର୍ତ୍ତିକ ମୋଟ ୨୬ ମ୍ୟାଚ୍ ଖେଳି ୧୦୨୫ ରନ୍ କରିବା ସହ ୫୭ କ୍ୟାଚ୍ ଓ ୬ ଷ୍ଟମ୍ପିଂ କରିଛନ୍ତି। ସେ ଶେଷ ଟେଷ୍ଟ୍ ୨୦୧୮ରେ ଖେଳିଥିଲେ। ଦିନିକିଆରେ ସେ ୯୪ ମ୍ୟାଚ୍ ଖେଳି ୧୭୫୨ ରନ୍ କରିଥିବା ବେଳେ ୬୪ କ୍ୟାଚ୍ ଓ ୭ ଷ୍ଟମ୍ପିଂ କରିଛନ୍ତି। ୨୦୦୬ରେ ବାଂଲାଦେଶ ବିପକ୍ଷରେ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିବା କାର୍ତ୍ତିକ ୨୦୨୨ରେ ଶେଷ ମ୍ୟାଚ୍ ଖେଳିଥିଲେ। ସେ ଏହି ଫର୍ମାଟ୍ରେ ୬୦ ଟେଷ୍ଟ୍ ଖେଳି ୬୮୬ ରନ୍ ଏବଂ ୩୦ କ୍ୟାଚ୍ ନେବାସହ ୮ ଷ୍ଟମ୍ପିଂ କରିଛନ୍ତି।