ଭାରତକୁ ସମର୍ଥନ କରୁଛନ୍ତି କେନିଆ କିମ୍ବଦନ୍ତୀ

ଭୁବନେଶ୍ବର: ଚଳିତ ଓଡ଼ିଶା ହକି ବିଶ୍ବକପ୍‌ ଲାଗି ଭୁବନେଶ୍ବରରେ ଡ଼େରା ପକାଇଛନ୍ତି ବହୁ ଅଲିମ୍ପିଆନ ଏବଂ ହକି ବିଶ୍ବକପ୍ କିମ୍ବଦନ୍ତୀମାନେ। ୧୯୭୫ ମସିହା ବିଜେତା ଭାରତୀୟ ଦଳର ୧୩ ଜଣ ସଦସ୍ୟ ବି ଉଦ୍‌ଘାଟନୀ ଉତ୍ସବରେ ସାମିଲ ହୋଇ ଗୌରବ ବଢ଼ାଇଥିଲେ। ତଥାପି ବହୁ ହକି କିମ୍ବଦନ୍ତୀ ଏବେ ବି ଭୁବନେଶ୍ବର ବିଶ୍ବକପ୍‌କୁ ଉପଭୋଗ କରିବାରେ ମାତିଛନ୍ତି। ସେମାନଙ୍କ ମଧ୍ୟରେ କିନ୍ତୁ କେନିଆ କିମ୍ବଦନ୍ତୀ ଅବତାର ସିଂହ ସୋହାଲ ଅନ୍ୟତମ। ଭାରତୀୟ ବଂଶୋଦ୍ଭବ ଏହି ସ୍ଥାୟୀ କେନିଆ ଅଧିବାସୀ ଓଡ଼ିଶା ହକି ବିଶ୍ବକପ୍‌ର ପ୍ରତିଟି ମ୍ୟାଚ୍‌କୁ ଉପଭୋଗ କରିବାକୁ ଭୁବନେଶ୍ବରରେ ଡ଼େରା ପକାଇଛନ୍ତି। କେନିଆ ଏହି ବିଶ୍ବକପ୍‌ରେ ଖେଳୁନାର୍ହି, କିନ୍ତୁ ହକି ପ୍ରତି ଥିବା ଭଲ ପାଇବା ତାଙ୍କୁ ଆରବୀୟ ସାଗର ଉପରେ ଉଡ଼ାଇ ଆଣିଛି ନାଇରୋବିରୁ ୫,୮୪୬ କିଲୋମିଟର ଦୂର ଭୁବନେଶ୍ବର। ୮୦ ବର୍ଷ ବୟସରେ ତାଙ୍କ ଫିଟନେସ୍ ଏବଂ ହକି ନିଶା ସମସ୍ତଙ୍କ ବିଶ୍ବାସ ବାହାରେ। କେନିଆ ହକିର ସ୍ବର୍ଣ୍ଣିମ ଯୁଗରେ ଥିବା ଶିଖ୍‌ଙ୍କ ମଧ୍ୟରେ ଅବତାର ସିଂହ ସବୁଠୁ ଶ୍ରେଷ୍ଠ ଏବଂ କିମ୍ବଦନ୍ତୀ ପୁରୁଷ। ୫ଟି ଅଲିମ୍ପିକ୍ସ ଏବଂ ୨ଟି ବିଶ୍ବକପ୍‌ରେ ରହିଛି ତାଙ୍କ ସମ୍ପୃକ୍ତି। ୧୯୭୯ ମସିହାରୁ ୧୯୮୫ ମଧ୍ୟରେ ୧୬୭ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ଏକଦା ଗିନିଜ୍ ବୁକ୍ ଅଫ୍ ରେକର୍ଡସରେ ନିଜ ନାମକୁ ଲିପିବଦ୍ଧ ରଖିଥିଲେ। ଏବେ ବି କେନିଆର ହକିର ବିକାଶରେ ବ୍ୟସ୍ତ ରହିଛନ୍ତ ଏହି ବର୍ଷିୟାନ ହକି ମହାନ ତଥା ପୂର୍ବତନ ଅଧିନାୟକ। ଦେଶରେ କନିଷ୍ଠ ଖେଳାଳିଙ୍କୁ ବି ତାଲିମ ଦେଉଛନ୍ତି। ‘ତାରି’ ନାମରେ ପରିଚିତ ଅବତାରଙ୍କ ଉତ୍ସାହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

ଭୁବନେଶ୍ବର ବିଶ୍ବକପ୍‌‌ରେ କେନିଆ ଖେଳୁ ନାହିଁ। ଆଫ୍ରିକାରୁ ଏକମାତ୍ର ଦେଶ ଭାବେ ଯୋଗ୍ୟତା ଅର୍ଜନ କରିଛି ଦକ୍ଷିଣ ଆଫ୍ରିକା। କିନ୍ତୁ ଅବତାରଙ୍କ ମନ ଓ ପ୍ରାଣରେ ରହିଛି ଭାରତ। ଦକ୍ଷିଣ ଆଫ୍ରିକାକୁ ସମର୍ଥନ କରିବା ପରିବର୍ତେ ସେ ଏବେ ଭାରତୀୟ ଦଳକୁ ସମର୍ଥନ କରୁଛନ୍ତି ବୋଲି ‘ସମ୍ବାଦ’ ସହ କଥା ହେବାବେଳେ ପ୍ରକାଶ କରିଥିଲେ। ଭାରତ ଛାଡ଼ିବା ୬୦ ବର୍ଷରୁ ଉର୍ଧ୍ବ ହେଲାଣି, କିନ୍ତୁ ଭାରତରେ ଆମ ମନ ଓ ହୃଦୟ ରହିଛି। ଭାରତୀୟ ଦଳ ଏବେ ଯେଭଳି ଖେଳୁଛି ୧୯୭୫ ମସିହା କଥା ମନେ ପଡ଼ିଯାଉଛି ବୋଲି ମଧ୍ୟ ଅବତାର କହିଥିଲେ। ନାଇରୋବିରେ ରହୁଥିବା ଅବତାର ୧୯୬୦ ମସିହାରେ ରୋମ୍ ଅଲିମ୍ପିକ୍ସରେ କେନିଆ ପାଇଁ ପ୍ରତିନିଧିତ୍ବ କରିଥିଲେ। ଏହା ପରେ ୧୯୬୪ ଟୋକିଓ, ୧୯୬୮ ମେକ୍ସିକୋ, ୧୯୭୨ ‌ମ୍ୟୁନିକ୍ ଅଲିମ୍ପିକ୍ସରେ କେନିଆର ଅଧିନାୟକତ୍ବ କରିଥିଲେ। ଟୋକିଓରେ ଷଷ୍ଠ ସ୍ଥାନ ଏବେ ବି କେନିଆର ଶ୍ରେଷ୍ଠ ଅଲିମ୍ପିକ୍ ପ୍ରଦର୍ଶନ ରହିଛି। ୧୯୮୪ ଅଲିମ୍ପିକ୍ସରେ ମଧ୍ୟ ସେ କେନିଆ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ। ମାତ୍ର ଦୁଇ ଥର ୧୯୭୧ ଏବଂ ୧୯୭୩ ମସିହାରେ ବିଶ୍ବକପ୍ ଖେଳିଥିଲା କେନିଆ। ୧୯୭୧ରେ ବାର୍ସିଲୋନାରେ ସେ ଦଳର ଅଧିନାୟକ ଥିବାବେଳେ ଚତୁର୍ଥରେ ରହିଥିଲା। କାଂସ୍ୟ ବିଜେତା ଭାରତଠାରୁ ହାରିଥିଲା। ଏହା ମଧ୍ୟ କେନିଆର ବିଶ୍ବକପ୍ ଶ୍ରେଷ୍ଠ ପ୍ରଦର୍ଶନ। ୧୯୭୩ରେ କେନିଆ ଶେଷ ଥର ପାଇଁ ବିଶ୍ବକପ୍ ଖେଳିବା ବେଳକୁ ଅବତାର ସହକାରୀ ପ୍ରଶିକ୍ଷକ ଥିଲେ, ଏହି ଆଫ୍ରିକୀୟ ଦେଶ ସେଥର ଦ୍ବାଦଶ ସ୍ଥାନରେ ରହିଛି।

ସ୍କୁଲ ଜୀବନରେ କ୍ରିକେଟ୍‌ ଖେଳିଥିଲେ କିନ୍ତୁ କ୍ରମେ ପଞ୍ଜାବରେ ଲୋକପ୍ରିୟ ହକି ସଂସ୍ପର୍ଶରେ ଆସିଥିଲେ। କେନିଆ ହକିର ଅଧୋପତନ ସମ୍ପର୍କରେ ଅବତାର କୁହନ୍ତି, ୧୯୬୪ରେ କେନିଆ ସ୍ବାଧୀନତା ପାଇବା ପରେ ୧୯୬୮ ମସିହା ପରଠାରୁ ଆଉ ଶିଖ୍‌ ଖେଳାଳିଙ୍କୁ କେନିଆ ଜାତୀୟ ଦଳରୁ ଖେଳିବା ସୁଯୋଗ ମିଳିନଥିଲା। ଅଧିକାଂଶ ଖେଳାଳି ବି ବିଭିନ୍ନ ଦେଶକୁ ଚାଲିଯାଇଥିଲେ ଏବଂ ଏହା ଅନ୍ୟତମ କାରଣ। ଆମେ କିନ୍ତୁ ଶିଖ୍‌ ୟୁନିୟନ୍ କ୍ଲବ୍ କରି ଖେଳାଳି ଗଢ଼ିବା କାମରେ ନିୟୋଜିତ ରହିଛୁ। ଖୁବ୍ ଶୀଘ୍ର ମଧ୍ୟ ଏହି ସମସ୍ୟାର ସମାଧାନ ହୋଇଯିବ ଏବଂ ଶିଖ୍‌ ସମ୍ପ୍ରଦାୟରୁ ‌ଖେଳାଳି ଜାତୀୟ ଦଳରେ ସୁଯୋଗ ପାଇବେ ବୋଲି ଆଶା କରିଥିଲେ ଅବତାରଙ୍କ ସହ ଆସିଥିବା ଅନ୍ୟତମ ହକି ଖେଳାଳି ରଘୁବୀର ସିଂହ ନାଟା। ମୁଁ ହକି ପରେ କେନିଆ ପାଇଁ ଭଲିବଲ୍‌ ଖେଳିଥିଲି। ଭୁବନେଶ୍ବର ହକି ବିଶ୍ବକପ୍ ଆମ ପାଇଁ ନିଶ୍ଚିତ ଅଭୁଲା ରହିବ ବୋଲି କହିଥିଲେ ୭୦ ବର୍ଷୀୟ ନାଟା। କେନିଆରେ ୧୮୯୬ ମସିହାରୁ ଶିଖ୍‌ଙ୍କ ପ୍ରବେଶ ଘଟିଛି। କେନିଆ ହକିକୁ ବି ଏକାଧିକ ଅଧିନାୟକ ଏବଂ ମହାନ୍‌ ଖେଳାଳି ଦେଇଛି ଏହି ଭାରତୀୟ ଧାର୍ମିକ ସମ୍ପ୍ରଦାୟ।

ସମ୍ବନ୍ଧିତ ଖବର