କ୍ରିକେଟ୍‌କୁ ଭଲ ପାଉଥିଲେ କରୁଣାନିଧି, ସଚିନ-ଧୋନିଙ୍କୁ କରୁଥିଲେ ପ୍ରଶଂସା

ନୂଆଦିଲ୍ଲୀ: କବି, ଲେଖକ ତଥା ରାଜନୀତିଜ୍ଞ ଏମ୍‌. କରୁଣାନିଧି କ୍ରିକେଟ୍‌କୁ ଖୁବ୍‌ ଭଲ ପାଉଥିଲେ। ସେ ସଚିନ ତେନ୍ଦୁଲକର ଓ ମହେନ୍ଦ୍ର ସିଂହ ଧୋନିଙ୍କ ବଡ଼ ପ୍ରଶଂସକ ଥିଲେ। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ସୁପ୍ରିମୋ କରୁଣାନିଧିଙ୍କୁ ଭଲଭାବରେ ଜାଣିଥିବା ଲୋକେ କୁହନ୍ତି, ସେ କ୍ରିକେଟ୍‌ ମ୍ୟାଚ୍‌ ଦେଖିବାକୁ ଭଲ ପାଉଥିଲେ। ସେଥିପାଇଁ ସେ ବିଭିନ୍ନ ସମୟରେ ଚେନ୍ନାଇର ଏମ୍‌.ଏ ଚିଦାମ୍ବରମ ଷ୍ଟାଡିୟମ୍‌କୁ ମଧ୍ୟ ଯାଉଥିଲେ। କରୁଣାନିଧି ଜଣେ ଉତ୍ସାହୀ କ୍ରିକେଟ ପ୍ରଶଂସକ ଥିଲେ ଓ ମ୍ୟାଚ୍‌ ଅପଡେଟ୍‌ ଉପରେ ନଜର ରଖୁଥିଲେ। ଚଳିତ ବର୍ଷ ମାର୍ଚ୍ଚରେ ନିଜ ପୁଅ ଏମ୍‌.କେ ଷ୍ଟାଲିନ୍‌ଙ୍କ ଜନ୍ମଦିନରେ ନାତିଙ୍କ ସହିତ ‘ଇନ୍‌ଡୋର୍‌ କ୍ରିକେଟ’ ଖେଳିବା ଭାଇରାଲ ହୋଇଥିଲା।

କରୁଣାନିଧିଙ୍କ ଝିଅ କାଣିମୋଝୀ ଏକ ସାକ୍ଷାତକାରରେ ଖୁଲାସା କରିଥିଲେ ଯେ, ପିତା ବହୁ ବ୍ୟସ୍ତତା ମଧ୍ୟରେ ଟେଲିଭିଜନରେ କ୍ରିକେଟ ଦେଖିବାକୁ ସମୟ ବାହାର କରିଥାନ୍ତି। ସେ ତାଙ୍କ ସହଯୋଗୀଙ୍କ ସହିତ ଲାଇଫ୍‌ ମ୍ୟାଚ୍‌ ଦେଖିବାକୁ ଭଲ ପାଆନ୍ତି।

କପିଳ ଦେବ, ଜଭାଗଲ ଶ୍ରୀନାଥ, ସଚିନ ତେନ୍ଦୁଲକର ଓ ଚେନ୍ନାଇ ସୁପର କିଙ୍ଗସ୍‌ର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଭଳି ତାରକାଙ୍କୁ କରୁଣାନିଧି ବହୁତ ପ୍ରଶଂସା କରୁଥିଲେ। ବିଶ୍ୱକପ୍‌-୨୦୧୧ ବିଜେତା ଭାରତୀୟ ଟିମ୍‌କୁ ସେ ୩ କୋଟି ଟଙ୍କା ପୁରସ୍କାର ଦେଇଥିଲେ। ଏଥି ସହିତ ଟିମ୍‌ର ଚେନ୍ନାଇ ଖେଳାଳି ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଏକ କୋଟି ଟଙ୍କା ଦେବା ସହିତ ସମ୍ମାନୀତ କରିଥିଲେ।

୨୦୧୪ରେ ପ୍ରକାଶିତ ସଚିନ ତେନ୍ଦୁଲକରଙ୍କ ଜୀବନୀ ‘ପ୍ଲେଇଙ୍ଗ୍‌ ଇଟ୍‌ ମାଇ ୱେ’ ପଢ଼ିବା ପରେ କରୁଣାନିଧି ମୁମ୍ବାଇର ଏହି କ୍ରିକେଟରଙ୍କୁ ଶୁଭେଚ୍ଛା ଜଣାଇଥିଲେ।

 

ସମ୍ବନ୍ଧିତ ଖବର