ଭୁବନେଶ୍ବର: ଦୀର୍ଘ ଏକ ସପ୍ତାହଧରି ଚାଲିଥିବା ୧୪ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ରବିବାର ଶେଷ ହୋଇଛି। ଜର୍ଜିଆ ଗ୍ରାଣ୍ଡ୍ମାଷ୍ଟର୍ ଲୁକା ପାଇଚାଡ୍ଜେ ବିଜେତା ହେବା ସହ ୩,୦୦,୦୦୦ ଟଙ୍କା ପୁରସ୍କାର ରାଶି ହାତେଇ ନେଇଛନ୍ତି। ବେଲରୁସ୍ ଗ୍ରାଣ୍ଡମାଷ୍ଟର୍ ପ୍ରଥମ ରନର୍ ଅପ୍ ଟ୍ରଫି ସହ ୨,୦୦,୦୦୦ ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି। ଭାରତର ସମ୍ମାନ ରଖିଛନ୍ତି ଆଇଏମ୍ ଚିନ୍ନା ରେଡ୍ଡୀ ସିଏଚ୍ ମେହାର। ଦ୍ବିତୀୟ ରନର୍ ଅପ୍ ଟ୍ରଫି ସହିତ ମେହାର ୧,୫୦,୦୦୦ ଟଙ୍କାର ପୁରସ୍କାର ରାଶି ହାସଲ କରିଛନ୍ତି। ଏହି ୩ ଜଣ ସମାନ ୮ ପଏଣ୍ଟ ଲେଖାଏଁ ପାଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଶୀର୍ଷ ୧୦ ଭିତରେ ଦ୍ବିତୀୟ ଭାରତୀୟ ଭାବେ ଆର୍ ଆର୍ ଲକ୍ଷ୍ମଣ ୭.୫ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହି ପୁରସ୍କୃତ ହୋଇଛନ୍ତି।
ଏହି ବର୍ଗରେ ଓଡ଼ିଶା ସବୁଠାରୁ ଅଧିକ ନିରାଶ ହୋଇଛି। ୧୫ ବର୍ଷରୁ କମ୍ ବୟସ ବର୍ଗର ଯାଆଁଳା ଭାଇ ପ୍ରିୟାଂଶ ଓ ଶ୍ରୀୟାଂଶ ଦାସଙ୍କ ସହିତ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ମାଷ୍ଟର୍ ଶେଖର ଚନ୍ଦ୍ର ସାହୁ କେବଳ ଶୀର୍ଷ ୫୦ ଭିତରେ ଯୁଗ୍ମ ଭାବେ ରହିଥିଲେ। ଏମାନେ ସଭିଏ ସମାନ ୬.୫ ପଏଣ୍ଟ ଲେଖାଏଁ ପାଇଥିଲେ। ଓଡ଼ିଶା ଖେଳାଳିଙ୍କ ବର୍ଗରେ କିନ୍ତୁ ହର୍ଷିତ ରଂଜନ ସାହୁ, ସାଜନ କୁମାର ନାୟକ, ସୂର୍ଯ୍ୟପ୍ରଜ୍ଞ ଇନ୍ଦ୍ରଜିତ ଏସ୍ପି ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ପୁରସ୍କାର ପାଇଥିଲେ। ଏହି ବର୍ଗରେ ପ୍ରତିଭାସମ୍ପନ୍ନା ୟାଶିତା ରାଉତ ୬ ପଏଣ୍ଟ ପାଇ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ୧୫ ବର୍ଷରୁ କମ୍ ମହିଳା ବର୍ଗରେ ସେ ବିଜୟିନୀ ହୋଇଥିଲେ। ସେହିଭଳି ‘ସି’ ବର୍ଗରେ ପଶ୍ଚିମବଙ୍ଗର ସୁପ୍ରତିମ ଘୋଷ ବିଜେତା ହୋଇଥିବାବେଳେ ବିହାରର ଦିବ୍ୟାଂଶୁ କୁମାର ସିଂହ ପ୍ରଥମ ରନର୍, ଦିଲ୍ଲୀର ଗୌରବ ଶର୍ମା ଦ୍ବିତୀୟ ରନର୍ ହୋଇଥିଲେ। କିସ୍ର ବାବୁଲା ସ୍ବାଇଁ ଅଷ୍ଟମ ସ୍ଥାନରେ ରହି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଓଡ଼ିଶା ଖେଳାଳିଙ୍କ ମଧ୍ୟରୁ ପ୍ରିୟବ୍ରତ ପଣ୍ଡା, ବିନୋଦ କୁମାର, ଶୁଭମ ପରିଡ଼ା ପ୍ରଥମ ୩ ସ୍ଥାନ ଦଖଲ କରିଥିଲେ।
ଉଦ୍ଯାପନୀ ଉତ୍ସବରେ ଅଲିମ୍ପିଆନ୍ ଆଥଲେଟ୍ ଦୂତି ଚାନ୍ଦ, ଦ୍ରୋଣାଚାର୍ଯ୍ୟ ବିଜେତା ଭଲିବଲ୍ ବ୍ୟକ୍ତିତ୍ବ ଜିଇ ଶ୍ରୀଧରନ, ଆଥଲେଟିକ୍ସ ପ୍ରଶିକ୍ଷକ ନାଗପୁରୀ ରମେଶ, ଓସିଏ ଉପ ସଭାପତି ତଥା ଏମ୍ଜିଏମ୍ ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି, ଏଆଇସିଏଫ ଯୁଗ୍ମ ସମ୍ପାଦକ ରଂଜନ କୁମାର ମହାନ୍ତି, ଏଓସିଏ ସଭାପତି ଜିସି ମହାପାତ୍ର, କିଟ୍-କିସ୍ କ୍ରୀଡ଼ା ମହାପ୍ରବଂଧକ ଡକ୍ଟର ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।