ମୁମ୍ବାଇ: ଘରୋଇ କ୍ରିକେଟ୍‌, ତା’ ପରେ ଆଇପିଏଲ୍, ଏବେ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଦ୍ବିଶତକୀୟ ପାଳି ଖେଳିଥିବା କରୁଣ ନାୟର କିବଂଦନ୍ତି କ୍ରିକେଟର୍ ବିରାଟ କୋହଲିଙ୍କ ୪ନମ୍ବର ସ୍ଥାନ ନେଇ ପାରନ୍ତି। ଏଭଳି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର। ‘‘କରୁଣଙ୍କ ସୁଯୋଗକୁ ଆହୁରି ଲମ୍ବା କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଇଂଲଣ୍ଡରେ ଢେର କ୍ରିକେଟ୍ ଖେଳିଛନ୍ତି ସେ। ଏହି ଅଭିଜ୍ଞତା ଦଳକୁ ନିଶ୍ଚିତ ଭାବେ ଫାଇଦାରେ ରଖିବ। ୩୩ ବର୍ଷୀୟ ନାୟର ୭ ବର୍ଷ ପରେ ଭାରତୀୟ ଟେଷ୍ଟ୍ ଦଳକୁ ଫେରିଥିଲା ବେଳେ ସର୍ଫରାଜ ଖାନଙ୍କ ସ୍ଥାନରେ ଇଂଲଣ୍ଡ ଗସ୍ତରେ ସୁଯୋଗ ପାଇଛନ୍ତି। ପୂର୍ବରୁ ସେ ଏକ ତ୍ରିଶତକ ମାରି ସାରିଥିବାରୁ ଇଂଲଣ୍ଡ ବିପକ୍ଷରେ ବଡ଼ ପାଳି ଖେଳିବାର ଦକ୍ଷତା ରଖନ୍ତି। ଗମ୍ଭୀର ମଧ୍ୟ ତାଙ୍କୁ ଦୃଢ଼ ସମର୍ଥନ କରିଛନ୍ତି। ଇଂଲଣ୍ଡ ଯାତ୍ରା କରିବା ପୂର୍ବରୁ ଗୁରୁବାର ଆୟୋଜିତ ପ୍ରାକ୍‌ଗସ୍ତ ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀର ମଧ୍ୟ ଯୁବ କ୍ରିକେଟରଙ୍କୁ ଘରୋଇ କ୍ରିକେଟ୍ ଖେଳିବାକୁ ପରାମର୍ଶ ଦେଇଛନ୍ତି। ଯେଉଁ ଯୁବ କ୍ରିକେଟର୍‌ମା‌ନେ ଘରୋଇ କ୍ରିକେଟ୍ ଖେଳୁଛନ୍ତି, ସେମାନେ ଏହାର ଗୁରୁତ୍ବ ଜାଣିଛନ୍ତି। କାରଣ ଘରୋଇ କ୍ରିକେଟ୍ ଖେଳୁଥିବା ପର୍ଯ୍ୟନ୍ତ ଜାତୀୟ ଦଳ ପାଇଁ ବାଟ ବନ୍ଦ ହୋଇ ନଥାଏ ବୋଲି କହିଥିଲେ ଗମ୍ଭୀର। ନୂଆ ଅଧିନାୟକ ଶୁବମନ୍ ଗିଲ୍ ବ୍ୟାଟିଂ କ୍ରମ ଓ ସନ୍ତୁଳନ ଚୂଡ଼ାନ୍ତ କରିବା ଲାଗି ଆଉ କିଛି ସମୟ ଦରକାର କରୁଛନ୍ତି। ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ୧୦ ଦିନିଆ ପ୍ରଶିକ୍ଷଣ ଶିବିର ପରେ ସ୍ଥିତି ସ୍ପଷ୍ଟ ହେବ। ଏହା ପରେ ହିଁ କିଏ କେଉଁ ସ୍ଥାନରେ ଖେଳିବେ, ତାହା ଆମେ କହିପାରିବୁ ବୋଲି ସେ ମତ ରଖିଥିଲେ।

Advertisment

ଇଂଲଣ୍ଡ ବିପକ୍ଷ ପୂରା ଶୃଙ୍ଖଳାରେ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରା ଖେଳିବେନି। ଏକଥା ଏହି ଶୃଙ୍ଖଳା ପାଇଁ ଦଳ ଘୋଷଣା କଲା ବେଳେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ସ୍ପଷ୍ଟ କରି ଦେଇଥିଲେ। ଏବେ ବୁମ୍‌ରା ସବୁ‌ ନହେଲେ ବି ଅନ୍ୟୂନ ତିନିଟି ଟେଷ୍ଟ୍ ଖେଳିବେ ବୋଲି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ନୂଆ ଅଧିନାୟକ ଶୁବମନ ଗିଲ୍ ସୂଚନା ଦେଇଛନ୍ତି। ବୁମ୍‌ରାଙ୍କୁ ନେଇ ହୋଇଥିବା ପ୍ରଶ୍ନର ଉତ୍ତର ରଖି ନବ ନିଯୁକ୍ତ ଅଧିନାୟକ ଗିଲ୍ କହିଛନ୍ତି, ଆମ ପାଖରେ ପର୍ଯ୍ୟାପ୍ତ ପେସ୍ ବୋଲର ଅଛନ୍ତି। ଟେଷ୍ଟ୍ ମ୍ୟାଚ୍ ଜିତାଇବାର ଦକ୍ଷତା ରଖୁଥିବା ଯଥେଷ୍ଟ ଦ୍ରୁତ ବୋଲର ଦଳରେ ସାମିଲ କରିଛୁ। ଏକଥା ସତ ଯେ ବୁମ୍‌ରାଙ୍କ ଉପସ୍ଥିତି ଦଳକୁ ଅତିରିକ୍ତ ଆତ୍ମବିଶ୍ବାସ ଦେଇଥାଏ। ସେ କେତୋଟି ମ୍ୟାଚ୍ ଖେଳିପାରିବେ, କିଭଳି ଫର୍ମରେ ରହିବେ ସବୁକିଛି ତା ଉପରେ ନିର୍ଭର କରିବ। ଆମେ ଏକ ଦକ୍ଷ ବୋଲିଂ ବାହିନୀ ନେଇ ଇଂଲଣ୍ଡ ଯାଉଥିବାରୁ ଏଥିନେଇ ବିଶେଷ ଚିନ୍ତିତ ନାହୁଁ। ସେହିଭଳି ଗମ୍ଭୀର କହିଥିଲେ, ବୁମ୍‌ରା କେଉଁ ତିନିଟି ମ୍ୟାଚ୍ ଖେଳିବେ, ସେ ନିଷ୍ପତ୍ତି ନେଇନୁ। ଶୃଙ୍ଖଳାରେ ଆମ ପ୍ରଦର୍ଶନକୁ ଦେଖି ଏବଂ ବୁମ୍‌ରାଙ୍କ ସହ ଏହି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଯାହା ଦଳ ଓ ତାଙ୍କ ପାଇଁ ଠିକ୍ ହେବ ତାହା କରିବୁ। ସବୁକିଛି ପ୍ରଥମ କିଛି ମ୍ୟାଚ୍‌ର ଫଳାଫଳ ଉପରେ ନିର୍ଭରଶୀଳ ରହିବ।

ପଟୌଦି ଟ୍ରଫି ହେଲା ସଚିନ-ଆଣ୍ଡରସନ୍ ଟ୍ରଫି

ଭାରତ-ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳା ଗତ ୧୮ ବର୍ଷ ହେବ ପଟୌଦି ଟ୍ରଫି ପାଇଁ ଖେଳାଯାଉଥିଲା। ଭାରତୀୟ କ୍ରିକେଟ୍ ଦଳର ଦୁଇ ପୂର୍ବତନ ଅଧିନାୟକ ତଥା ଉଭୟ ଭାରତ ଓ ଇଂଲଣ୍ଡ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିବା ମନସୁର ଅଲୀ ଖାନ୍ ପଟୌଦି ତଥା ତାଙ୍କ ପିତା ଇଫତିକାର ଅଲୀ ଖାନ୍ ପଟୌଦିଙ୍କ ନାଁ ଅନୁସାରେ ଏହାକୁ ପଟୌଦି ଟ୍ରଫି କୁହାଯାଉଥିଲା। ଏବର୍ଷ କିନ୍ତୁ ଏହି ଟ୍ରଫିର ନାଁକୁ ବଦଳାଇ ଦିଆଯାଇଛି। ନୂଆ ଟ୍ରଫିର ନାଁ ଦୁଇଦେଶର ଦୁଇ ମହାନ କ୍ରିକେଟର୍ ସଚିନ ତେନ୍ଦୁଲକର ଏବଂ ଜେମ୍ସ ଆଣ୍ଡରସନ୍‌ଙ୍କ ନାଁରେ ‘ସଚିନ-ଆଣ୍ଡରସନ୍’ ଟ୍ରଫି ରଖାଯାଇଛି। ସୂଚନାଯୋଗ୍ୟ ଯେ ଭାରତ-ଇଂଲଣ୍ଡ ଟେଷ୍ଟ୍ କ୍ରିକେଟ୍ ସଂପର୍କର ୭୫ ବର୍ଷ ପୂର୍ତ୍ତି ଅବସରରେ ୨୦୦୭ ମସିହାରେ ପଟୌଦି ଟ୍ରଫିର ଶୁଭାରମ୍ଭ ‌ହୋଇଥିଲା। ୧୮ବର୍ଷ ପରେ ଏହାର ନୂଆ ନାମକରଣ ହୋଇଛି।