କାତାର ଓପନ୍‌: କାପୁର-ରାଠୋରଙ୍କୁ ସ୍ବର୍ଣ୍ଣ-ରୌପ୍ୟ

ନୂଆଦିଲ୍ଲୀ,: କାତାର ଓପନ୍‌ ସଟ୍‌ଗନ୍‌ ପ୍ରତିଯୋଗିତାରେ ସୋମବାର ଭାରତକୁ ଯୁଗଳ ଖୁସୀ ମିଳିଛି। ଦୋହାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭିଭିଆନ୍‌ କାପୁର ଓ ମନବାଦିତ୍ୟ ରାଠୋର ଜନିଷ୍ଠ ଟ୍ରାପ୍‌ ବର୍ଗରେ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି। ଅଷ୍ଟ୍ରେଲିଆରେ ଗତବର୍ଷ କନିଷ୍ଠ ବିଶ୍ବକପ୍‌ରେ ପୁରୁଷ ଟ୍ରାପ୍‌ରେ ବ୍ୟକ୍ତିଗତ ଏବଂ ଦଳଗତ କାଂସ୍ୟ ପଦକ ଜିତିଥିବା କାପୁର ଦୋହାରେ ୫ ରାଉଣ୍ଡ୍‌ରୁ ମୋଟ ୧୧୮ ସ୍କୋର୍‌ କରି ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଅକ୍ତିଆର କରିଥିଲେ। ସେହିପରି ଅଲିମ୍ପିକ୍‌ ରୌପ୍ୟ ବିଜେତା ତଥା କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋରଙ୍କ ପୁତ୍ର ମାନବାଦିତ୍ୟ ମୋଟ ୧୧୫ ସ୍କୋର୍‌ ସହ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଥିଲେ। ତେବେ କନିଷ୍ଠ ଟ୍ରାପ୍‌ରେ ଭାରତ ଅଳ୍ପକେ ପଦକ ମୂଳପୋଛ କରିବାରୁ ବଞ୍ଚିତ ହୋଇଥିଲା। ମେନ୍ଦିରତ ୧୦୮ ସ୍କୋର୍‌ କରି ମାତ୍ର ଗୋଟିଏ ପଏଣ୍ଟ୍‌ ପଛରେ ପଡ଼ିଯିବାରୁ କାଂସ୍ୟ ହାତଛଡ଼ା କରିଥିଲେ। ପୋଲାଣ୍ଡର କାପର ଦୋପିରାଲା (୧୦୯) କାଂସ୍ୟ ପଦକ ଜିତି ନେଇଥିଲେ।

ସମ୍ବନ୍ଧିତ ଖବର