କେଟି ଗ୍ଲୋବାଲ୍ ସ୍କୁଲ୍‌ ଜୁନିଅର୍‌ ଟେନିସ୍ ଆଜିଠୁ

ଭୁବନେଶ୍ବର: ଓଡ଼ିଶା ଟେନିସ୍ ସଂଘ (ଓଟିଏ) ଏବଂ ଆଇଆଇଜି‌ ସ୍ପୋର୍ଟସ ଏକାଡେମି ପକ୍ଷରୁ ଖୋର୍ଧାର କେଟି‌ ଗ୍ଲୋବାଲ୍ ସ୍କୁଲ୍ ପରିସରରେ ଶୁକ୍ରବାରଠାରୁ ଜୁନିଅର ଓପନ୍‌ ଟେନିସ୍‌ ପ୍ରତିଯୋଗିତା ଆରମ୍ଭ ହେବ। କ୍ରିକେଟ୍‌ ପରେ ଆଇଆଇଜି ସ୍ପୋର୍ଟସ ଏବଂ କେଟି ଗ୍ରୁପ୍‌ ଏବେ ଟେନିସ୍‌କୁ ରାଜ୍ୟରେ ଲୋକପ୍ରିୟ ତଥା ବିକଶିତ କରିବାକୁ ଆଗଭର ଦେଖାଇଛନ୍ତି। ୩ ଦିନିଆ ଏହି ପ୍ରତ‌ିଯୋଗିତାରେ ପ୍ରଥମ ଥର ପାଇଁ ବାଳକ ଓ ବାଳିକାଙ୍କ ପୁରସ୍କାର ରାଶି ସମାନ କରାଯାଇଛି। ବ‌ିଜେତାଙ୍କୁ ୬ ହଜାର ଟଙ୍କା ଲେଖାଏଁ ମିଳିବ। ୩ଟି ବର୍ଗରେ ମୋଟ ୪୦ ହଜାର ଟଙ୍କା ପୁରସ୍କାର ରଖାଯାଇଛି। ୧୨ ବର୍ଷରୁ କମ୍‌ ବାଳକ, ୧୬ ବର୍ଷରୁ କମ୍‌ ବାଳକ ଓ ବାଳିକା ବର୍ଗରେ ଏହି ପ୍ରତିଯୋଗିତା ଖେଳାଯିବ। ରାଜ୍ୟର ତୃଣମୂଳସ୍ତରରୁ ପ୍ରତିଭା ଅନ୍ବେଷଣ କରିବା ସହ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସେମାନଙ୍କୁ ପହଞ୍ଚାଇବା ଲକ୍ଷ୍ୟରେ ଏଭଳି ଏକ ପ୍ରତିଯୋଗିତାକୁ ନିରଂତର ଆୟୋଜନ କରାଯିବ ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି।

ଆଇଆଇଜି ସ୍ପୋର୍ଟସ ଏକାଡେମି ଏଥିପାଇଁ ବିଶ୍ବସ୍ତରୀୟ ଭିତ୍ତିଭୂମି ଯୋଗାଇ ଦେଉଛି। ପ୍ରଥମ ଥର ପାଇଁ ଏହି ପ୍ରତ‌ିଯୋଗିତା ଭୁବନେଶ୍ବର ବାହାରେ ହେଉଥିଲେ ମଧ୍ୟ ୧୦୦ରୁ ଊର୍ଧ୍ବ ଖେଳାଳି ପଞ୍ଜିକରଣ କରିସାରିଛନ୍ତି। ଏହି ପ୍ରତିଯୋଗିତା ଓଡ଼ିଶା ଟେନିସ୍‌ରେ ଏକ ମାଇଲଖୁଣ୍ଟ୍ ପ୍ରତିଷ୍ଠା କରିବ ବୋଲି ଆଇଆଇଜି ସ୍ପୋର୍ଟସ ଏକାଡେମିର ନିର୍ଦେଶକ ତଥା ରାଜ୍ୟର ପୂର୍ବତନ ଏକ ନମ୍ବର ଖେଳାଳି ଚିନ୍ମୟ ପ୍ରଧାନ ପ୍ରକାଶ କରିଛନ୍ତି। ଏବେ ଆଇଟାର ଜାତୀୟ ମାନ୍ୟତାରେ ୧.୩ ପ୍ରତିଶତ ଓଡ଼ିଶା ଖେଳାଳି ଉଠିପାରିଥିଲେ ମଧ୍ୟ ସେମାନଙ୍କ ମଧ୍ୟ‌ରେ ସାମିଲ ଅଛନ୍ତି। ଏହାକୁ ଯଦି ଆମେ ଅନ୍ୟୁନ ୧୦ ପ୍ରତିଶତରେ ପହଞ୍ଚାଇପାରିବୁ ତେବେ ନିଶ୍ଚିତ ବଡ଼ ଉପଲବ୍‌ଧି ହେବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ଗୁରୁବାରର ଏହି ସାମ୍ବାଦିକ ସମ୍ମିଳନୀରେ କେଟି ଗ୍ଲୋବାଲ୍ ସ୍କୁଲ୍‌ର ମାର୍ଗଦର୍ଶନ ଉପଦେଷ୍ଠା ଅରୁଣ ଦାସ, ମ୍ୟାନେଜିଂ ଟ୍ରଷ୍ଟି ସୋମଦତ୍ତ ବେହ‌ୁରା, ଉତ୍କଳ ହସପିଟାଲ୍ ଅନକୋଲଜି ପ୍ରତିଷ୍ଠାନ ନିର୍ଦେଶକ ଡକ୍ଟର ରଂଜନ ମହପାତ୍ର, ଓଟିଏ କାର୍ଯ୍ୟନିର୍ବାହୀ ସଦସ୍ୟ ଅସିତ୍ ପ୍ରଧାନ, ଓଟିଏ ପ୍ରଶାସନିକ ଅଧିକାରୀ ସମ୍ବିତ ପଟ୍ଟନାୟକ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ରାଜ୍ୟରେ ଲନ୍‌ ଟେନିସ୍‌ର ସୁବିଧାସୁଯୋଗ ବଢ଼ାଇବା ସହ ବିକାଶ ପାଇଁ ସବୁ ପ୍ରକାର ପ୍ରୟାସ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର