ବନ୍ୟାରେ ବୁଡ଼ିଲା କେଏସ୍‌ସିଏ ଷ୍ଟାଡିୟମ୍ 

ବେଙ୍ଗାଲୁରୁ: ପ୍ରବଳ ବର୍ଷା ପାଇଁ କର୍ଣ୍ଣାଟକରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଛି। ଏହାର ପ୍ରଭାବ ଖେଳ ଉପରେ ମଧ୍ୟ ପଡ଼ିଛି। ସ୍ଥାନୀୟ ଶିବମୋଗାଠାରେ ଥିବା କର୍ଣ୍ଣାଟକ କ୍ରିକେଟ୍ ସଂଘ (‌କେଏସିସିଏ) ଷ୍ଟାଡିୟମ୍‌ରେ ବନ୍ୟା ପାଣି ପଶି ଯାଇଛି। ଷ୍ଟାଡିୟମ୍ ଆଖ ପାଖରେ ପାଣି ଭର୍ତି ହୋଇ ରହିଥିଲା ବେଳେ ପିଚ୍ ଓ ପଡ଼ିଆ ବୁଡ଼ି ଯାଇଛି। ଫଳରେ ଷ୍ଟାଡିୟମର ଜଳ ନିଷ୍କାସନ ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଷ୍ଟାଡିୟମ୍ ନିର୍ମାଣ ଏକ ପୋଖରୀ ଉପରେ ହୋଇଥିବାରୁ ଦିନେ ନା ଦିନେ ଏଭଳି ହେବାର ଥିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏହି ଷ୍ଟାଡିୟମ୍ ଯେଉଁ ଜମିରେ ନିର୍ମାଣ ହୋଇଛି ମାତ୍ର କିଛି ଦଶନ୍ଧି ପୂର୍ବେ ସେଠାରେ ଏକ ବିଶାଳ ପୋଖରୀ ଥିଲା। ଯାହାର ଆକାର ପାଖାପାଖି ୩୧ ଏକର ଥିଲା। ୨୦୦୦ ମସିହା ପ୍ରାରମ୍ଭରେ ଶିବ ମୋଗା ଜିଲ୍ଲା ପଞ୍ଚାୟତ ସମିତି ଏହି ପୋଖରୀକୁ ଅଦରକାରୀ‌ ଘୋଷଣା କରିବା ସହ ଏହାକୁ କେଏସ୍‌ସିଏକୁ ବାର୍ଷିକ ମାତ୍ର ୧୦,୦୦୦ ଟଙ୍କା ଭଡ଼ାରେ ଷ୍ଟାଡିୟମ ନିର୍ମାଣ ପାଇଁ ହସ୍ତାନ୍ତର କରିଥିଲା। କେଏସ୍‌ସିଏ ଆଗପଛ ବିଚାର ନ କରି ଏଠାରେ ଏକ ଆଧୁନିକ କ୍ରିକେଟ୍ ଷ୍ଟାଡିୟମ୍ ନିର୍ମାଣ କରିଥିଲା। ଏହି ଘଟଣା ପରେ କିନ୍ତୁ ପ୍ରକୃତିପ୍ରେମୀ କେଏସ୍‌ସିଏ ଏବଂ ଅନ୍ୟାନ୍ୟ କ୍ରିକେଟ୍ ସଂଘଙ୍କୁ ପ୍ରାକୃତିକ ଜଳ ଭଣ୍ଡାରକୁ ପୋତି ତା’ ଉପରେ କ୍ରିକେଟ୍ ଷ୍ଟାଡିୟମ୍ ନିର୍ମାଣ ନକରିବାକୁ ଆହ୍ବାନ କରିଛନ୍ତି। ଚଳିତ ବର୍ଷର ଘଟଣାରୁ ଶିକ୍ଷା ଲାଭ କରି ପରିବେଶ ଏବଂ ପ୍ରକୃତିକୁ ସମ୍ମାନ ଜଣାଇବାକୁ ସେମାନେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର