ଓ୍ଵଜ୍‌ନିଆକିଙ୍କୁ ବିଦା କରି କ୍ୱାର୍ଟରରେ କାସାକିନା

ପ୍ୟାରିସ୍‌: ବିଶ୍ୱର ଦ୍ୱିତୀୟ ମାନ୍ୟତା ଖେଳାଳି କାରୋଲିନ୍‌ ଓ୍ଵଜ୍‌ନିଆକିଙ୍କୁ ୬-୭, ୩-୬ ସେଟ୍‌ରେ ହରାଇ ଚତୁର୍ଦଶ ମାନ୍ୟତା ଦାରିଆ କାସାକିନା ପ୍ରଥମ ଥର ଲାଗି ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାର କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ରବିବାର ଓ୍ଵଜ୍‌ନିଆକି ପ୍ରଥମ ସେଟ୍‌ ହାରିଯାଇଥିଲେ। ହେଲେ ଦ୍ୱିତୀୟ ସେଟ୍‌ ସ୍ଥିତି ୩-୩ ଥିଲା ବେଳେ କମ୍‌ ଆଲୁଅ ଯୋଗୁଁ ମ୍ୟାଚ୍‌ ବନ୍ଦ ରହିଥିଲା। ସୋମବାର ଡେନମାର୍କ ଲଳନା ଓ୍ଵଜ୍‌ନିଆକିଙ୍କୁ ସେହି ୩ ପଏଣ୍ଟ୍‌ରେ ଅଟକାଇ ରୁଷୀୟ ତାରକା କାସାକିନା ୩ ପଏଣ୍ଟ୍‌ ହାସଲ କରି ମ୍ୟାଚ୍‌ ଜିତି ନେଇଥିଲେ। କ୍ୱାର୍ଟର୍‌ ଫାଇନାଲ୍‌ରେ କାସାକିନାଙ୍କ ଭେଟ ଆମେରିକାର ସ୍ଲୋଆନି ଷ୍ଟିଫେନ୍ସଙ୍କ ସହ ହେବ। ଶୀର୍ଷ ମାନ୍ୟତା ସିମୋନା ହାଲେପ ମଧ୍ୟ ସୋମବାର ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ଷୋଡ଼ଶ ମାନ୍ୟତା ବେଲ୍‌ଜିୟମର ଏଲିସ୍‌ ମାର୍ଟେନ୍‌ସଙ୍କୁ ସିଧାସଳଖ ୬-୨, ୬-୧ ସେଟ୍‌ରେ ହରାଇ କ୍ୱାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଛନ୍ତି। ଦୁଇ ଥରର ଉପବିଜେତା ରୋମାନିଆର ହାଲେପ୍‌ଙ୍କର ଏହା ତୃତୀୟ ଫ୍ରେଞ୍ଚ୍‌ ଓପନ୍‌ କ୍ୱାର୍ଟର୍‌ ଫାଇନାଲ୍‌ ପ୍ରବେଶ। ଦ୍ୱାଦଶ ମାନ୍ୟତା ଜର୍ମାନିର ଆଞ୍ଜେଲିକ୍‌ କେର୍ବର୍‌ ୬-୨, ୬-୩ ସିଧାସଳଖ ସେଟ୍‌ରେ ସପ୍ତମ ମାନ୍ୟତା ଫ୍ରାନ୍ସର କାରୋଲିନ୍‌ ଗ୍ରାସିଆଙ୍କୁ ହରାଇ କ୍ୱାର୍ଟର୍‌ରେ ସ୍ଥାନ ପକ୍କା କରିଛନ୍ତି। ୟୁକ୍ରେନ୍‌ର ଲେସିଆ ସୁରେଙ୍କୋ ଓହରି ଯିବାରୁ ତୃତୀୟ ସ୍ପେନ୍‌ର ଗାର୍ବିନେ ମୁଗୁରୁଜା କ୍ୱାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଥିଲେ। ପ୍ରଥମ ସେଟ୍‌ରେ ମୁଗୁରୁଜା ୨-୦ରେ ଆଗୁଆ ଥିଲା ବେଳେ ସୁରେଙ୍କୋଙ୍କ ଗୋଡ଼ରେ ଆଘାତ ଲାଗିବାରୁ ସେ ଓହରି ଯାଇଥିଲେ।

ସେରେନା ଓହରିଲେ

କନ୍ୟା ସନ୍ତାନର ଜନ୍ମ ପାଇଁ ଦୀର୍ଘ ୧୫ ମାସ ପରେ ଗ୍ରାଣ୍ଡସ୍ଲାମ୍‌ ଟେନିସ୍‌କୁ ଫେରିଥିବା ଆମେରିକୀୟ ତାରକା ସେରେନା ଓ୍ଵିଲିୟମ୍ସ ଚଳିତ ଫ୍ରେଞ୍ଚ ଓପନରୁ ଓହରି ଯାଇଛନ୍ତି। ସୋମବାର ଖେଳାଯିବାକୁ ଥିବା ରୁଷୀୟ ସୁନ୍ଦରୀ ମାରିଆ ସାରାପୋଭାଙ୍କ ବିପକ୍ଷ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ ଆରମ୍ଭ ହେବାର କିଛି ମିନିଟ୍‌ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହି ଘୋଷଣା କରିଥିଲେ। ଯାହା ତାଙ୍କ ପ୍ରଶଂସକଙ୍କୁ ବିସ୍ମିତ କରି ଦେଇଥିଲା। ତେବେ ୩୬ ବର୍ଷୀୟା ସେରେନାଙ୍କ ବକ୍ଷସ୍ଥଳ ମାଂସପେସୀ ଟାଣି ହୋଇ ଥିବାରୁ ସେ ଏହି ସମ୍ମାନଜନକ ପ୍ରତିଯୋଗିତାରୁ ଓହରିବାକୁ ବାଧ୍ୟ ହୋଇଥିବା ଜଣା ପଡ଼ିଛି। ପୂର୍ବତନ ଶୀର୍ଷ ମାନ୍ୟତା ଖେଳାଳି ସେରେନା ଜର୍ମାନିର ଜୁଲିଆ ଜର୍ଜିଦସ୍‌ଙ୍କ ବିପକ୍ଷ ତୃତୀୟ ପର୍ଯ୍ୟାୟ ମୁକାବିଲା ଖେଳୁଥିଲା ବେଳେ ଆହତ ହୋଇଥିଲେ। ଏଥିପାଇଁ କ୍ରମଶଃ ଯନ୍ତ୍ରଣା ବଢ଼ିବାରୁ ପ୍ରି-କ୍ୱାର୍ଟର ପୂର୍ବରୁ ଓହରି ଯିବାକୁ ବାଧ୍ୟ ହୋଇଥିଲେ। ତେବେ ସ୍କାନିଂ ପାଇଁ ଆଉ କିଛି ଦିନ ସେ ପ୍ୟାରିସ୍‌ରେ ରହିବେ ବୋଲି ୨୩ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ସେରେନା କହିଛନ୍ତି। ସ୍କାନିଂ ପରେ କେବେ ପଡ଼ିଆକୁ ଓହ୍ଲାଇବେ ତାହା ଜଣା ପଡ଼ିବ ବୋଲି ସେ ଏହି ଅବସରରେ କହିଥିଲେ। ବର୍ଷର ତୃତୀୟ ଗ୍ରାଣ୍ଡ୍‌ସ୍ଲାମ୍‌ ଓ୍ଵିମ୍ବଲ୍‌ଡନ ଓପନ ଆଉ ମାତ୍ର ୪ ସପ୍ତାହ ଥିଲା ବେଳେ ସେରେନା ଏଥିରେ ଖେଳିବା ନେଇ ସନ୍ଦେହ ଉପୁଜିଛି। ୨୦୦୪ ପରଠାରୁ ସାରାପୋଭାଙ୍କ ବିପକ୍ଷରେ ଖେଳିଥିବା ସମସ୍ତ ୧୮ ମ୍ୟାଚ୍‌ରେ ସେରେନା ବିଜୟୀ ହୋଇଥିଲେ। ସେ ଓହରିବା ପରେ ସାରାପୋଭା ବିନା ପରିଶ୍ରମରେ ସିଧାସଳଖ କ୍ୱାର୍ଟର୍‌ ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ୨୦୧୨ ଏବଂ ୨୦୧୪ରେ ଏଠାରେ ବିଜୟିନୀ ହୋଇଥିବା ସାରାପୋଭା ୨୦୧୬ରେ ନିଷିଦ୍ଧ ଔଷଧ ସେବନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୫ ମାସ ବାସନ୍ଦାଦେଶ ପରେ କୋର୍ଟକୁ ଫେରିଥିଲେ। ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବରରେ କନ୍ୟା ଅଲିମ୍ପିଆକୁ ଜନ୍ମ ଦେବା ପରେ ସେରେନାଙ୍କ ଏହା ତୃତୀୟ ପ୍ରତିଯୋଗିତା।

ନାଦାଲ ବି ଆଗେଇଲେ

ପୁରୁଷ ଏକକରେ ଶୀର୍ଷ ମାନ୍ୟତା ରାଫେଲ୍‌ ନାଦାଲ୍‌, ତୃତୀୟ ମାନ୍ୟତା ମାରିନ୍‌ ସିଲିକ୍‌, ପଞ୍ଚମ ମାନ୍ୟତା ଜୁଆନ୍‌ ମାର୍ଟିନ୍‌ ଡେଲ୍‌ପୋତ୍ରୋ ଏବଂ ଏକାଦଶ ମାନ୍ୟତା ଡିଏଗୋ ଶ୍ଚଓ୍ଵାର୍ଜମ୍ୟାନ୍‌ ସୋମବାର ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ ବାଧା ଅତିକ୍ରମ କରିଛନ୍ତି। ସ୍ପେନ୍‌ ତାରକା ନାଦାଲ୍‌ ୬-୩, ୬-୨, ୭-୬ ସେଟ୍‌ରେ ଜର୍ମାନିର ମାକ୍ସିମିଲେନ୍‌ ମାର୍ଟିନର୍‌ଙ୍କୁ, କ୍ରୋଏସିଆର ସିଲିକ୍‌ ୬-୪, ୬-୧, ୩-୬, ୬-୭, ୬-୩ ସେଟ୍‌ରେ ଅଷ୍ଟାଦଶ ମାନ୍ୟତା ଇଟାଲିର ଫାବିଓ ଫୋଗନିନିଙ୍କୁ, ଆର୍ଜେଣ୍ଟିନାର ଡେଲ୍‌ପୋତ୍ରୋ ୬-୪, ୬-୪, ୬-୪ ସେଟ୍‌ରେ ନବମ ମାନ୍ୟତା ଆମେରିକାର ଜନ୍‌ ଇସନର୍‌ଙ୍କୁ ଏବଂ ଆର୍ଜେଣ୍ଟିନାର ଶ୍ଚଓ୍ଵାର୍ଜମ୍ୟାନ୍‌ ୧-୬, ୨-୬, ୭-୫, ୭-୬, ୬-୨ ସେଟ୍‌ରେ ଷଷ୍ଠ ମାନ୍ୟତା ଦକ୍ଷିଣ ଆଫ୍ରିକାର କେଭିନ୍‌ ଆଣ୍ଡରସନ୍‌ଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର