ଇତିହାସ ରଚିଲେ କାସ୍‌ଭୀ, ଦିନିକିଆରେ ହ୍ୟାଟ୍ରିକ୍‌ ସହ ୧୦ ୱିକେଟ୍‌

କଡ଼ପା: ଚଣ୍ଡୀଗଡ଼ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ଦଳର ଦ୍ରୁତ ବୋଲର କାସ୍‌ଭୀ ଗୌତମ ମଙ୍ଗଳବାର ଇତିହାସ ରଚିଛନ୍ତି। ଆନ୍ଧ୍ର ପ୍ରଦେଶର କଡ୍‌ପାସ୍ଥିତ କେଏସ୍‌ଆର୍‌ଏମ୍‌ କଲେଜ ପଡ଼ିଆରେ ଚାଲିଥିବା ୧୯ ବର୍ଷରୁ କମ୍‌ ମହିଳା ଦିନିକିଆ ପ୍ରତିଯୋଗିତାର ଏକ ମ୍ୟାଚ୍‌ରେ କାସ୍‌ଭୀ ହ୍ୟାଟ୍ରିକ୍‌ ସହ ୧୦ ୱିକେଟ୍‌ ଅକ୍ତିଆର କରି କିଂବଦନ୍ତି ସ୍ପିନର ଅନୀଲ କୁମ୍ବଲେଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଅରୁଣାଚଳ ପ୍ରଦେଶ ବିପକ୍ଷ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଚଣ୍ଡୀଗଡ଼ ଅଧିନାୟିକା କାସ୍‌ଭୀଙ୍କ ୪୯ ରନ୍‌ ବଳରେ ୪ ୱିକେଟ୍‌‌ ହରାଇ ୧୮୬ ରନ୍‌ କରିଥିଲା। ବ୍ୟାଟିଂ ସଫଳତା ପରେ କାସ୍‌ଭୀ ବୋଲିଂରେ ମଧ୍ୟ ନିଜ ଯାଦୁ ଦେଖାଇଥିଲେ। ସେ ହ୍ୟାଟ୍ରିକ୍‌ ସାଙ୍ଗକୁ ସମସ୍ତ ୧୦ ୱିକେଟ୍‌ ଅକ୍ତିଆର କରିବାରୁ ଅରୁଣାଚଳ ପ୍ରଦେଶ ୮.୫ ଓଭରରେ ୨୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯ‌ାଇଥିଲା। ଚଣ୍ଡୀଗଡ଼ ୧୬୧ ରନ୍‌ରେ ମ୍ୟାଚ୍‌ ଜିତି ନେଇଥିଲା। ପ୍ରଥମ ଓଭର‌ରେ କାସ୍‌ଭୀ କୌଣସି ରନ୍‌ ବ୍ୟୟ ନକରି ୨ ୱିକେଟ୍‌ ନେଇଥିଲେ। ଏହା ପରେ ମ୍ୟାଚ୍‌ର ତୃତୀୟ ଓ ନିଜର ଦ୍ବିତୀୟ ଓଭରର ଶେଷ ୩ ବଲ୍‌ରେ ୩ ୱିକେଟ୍‌ ନେଇ ହ୍ୟାଟ୍ରିକ ସଫଳତା କରାୟତ୍ତ କରିଥିଲେ। ନିଜର ତୃତୀୟ ଓଭରରେ ଦୁଇଟି ସଫଳତା ପାଇଥିଲା ବେଳେ ‌ଚତୁର୍ଥ ଓଭରରେ ୱିକେଟ୍‌ ଶୂନ୍ୟ ରହିଥିଲେ। ହେଲେ ପଞ୍ଚମ ଓଭରର ୪ ବଲ୍‌ ମଧ୍ୟରେ ଶେଷ ୩ ୱିକେଟ୍‌ ଅକ୍ତିଆର କରି ନିଜ ବୋଲିଂ ଚିତ୍ର ୪.୫-୧-୧୨-୧୦ ରଖିଥିଲେ। ଅରୁଣାଚଳ ପ୍ରଦେଶର କେବଳ ଜଣେ ବ୍ୟାଟ୍‌ର ୨ ଅଙ୍କ ଛୁଇଁଥିଲା ବେଳେ ୭ ଜଣ କୌଣସି ରନ୍‌ କରିବାକୁ ସକ୍ଷମ ହୋଇନଥିଲେ। ଦଳକୁ ୮ ରନ୍‌ ଅକ୍ତିରିକ୍ତରେ ମିଳିଥିଲା।

ସମ୍ବନ୍ଧିତ ଖବର