ଭୁବନେଶ୍ୱର: ଓଡ଼ିଶା ଉଶୁ ସଂଘ ପକ୍ଷରୁ ରୌପ୍ୟଜୟନ୍ତୀ ବର୍ଷରେ ୨୫ତମ ରାଜ୍ୟ ପ୍ରତିଯୋଗିତା ଶନିବାର ୟୁନିଟ୍-୬ସ୍ଥିତ ପୁମାସ ସ୍ପୋର୍ଟସ କମ୍ପ୍ଲେକ୍ସରେ ଉଦ୍ଘାଟିତ ହୋଇଛି। ପ୍ରତିଯୋଗିତାରେ ୨୫ ଜିଲ୍ଲାରୁ ୧୧୦ ମହିଳା ସମେତ ମୋଟ ୩୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ଦିବସରେ କେନ୍ଦୁଝରର ଆଧିପତ୍ୟ ଦେଖିବାକୁ ମିଳିଛି। ଏହାର ପ୍ରତିଯୋଗୀମାନେ ୫ ସ୍ୱର୍ଣ୍ଣ ଓ ୩ ରୌପ୍ୟ ସହ ମୋଟ ୮ ପଦକ କରାୟତ କରିନେଇଛନ୍ତି।
ସାନ୍ସୋଇ (ଫାଇଟ୍)ରେ ୬ ବର୍ଷରୁ କମ୍ ବାଳକରେ ବିଷ୍ଣୁ ମୁଣ୍ଡା (କେନ୍ଦୁଝର) ସ୍ୱର୍ଣ୍ଣ ଓ ଅଂଶୁମାନ ଗୌଡ଼ (ଅନଗୁଳ) ରୌପ୍ୟ ପଦକ ପାଇଥିଲା ବେଳେ ବାଳିକାରେ କେନ୍ଦୁଝରର ଲୁଡୁରୀ ବାଗ୍ରାଏ ସ୍ୱର୍ଣ୍ଣ ଓ ଆଦ୍ୟାଶା ଦଳାଇ ରୌପ୍ୟ ପଦକ ଜିତିଛନ୍ତି। ଉପକନିଷ୍ଠ ବାଳିକା ୨୪ କେଜିରେ କେନ୍ଦୁଝରର ଶ୍ୱେତାରାଣୀ ମହାନ୍ତ ଓ ମାଳିନୀ ମୁଣ୍ଡା ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ, ବାଳିକା ୬୮ କେଜିରେ ମୟୂରଭଞ୍ଜର ସ୍ନେହା ସିଂହ ସ୍ୱର୍ଣ୍ଣ ଓ ଅନଗୁଳର ସୁହାନୀ ବେହେରା ରୌପ୍ୟ ପଦକ ହାସଲ କରିଛନ୍ତି। କନିଷ୍ଠ ବାଳିକା ୪୫ କେଜିରେ ମଧୁସୁଦନ ମୁଣ୍ଡା (କେନ୍ଦୁଝର) ସ୍ୱର୍ଣ୍ଣ, ଦୀପକ କୁମାର (ସୁନ୍ଦରଗଡ଼) ରୌପ୍ୟ, ୫୦ କେଜିରେ ବିନୋଦ ଚୌଧୁରୀ (ସମ୍ବଲପୁର) ସ୍ୱର୍ଣ୍ଣ, ସଞ୍ଜୟ ଓରାମ (ସୁନ୍ଦରଗଡ଼) ରୌପ୍ୟ, ୫୫ କେଜିରେ ରମେଶ ମୁଣ୍ଡା (କେନ୍ଦୁଝର) ସ୍ୱର୍ଣ୍ଣ, ଅଶ୍ୱିନୀ କୁମାର ବାଗ (ବଲାଙ୍ଗୀର) ରୌପ୍ୟ, ୬୦ କେଜିରେ ମିତେଶ କୁମାର ପତି (କଟକ) ସ୍ୱର୍ଣ୍ଣ, ପ୍ରତ୍ୟୁଷ ରଞ୍ଜନ ବଳ (ଅନଗୁଳ) ରୌପ୍ୟ ପଦକ ଜିତିଛନ୍ତି। ବିଭୂତି ଭୂଷଣ ବେହେରା, ମନୋଜ ଶୁକ୍ଲା ଓ ନବୀନ ସିଂ ଫାଇଟ୍ଗୁଡ଼ିକ ପରିଚାଳନା କରିଥିଲେ।
କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଓଡ଼ିଶା ଉଶୁ ସଂଘର ସଭାପତି ଇଂ ସୁଧାଂଶୁ ଶେଖର ହରିଚନ୍ଦନଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ଭାରତୀୟ ଉଶୁ ସଂଘର ସଂପାଦକ ସୋହେଲ ଅହମ୍ମଦ, ବୈଷୟିକ ଅଧ୍ୟକ୍ଷ ସମ୍ଭୁ ସେଠ୍ ଅତିଥି ରହିଥିଲେ। ଓଡ଼ିଶା ସଂଘର ସଂପାଦକ ପ୍ରଦ୍ୟୁମ୍ନ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଆନ୍ତର୍ଜାତିକ କ୍ରୀଡ଼ାବିତ୍ ମାନସ ରଞ୍ଜନ ଚୌଧୁରୀ, ଆଶିଷ ଚକ୍ରବର୍ତୀ, ପୃଥ୍ଵୀରାଜ ହରିଚନ୍ଦନ, ଶିବାନନ୍ଦ ରାଏ, ଶତକ ରାଉତ, ପ୍ରଦ୍ୟୁମ୍ନ ବେହେରା, କୁମାର ଦେବଦତ୍ତ, ଇଂ ସୁଧାଂଶୁ ଶେଖର ହରିଚନ୍ଦନ, ପୁଷ୍ପା ମିଶ୍ର, ଇପ୍ସିତା ଜେନା, ଶୁଭଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା। ରବିବାର ପ୍ରତିଯୋଗିତା ଉଦ୍ଯାପିତ ହେବ।