କଶ୍ମୀର ଶ୍ରମିକରୁ ୨୦ ଲକ୍ଷ ଚୁକ୍ତି

ଶ୍ରୀନଗର: ଚଳିତ ବର୍ଷର ଆଇପିଏଲ୍‌ ନିଲାମ ପରେ ଅନେକ ଯୁବ କ୍ରିକେଟରଙ୍କ ଭାଗ୍ୟ ବଦଳି ଯାଇଛନ୍ତି। ଗରିବ ପରିବାରରୁ ଆସି ଦୈନଦିନ ଗୁଜରାଣ ମେଣ୍ଟାଇବା ଲାଗି ଛୋଟ ଛୋଟ କାମ କରୁଥିବା ଅନେକ କିଶୋର ତଥା ଯୁବ କ୍ରିକେଟର ହଠାତ୍‌ କୋଟିପତି ପାଲଟି ଯାଇଛନ୍ତି। ଆଇପିଏଲ୍‌ ସେମାନଙ୍କ ଜୀବନ ଧାରଣର ମାନକୁ ଏକପ୍ରକାର ବଦଳାଇ ଦେଇଛି। ଏହାକୁ ଏକ ସୁଯୋଗ ଭାବେ ନେଇ ଏହି କ୍ରିକେଟରମାନେ ନିଜ ନିଜର ପୁରୁଣା ସ୍ୱପ୍ନକୁ ପୂରଣ କରିବାରେ ଲାଗି ପଡ଼ିଛନ୍ତି। ଏମିତି ଜଣେ କ୍ରିକେଟର ହେଉଛନ୍ତି ଆତଙ୍କବାଦ ଜର୍ଜରିତ ଜମ୍ମୁ କଶ୍ମୀର ବ୍ୟାଟ୍ସମ୍ୟାନ୍‌ ମନଜୁର ଅହମ୍ମଦ ଦାର୍‌। ଏକଦା ଦିନ ମଜୁରିଆ ଭାବେ ଦିନକୁ ମାତ୍ର ୬୦ ଟଙ୍କା ରୋଜଗାର କରୁଥିବା ମନଜୁରଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଲକ୍ଷ ଟଙ୍କାରେ କିଣିଛି। ଯାହା ତାଙ୍କୁ ଅସୀମିତ ଆନନ୍ଦ ଦେଇଛି। ମନଜୁର ଗତ ତିନି ବର୍ଷ ହେବ ନିଜ ପରିବାର ଲାଗି ଏକ ଘର ତୋଳୁଛନ୍ତି। ହେଲେ ଏହାକୁ ସଂପୂର୍ଣ୍ଣ କରି ପାରୁ ନାହାନ୍ତି। ଆଇପିଏଲ୍‌ ପଇସାରେ ସେଥିରେ ସେ ଅନ୍ତତଃ କବାଟ ଝରକା ଲଗାଇ ପାରିବେ ବୋଲି ମନଜୁର କହିଛନ୍ତି। ସେହିଭଳି ଏହି ଅର୍ଥର କିଛି ଅଂଶ ନିଜ ରୋଗିଣା ମା’ଙ୍କ ଚିକିତ୍ସାରେ ବ୍ୟୟ କରିବେ ବୋଲି ମଧ୍ୟ ଅବେଗପୂର୍ଣ୍ଣ କଣ୍ଠରେ ମନଜୁର ପ୍ରକାଶ କରିଛନ୍ତି।

ଆସନ୍ତାମାସର ବିଜୟ ହଜାରେ ଟ୍ରଫି ଲାଗି ଜମ୍ମୁ କଶ୍ମୀ ଦଳ ସହ ଶ୍ରୀନଗରରେ ପ୍ରସ୍ତୁତି ଚଳାଇଥିବା ମନଜୁର ଏହି ରାଜ୍ୟର ଯୁବବର୍ଗ ପାଇଁ ଏବେ ପ୍ରେରଣା ପାଲଟିଛନ୍ତି। ଆଇପିଏଲ୍‌ ଚୁକ୍ତି ହାସଲ କରିବା ଖବର ଘୋର ଆର୍ଥିକ ଅନଟନ ଦେଇ ଗତି କରୁଥିବା ତାଙ୍କ ପରିବାର ପାଇଁ ସଂଜୀବନୀ ସଦୃଶ ହୋଇଛି। ନିଲାମରେ ବିକ୍ରି ହୋଇଥିବା ଖବର ପାଇବା ପରେ ମନଜୁରଙ୍କ ଘରକୁ ୩୦,୦୦୦ ଲୋକ ଆସି ଅଭିନନ୍ଦନ ଜଣାଇବା ତାଙ୍କୁ ସବୁଠୁ ବେଶୀ ଖୁସି ଦେଇଛି। ଜମ୍ମୁ କଶ୍ମୀରର ବନ୍ଦିପୁରାର ସୁଗନପୁରା ଗଣସ୍ତାନ ଗ୍ରାମରେ ୧୯୯୩ ମସିହା ନଭେମ୍ବର ପହିଲାରେ ଜନ୍ମଗ୍ରହଣ କରିଥିବା ମନଜୁର ହେଉଛନ୍ତି ଜଣେ ଅଲରାଉଣ୍ଡର। ଡାହାଣହାତୀ ବ୍ୟାଟିଂ ସହ ସେ ମଧ୍ୟ ଅଫ୍‌ ସ୍ପିନ୍‌ ବୋଲିଂ କରନ୍ତି। ୬ ପୁଟ ୨ ଇଞ୍ଚ ଉଚ୍ଚତା ବିଶିଷ୍ଟ ତଥା ସାଙ୍ଗ ସାଥୀ ମହଲରେ ପାଣ୍ଡବ ଭାବେ ପରିଚିତ ମନଜୁର ଗତବର୍ଷ ବିଜୟ ହାଜାରେ ଟ୍ରଫିରେ ନିଜ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଜୀବନ ଆରମ୍ଭ କରିଥିଲେ। ୧୦ ବର୍ଷ ବସୟରେ କ୍ରିକେଟ୍‌ ଖେଳିବା ଆରମ୍ଭ କରିଥିବା ମନଜୁର ଗ୍ରାମ୍ୟସ୍ତରୀୟ କ୍ରିକେଟ୍‌ରେ ବିଶାଳ ଛକା ମାରି ଲୋକଲୋଚନକୁ ଆସିଥିଲେ। ସେ ମଧ୍ୟ ଏକଦା ଜମ୍ମୁ କଶ୍ମୀରର ଏକ କାର୍‌ ସୋରୁମ୍‌ରେ ସୁରକ୍ଷାକର୍ମୀ ଚାକିରି କରୁଥିଲେ।
ସେହବାଗଙ୍କ ଭଣଜା
ଚଳିତ ବର୍ଷର ଆଇପିଏଲ୍‌ ନିଲାମରେ ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହବାଗଙ୍କ ଭଣଜା ମୟଙ୍ଗ ଦାଗର ମଧ୍ୟ ସାମିଲ ଥିଲେ। ୨୧ ବର୍ଷୀୟ ଦାଗରଙ୍କୁ ଦୁଇଟି ପର୍ଯ୍ୟାୟ ନିଲାମରେ କେହି କିଣି ନଥିଲେ। ହେଲେ ନିଲାମ ଶେଷରେ ହୋଇଥିବା ୧୫ ଜଣ ଖେଳାଳିଙ୍କ ସ୍ୱତନ୍ତ୍ର ଡାକରେ କିଙ୍ଗ୍ସ ଏକାଦଶ ପଞ୍ଜାବ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା। ଭାରତୀୟ ୧୯ ବର୍ଷରୁ କମ୍‌ ଦଳର ପ୍ରତିନିଧିତ୍ୱ କରି ସାରିଥିବା ଦାଗର ଘରୋଇ କ୍ରିକେଟ୍‌ରେ ହିମାଚଳପ୍ରଦେଶ ପକ୍ଷରୁ ଖେଳନ୍ତି। ୧୩ ଟେ୍ଵଣ୍ଟି-୨୦ରେ ସେ ହିମାଚଳର ପ୍ରତିନିଧିତ୍ୱ କରିଛନ୍ତି। ସେଥିମଧ୍ୟରେ ମାତ୍ର ୨୦.୮ ହାରରେ ରନ୍‌ କରିବା ସହ ୧୨ ଓ୍ଵିକେଟ୍‌ ନେଇଛନ୍ତି। ହେଲେ ସେହବାଗଙ୍କ ମାର୍ଗଦର୍ଶନରେ ସେ ଏହି ପ୍ରଦର୍ଶନରେ ଉନ୍ନତି ଆଣିବା ଲକ୍ଷ୍ୟରେ ରହିଛନ୍ତି।
ବିର୍ଲା ସାମ୍ରାଜ୍ୟ ଉତ୍ତରାଧିକାରୀ
କୁମାର ମଙ୍ଗଳମ୍‌ ବିର୍ଲା ହେଉଛନ୍ତି ଭାରତର ଅନ୍ୟତମ ଧନୀ ଓ ପ୍ରତିଷ୍ଠିତ ବ୍ୟବସାୟୀ। ତାଙ୍କ ବ୍ୟକ୍ତିଗତ ସମ୍ପତ୍ତିର ମୂଲ୍ୟ ୧୨.୭ ବିଲିୟନ ଡଲାର ବା ପାଖା ପାଖି ୮୧୦୦୦ କୋଟି ଟଙ୍କା। ହେଲେ କୁମାରଙ୍କ ପୁଅ ଆର୍ଯ୍ୟମନ ବିର୍ଲା କ୍ରିକେଟ୍‌ ପାଇଁ ପାଗଳ। ପିତାଙ୍କ ବ୍ୟବସାୟ ସାମ୍ରାଜ୍ୟ ୬୦ ଦେଶରେ ବ୍ୟାପ୍ତ ଥିଲେ ମଧ୍ୟ ଆଇପିଏଲ୍‌ ଚୁକ୍ତି ତାଙ୍କୁ ଦେଇଛି ଅସୀମ ଆନନ୍ଦ। ଆର୍ଯ୍ୟମନଙ୍କୁ ରାଜସ୍ଥାନ ରୟାଲ୍ସ ମାତ୍ର ୩୦ ଲକ୍ଷ ଟଙ୍କାରେ କିଣିବା ପରେ ତାଙ୍କ ପରିବାରରେ ଖୁସିର ଲହରି ଖେଳି ଯାଇଛି। ଟଙ୍କା ନୁହେଁ ସେ ନିଜ ପ୍ରତିଭା ବଳରେ ଆଇପିଏଲ୍‌ ଚୁକ୍ତିି ପାଇବା ହିଁ ତାଙ୍କ ପରିବାରକୁ ଅଧିକ ଖୁସି ଦେଇଛି। ଆର୍ଯ୍ୟମନ ପୂର୍ବରୁ ମୁମ୍ବାଇରେ କ୍ରିକେଟ୍‌ ଖେଳୁଥିଲେ। ହେଲେ ସେଠାରେ ସୁଯୋଗ ନପାଇବା ପରେ ମଧ୍ୟପ୍ରଦେଶ ଚାଲି ଯାଇଥିଲେ। ମଧ୍ୟପ୍ରଦେଶ ପକ୍ଷରୁ ସିକେ ନାଇଡୁ ଟ୍ରଫି ଖେଳି ୬ ମ୍ୟାଚ୍‌ରୁ ସେ ୭୯୫ ରନ୍‌ ସଂଗ୍ରହ କରିଥିଲେ। ୨୦ ବର୍ଷୀୟ ଆର୍ଯ୍ୟମନ ମଧ୍ୟପ୍ରଦେଶ ରଣଜୀ ଦଳରୁ ମଧ୍ୟ ଦୁଇଟି ମ୍ୟାଚ୍‌ ଖେଳିଛନ୍ତି।

ସମ୍ବନ୍ଧିତ ଖବର