କାଟ୍ରିନା-କୈଫ ଫଟୋକୁ ନେଇ ଚର୍ଚା

ମୁମ୍ବାଇ: ସମାନ ସାଙ୍ଗିଆ ଧାରି (କୈଫ) ଦୁଇ ସେଲିବ୍ରିଟି କାଟ୍ରିନା ଏବଂ ମହମ୍ମଦଙ୍କ ମିଳିତ ଫଟୋକୁ ନେଇ ଏକ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚା ଚାଲିଛି। ବହୁ ପ୍ରଶଂସକ ଏମାନଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଅନ୍ୟ କିଛି ମଜା କରିଛନ୍ତି। ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫ ନିଜ ଟ୍ବିଟର୍ ଆକାଉଣ୍ଟ୍‌ରେ ଏହି ଫଟୋଟିକୁ ଛାଡ଼ିବା ପରେ ସମସ୍ତଙ୍କୁ ଖୋରାକ ମିଳିଯାଇଛି। କୈଫ ଫଟୋ ପାଇଁ ଲେଖିଛନ୍ତି ‘ଶେଷରେ କୈଫ (କାଟ୍ରିନା)ଙ୍କ ସହ‌ ଦେଖା ହେଲା’। ମାନବିକତାକୁ ଛାଡ଼ିଦେଲେ ଆମ ଭିତରେ ଅନ୍ୟ କିଛି ସମ୍ପର୍କ ନାହିଁ ବୋଲି ମଧ୍ୟ କ୍ରିକେଟର୍ କୈଫ ଉଲ୍ଲେଖ କରିଥିଲେ। ଜଣେ ପ୍ରଶଂସକ ଉଭୟଙ୍କୁ ‘ମହମ୍ମଦ କାଟ୍ରିନା’ ଦର୍ଶାଇଛନ୍ତି। ଉଭୟଙ୍କ କ୍ୟାରିୟରରେ ଥିବା ସମାନତାକୁ ବର୍ଣ୍ଣନା କରି ସେ ଲେଖିଛନ୍ତି ‘କାଟ୍ରିନାଙ୍କ ନମସ୍ତେ ଲଣ୍ଡନ୍‌ ଚଳଚ୍ଚିତ୍ର ଏବଂ ମହମ୍ମଦ କୈଫଙ୍କ ଲଣ୍ଡନ୍‌ର ଲର୍ଡସ ନାଟୱେଷ୍ଟ୍‌ ଫାଇନାଲ୍ ତାରକା ହେବାର ମୁହୂର୍ତ ଅଭୁଲା। ଲଣ୍ଡନ୍‌ରେ ହିଁ ଦୁହିଁଙ୍କ କ୍ୟାରିୟର୍ ପ୍ରଷ୍ଫୁଟିତ ହୋଇଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି। ଅନ୍ୟ ପ୍ରଶଂସକମାନେ ଏହାକୁ ବି ଭାରି ପସନ୍ଦ କରିଛନ୍ତି। କୈଫଙ୍କ ଚମତ୍କାର କ୍ଷେତ୍ରରକ୍ଷଣକୁ ମଧ୍ୟ କିଛି ପ୍ରଶଂସକ ମନେ ପକାଇ ଦେଇଛନ୍ତି। ସୂଚନାଯୋଗ୍ୟ, ମହମ୍ମଦ କୈଫ ଗତ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ସହକାରୀ ପ୍ରଶିକ୍ଷକ ଭାବେ ରିକି ପଣ୍ଟିଂ ଏବଂ‌ ସୌରଭ ଗାଙ୍ଗୁଲିଙ୍କ ସହ କାମ କରିଥିଲେ। ଦିଲ୍ଲୀ ମଧ୍ୟ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇ ଉଲ୍ଲେଖନୀୟ ସଫଳତା ପାଇଥିଲା।

ସମ୍ବନ୍ଧିତ ଖବର