ଭୁବନେଶ୍ବର: ଉଦୀୟମାନ ଓଡ଼ିଆ ଝିଅ କାଶିକା ମିଶ୍ର ଏବେ ନିଜ ଗଲ୍ଫ କ୍ୟାରିୟର୍ରେ ବଡ଼ ପାଦ ଆଗକୁ ବଢ଼ାଇଛନ୍ତି। ଦିଲ୍ଲୀରେ ଖେଳ ଜୀବନ ଗଢ଼ିଥିବା ୧୬ ବର୍ଷୀୟା କାଶିକା ଆମୱେ ନ୍ୟୁଟ୍ରିଲାଇଫ୍ ଗଲ୍ଫ ଟୁର୍-ଆଇଟିସି କ୍ଲାସିକ୍ ଇଭେଣ୍ଟରେ ବିଜୟିନୀ ହେବା ସହିତ ବିଶ୍ବ ଆମେଚର୍ ଗଲ୍ଫ ମାନ୍ୟତାରେ ସ୍ଥାନ ପାଇଛନ୍ତି। ପ୍ରଥମ ଓଡ଼ିଆ ଝିଅ ଭାବେ ଏହି ବିଶ୍ବ ମାନ୍ୟତା ପାଇଥିବା କାଶିକା ଏତି ସହିତ ଚଳିତ ବର୍ଷ ଆମେରିକାର କାଲିଫର୍ଣ୍ଣିଆରେ ଅନୁଷ୍ଠିତ ହେବାକୁ ଥିବା ଏଫସିଜି କାଲାୱେ ୱାର୍ଲଡ ବିଶ୍ବ ଚାମ୍ପିଅନସିପ୍ ଜୁନିୟର୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗଞ୍ଜାମ ଜିଲ୍ଳା ଧରାକୋଟ ନିକଟସ୍ଥ ଏକ ଗାଁର ବ୍ରିଗେଡିୟର୍ ଟିକେ ମିଶ୍ର ଓ କିରଣଙ୍କ କନ୍ୟା କାଶିକା ପୂର୍ବରୁ ନାଚ ଓ ରାଇଡିଂରେ ରୁଚି ରଖିଥିଲେ ମଧ୍ୟ ପିତାଙ୍କ ଗଲ୍ଫ ଖେଳରେ ପ୍ରଭାବିତ ହୋଇ ୨୦୧୯ରୁ ଏଥିରେ ସାମିଲ ହୋଇଥିଲେ।
ନୂଆଦିଲ୍ଲୀର ଗୁରୁଗ୍ରାମସ୍ଥିତ ଡିଏଲ୍ଏଫ ଏକାଡେମିରେ ରାଜୁ ଜେମ୍ସଙ୍କଠାରୁ ପ୍ରାରମ୍ଭିକ ଶିକ୍ଷା କରିବା ପରେ ଏବେ ପ୍ରତିଷ୍ଠିତ ପ୍ରଶିକ୍ଷକ ଆନିତ୍ୟ ଚାନ୍ଦ ଓ ଡିପି ସିଂହଙ୍କଠାରୁ ଗମ୍ଭୀରତାର ସହ ଗଲ୍ଫ ଶିଖୁଛନ୍ତି। ୨୦୨୨-୨୩ ଋତୁରେ କାଶିକା ୯ଟି ଟୁର୍ ଇଭେଣ୍ଟରେ ଅଂଶଗ୍ରହଣ କରି ୨ଟିରେ ଉପବିଜୟିନୀ ହୋଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ କାଶିକା ପିପିଟିଭି ଜୁନିୟର୍ ଗଲ୍ଫ ପ୍ରତିଯୋଗିତା (ଥାଇଲାଣ୍ଡ) ଏବଂ ଜୁନିଅର୍ ଆଫ୍ରିକା ଚାଲେଞ୍ଜ (ଦକ୍ଷିଣ ଆଫ୍ରିକା)ରେ ଅଂଶଗ୍ରହଣ କରିସାରିଛନ୍ତି। କାଲିଫର୍ଣ୍ଣିଆ, ସିଙ୍ଗାପୁରରେ ଦୁଇଟି ପ୍ରମୁଖ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗୁରୁଗ୍ରାମର ଶ୍ରୀରାମ ସ୍କୁଲ୍ରେ ଏକାଦଶ ଶ୍ରେଣୀରେ ପ୍ରବେଶ କରିଥିବା କାଶିକା ଆଇସିଏସ୍ଇ ବୋର୍ଡରେ ମଧ୍ୟ ୯୦ ପରସେଣ୍ଟାଇଲ୍ ସ୍କୋର୍ ସହିତ ଭଲ ଛାତ୍ରୀ ଭାବେ ନିଜକୁ ପରିଚିତ କରିଛନ୍ତି।