କାର୍ତିକଙ୍କୁ ୪ ନମ୍ବରରେ‌ ଖେଳାଇବା ସପକ୍ଷରେ ମୋରେ

ନୂଆଦିଲ୍ଲୀ: ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଶିଖର ଧାୱନ ଚଳିତ ବିଶ୍ବକପ୍‌ରୁ ୩ ସପ୍ତାହ ପାଇଁ ବାଦ୍ ପଡ଼ିବା ପରେ ଭାରତର ଦଳୀୟ ସମନ୍ବୟକୁ ନେଇ ନାନା ଆଲୋଚନା ଆରମ୍ଭ ହୋଇଯାଇଛି। କିନ୍ତୁ ପୂର୍ବତନ ୱିକେଟରକ୍ଷକ ବ୍ୟାଟସମ୍ୟାନ୍‌ ତଥା ୧୯୯୨ ବିଶ୍ବକପ୍‌ରେ‌ ଖେଳିଥିବା କିରଣ‌ ମୋରେଙ୍କ ମତରେ ଭାରତ ଏହାକୁ ନେଇ ଛାନିଆ ହେବାର କିଛି କାରଣ ନାହିଁ। ଧାୱନଙ୍କ ଆହତ ସମସ୍ୟା ବଡ଼ ଝଟକା ଭଳି ହୋଇଥିଲେ ମଧ୍ୟ ଏଥି ପାଇଁ ଦଳ ଚିନ୍ତିତ ହେବାର କିଛି କାରଣ ନାହିଁ। ଆମ ପାଖରେ ଏହି ସ୍ଥାନରେ ଖେଳିବାକୁ ବିକଳ୍ପ ରହିଛି। ଶିଖର ନିଶ୍ଚିତ ଜଣେ ମ୍ୟାଚ୍‌ ବିଜେତା ଏବଂ ଆଇସିସି ପ୍ରତିଯୋଗିତାରେ ଭଲ କରି ଆସିଛନ୍ତି। ଏବେ ମୁଁ କୋହଲିଙ୍କୁ ପରାମର୍ଶ ଦେଉଛି, ଲୋକେଶ ରାହୁଲଙ୍କୁ ନେଇ ପାଳି ଆରମ୍ଭ କରନ୍ତୁ। ‌ସେ ହିଁ ଏହି ସ୍ଥାନ ପାଇଁ ଶ୍ରେଷ୍ଠ ବିକଳ୍ପ। ରାହୁଲ ପାଳି ଆରମ୍ଭ କଲେ କିଏ ୪ ନମ୍ବର‌ରେ ‌ଖେଳିବେ ବୋଲି ପ୍ରଶ୍ନ କରିବାରୁ ମୋରେ କହିଥିଲେ ‘ଦୀନେଶ କାର୍ତିକ କାହିଁକି ନୁହଁନ୍ତି ?’ ମୋ ମତରେ ଦୀ‌ନେଶ କାର୍ତିକ ୪ ନମ୍ବର ସ୍ଥାନରେ ଭଲ କରିପାରିବେ। ସେ ମଧ୍ୟ ଏହି ସ୍ଥାନ ପାଇଁ ଶ୍ରେଷ୍ଠ ଖେଳାଳି। ସେ ବ୍ୟାଟିଂ, ଫିଲଡିଂ ସହିତ ଆବଶ୍ୟକ ପଡ଼ିଲେ ୱିକେଟ୍‌କିପିଂ ମଧ୍ୟ କରିପାରିବେ ବୋଲି ମୋରେ ପ୍ରକାଶ କରିଥିଲେ। ୨୦୧୧ରେ ଧୋନିଙ୍କ ଭଳି କାମ କୋହଲି ଏଥର କରିପାରିବେ କି ବୋଲି ପ୍ରଶ୍ନ ହେବାରୁ ମୋରେ କହିଥିଲେ, ‘ଏତେ ଶୀଘ୍ର କହିବା ସମ୍ଭବ ନୁହେଁ, ଭାରତ ପାଇଁ ଆଗକୁ କଠୋର ପଥ ରହିଛି। ଏହା ବିଶ୍ବକପ୍‌, କିଛି ବି ଘଟିପାରେ’।

ସମ୍ବନ୍ଧିତ ଖବର