କେଟି ଗ୍ଲୋବାଲ କଷ୍ଟୋମାଇଜ୍ ଟେନିସ୍: ରୌନକ ଦୁଇଟି, ସୁରଜ ଗୋଟିଏ ବର୍ଗରେ ବିଜେତା

ଭୁବନେଶ୍ବର: ଓଡିଶା ଟେନିସ୍ ସଂଘ (ଓଟିଏ) ଆନୁକୂଲ୍ୟରେ ଆଇଆଇଜି ସ୍ପୋର୍ଟସ୍ ଏକାଡେମି ପକ୍ଷରୁ କେଟି ଗ୍ଲୋବାଲ୍ ସ୍କୁଲ୍ କ୍ୟାମ୍ପସରେ ଅନୁଷ୍ଠିତ ନିଖିଳ ଓଡ଼ିଶା କଷ୍ଟୋମାଇଜ୍ କନିଷ୍ଠ ଟେନିସ ପ୍ରତିଯୋଗିତାର ୧୨ ଓ ୧୪ ବର୍ଷରୁ କମ୍ ବର୍ଗରେ ରୌନକ ଗିର୍ଲା ବିଜେତା ହୋଇଥିଲା ବେଳେ ୧୦ ବର୍ଷରୁ କମ୍ ବର୍ଗରେ ସୁରଜ ଦାସ ବିଜେତା ଆଖ୍ୟା ଅର୍ଜନ କରିଥିଲେ। ୧୨ ବର୍ଷରୁ କମ୍ ବର୍ଗର ଫାଇନାଲ୍‌ରେ ସ୍ବୟଂ ସାହୁଙ୍କୁ ରୌନକ ପରାସ୍ତ କରିଥିଲା ବେଳେ ୧୪ ବର୍ଷରୁ କମ୍‌ରେ ଆୟୁଷ ପଟ୍ଟନାୟକଙ୍କୁ ପରା‌ସ୍ତ କରିଥିଲେ। ସେହିଭଳି ୧୦ ବର୍ଷରୁ କମ୍‌ରେ ଯୁଗରାଜ ମୁଦୁଲିଙ୍କୁ ହରାଇ ସୁରଜ ବିଜେତା ହୋଇଥିଲେ।

ରବିବାରର ଉଦଯାପନୀ ଉତ୍ସବରେ ବିଜେତା ଖେଳାଳିଙ୍କୁ ନଗଦ ଅର୍ଥ ସହ ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୧୩୦ ଜଣ ଖେଳାଳିଙ୍କ ମଧ୍ୟରୁ ୩୦ ଜଣଙ୍କୁ ୫,୦୦୦ ଟଙ୍କା ଲେଖାଏଁର କୁପନ ଭାଉଚର ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ପିଲାମାନେ ସେମାନଙ୍କ ଦକ୍ଷତା ଅନୁସାରେ ଲାଲ୍, କମଳା ଏବଂ ସବୁଜ ବଲ୍‌ରେ ଖେଳିଥିଲେ। ଏଥିରେ ପୁଅ ଓ ଝିଅଙ୍କୁ ଗୋଟିଏ ଗ୍ରୁପ୍‌ରେ ରଖାଯାଇ ପ୍ରତିଦ୍ବନ୍ଦ୍ବିତା କରାଯାଇଥିଲା। ଆଜିର ଉଦଯାପନୀ ଉତ୍ସବରେ ଅବସରପ୍ରାପ୍ତ ପ୍ରଶାସକ ଉପେନ୍ଦ୍ର ବେହେରା ଏବଂ ଓଟିଏ କାର୍ଯ୍ୟନିର୍ବାହୀ ସଦସ୍ୟ ଅସିତ ପ୍ରଧାନ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।

ସମ୍ବନ୍ଧିତ ଖବର