ମସ୍କୋ: ଭାରତୀୟ କିଶୋର ଗ୍ରାଣ୍ଡମାଷ୍ଟର୍ ଡି. ଗୁକେଶଙ୍କ ଐତିହାସିକ ବିଜୟକୁ ଗୌଣ କରିବାକୁ ଚେଷ୍ଟା କରିଛନ୍ତି ରୁଷିଆ ଚେସ୍ ମହାସଂଘ ମୁଖ୍ୟ ଆଣ୍ଡ୍ରେଇ ଫିଲାଟୋଭ୍। ଏପରିକି ଚୀନର ବିଶ୍ବବିଜେତା ଖେଳାଳି ଡିଙ୍ଗ୍ ଲି‌ରେନ୍ ଜାଣିଶୁଣି ସିଙ୍ଗାପୁରରେ ଗୁରୁବାର ଅନୁଷ୍ଠିତ ବିଶ୍ବ ଚାମ୍ପିଅନସିପ୍ ମ୍ୟାଚ୍ ହାରିଥିବା ଭଳି ଅଜବ ଅଭିଯୋଗ ଆଣି ଏହାର ଆନୁଷ୍ଠାନିକ ତଦନ୍ତ କରିବାକୁ ବିଶ୍ବ ଚେସ୍ ମହାସଂଘ (ଫିଡେ) ନିକଟରେ ଦାବି କରିଛନ୍ତି ସେ। ନିଜ ବିତଣ୍ଡା ଯୁକ୍ତିକୁ ପ୍ରମାଣିତ କରିବାକୁ ଯାଇ ସେ କହିଛନ୍ତି, ଚର୍ତୁଦଶ ବା ଶେଷ ରାଉଣ୍ଡରେ ଲିରେନ୍ ଯେଉଁ ସ୍ଥିତିରେ ଥିଲେ, ସେଠାରୁ ମ୍ୟାଚ୍ ହାରିବା ଏକ ପ୍ରକାର ଅସମ୍ଭବ। ସମସ୍ତେ ଜାଣନ୍ତି ଏଭଳି ସ୍ଥିତିରେ ଥାଇ ଜଣେ ପ୍ରଥମଶ୍ରେଣୀ ଚେସ୍ ଖେଳାଳି ବି ମ୍ୟାଚ୍ ଜିତି ଯାଇପାରିଥା’ନ୍ତା। ଲିରେନ୍ ୫୮ତମ ଚାଲ୍ ପରେ ଅଚାନକ ମ୍ୟାଚ୍‌ରୁ ଓହରିଯିବା ମଧ୍ୟ ଚେସ୍‌ପ୍ରେମୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ମ୍ୟାଚ୍‌ର ଘଡ଼ିସନ୍ଧି ମୁହୂର୍ତ୍ତରେ ଲିରେନଙ୍କ ଆଚରଣ ବି ସନ୍ଦେହ ଘେରରେ ରହିଛି। ଏହାର ପୃଥକ ତଦନ୍ତ ହେବା ଦରକାର। ଫିଲାତୋଭଙ୍କ ଭଳି ରୁଷିଆର ପୂର୍ବତନ ବିଶ୍ବ ବିଜେତା ଭ୍ଲାଦିମିର କ୍ରାମ୍‌ନିକ୍‌ ଏହି ମ୍ୟାଚ୍‌ର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ‘ଏକ୍ସ’ ପୃଷ୍ଠାରେ ସେ ଲେଖିଛନ୍ତି, ଲିରେନ୍ ଯେଭଳି ଭାବେ ହାରିଲେ ତାହା ଅତ୍ୟନ୍ତ ଦୁଃଖଦାୟକ। ଚେସ୍ ଏବେ ଶେଷନିଶ୍ବାସ ଛାଡ଼ୁଛି। ଏହି ଦୁଇ ଜଣଙ୍କୁ ଛାଡ଼ିଦେଲେ କିନ୍ତୁ ସାରା ବିଶ୍ବର ବହୁ ଗ୍ରାଣ୍ଡମାଷ୍ଟର୍ ଓ ଲକ୍ଷ ଲକ୍ଷ ଚେସ୍ ଖେଳାଳି ଓ ପ୍ରଶଂସକ ଗୁକେଶଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି ତାଲିକାରେ ରୁଷିଆର ଅନ୍ୟତମ କିଂବଦନ୍ତି ଚେସ୍ ତାରକା ଗ୍ୟାରି କାସ୍ପାରୋଭ ମଧ୍ୟ ରହିଛନ୍ତି। 

Advertisment

କାସ୍ପାରୋଭ ନିଜ ପ୍ରତିକ୍ରିୟାରେ ଗୁକେଶଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଗୁକେଶ ଚେସ୍‌ର ସର୍ବୋଚ୍ଚ ଶୃଙ୍ଗ ଚଢ଼ିଛନ୍ତି। ତାଙ୍କ ମା’ ବହୁତ ଖୁସି ଥିବେ। ଭାରତୀୟ ଚେସ୍‌ର ଭବିଷ୍ୟତ ବେଶ୍ ଉଜ୍ଜ୍ବଳ। ଗୁକେଶ ସଫଳତାର ସହ ନିଜର ସବୁ ପ୍ରତିବନ୍ଧ ଦୂର କରିଛନ୍ତି। ବୟସକୁ ଦେଖିଲେ ତାଙ୍କଠାରୁ ୟାଠୁ ଅଧିକ କିଛି ଆଶା କରାଯାଇ ନପାରେ। କାସ୍ପାରୋଭ ମଧ୍ୟ କ୍ରାମ୍‌ନିକ୍‌ଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବରଂ ଗୁକେଶ ଓ ଲି‌ରେନଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବେଶ୍ ଉଚ୍ଚଗୁଣମାନର ଥିଲା ବୋଲି କହିଛନ୍ତି। ଏମିତିକି ଗତ ବିଶ୍ବ ଚାମ୍ପିଅନ୍‌ସିପ୍ ମ୍ୟାଚ୍‌ଠାରୁ ଏହି ମ୍ୟାଚ୍‌ର ମାନ ଢେର ଅଧିକ ଥିଲା ବୋଲି ମତ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ୩୨ ବର୍ଷୀୟ ଲିରେନ୍ ବିଶ୍ବ ଚାମ୍ପିଅନସିପ୍‌ର ଟାଇଟଲଧାରୀ ଥିଲା ବେଳେ ୧୮ ବର୍ଷୀୟ ଗୁକେଶ ତାଙ୍କ ଚ୍ୟାଲେଞ୍ଜର୍ ଥିଲେ। ୧୪ ରାଉଣ୍ଡ ବିଶିଷ୍ଟ ବିଶ୍ବ ଚାମ୍ପିଅନ୍‌ସିପ୍ ମ୍ୟାଚ୍‌ରେ ଉଭୟ ଖେଳାଳି ତ୍ରୟୋଦଶ ରାଉଣ୍ଡ ସୁଦ୍ଧା ୬.୫ ଲେଖାଏଁ ପାଇ ବରାବର ସ୍ଥିତିରେ ଥିଲେ। ତେବେ ଶେଷ ରାଉଣ୍ଡକୁ ନାଟକୀୟ ଭାବେ ଜିତି ଗୁକେଶ ସର୍ବକନିଷ୍ଠ ଚେସ୍ ବିଶ୍ବବିଜେତା ହେବାର ଗୌରବ ଅର୍ଜନ କରିଥିଲେ।