ରାଜ୍ୟ ରୌପ୍ୟ ଜୟନ୍ତୀ ଉଶୁ:୫୫ ପଦକ ସହ କେନ୍ଦୁଝର ପ୍ରଥମ

ପ୍ରତାପ ଓ ସୁକାନ୍ତୀ ଶ୍ରେଷ୍ଠ ଯୋଦ୍ଧା

ଭୁବନେଶ୍ୱର: ଓଡ଼ିଶା ଉଶୁ ସଂଘ ପକ୍ଷରୁ ରୌପ୍ୟଜୟନ୍ତୀ ବର୍ଷରେ ଆୟୋଜିତ ୨୫ତମ ରାଜ୍ୟ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ୟୁନିଟ୍‌-୬ସ୍ଥିତ ପୁମାସ ସ୍ପୋର୍ଟସ କମ୍ପ୍ଲେକ୍ସରେ ଅନୁଷ୍ଠିତ ଏହି ଦୁଇଦିନିଆ ପ୍ରତିଯୋଗିତାରେ ସର୍ବାଧିକ ୫୫ (୩୧ ସ୍ୱର୍ଣ୍ଣ, ୧୦ ରୌପ୍ୟ ଓ ୧୪ କାଂସ୍ୟ) ପଦକ ଜିତି କେନ୍ଦୁଝର ଦଳଗତ ବିଜେତା ହୋଇଥିଲା ବେଳେ ସୁନ୍ଦରଗଡ଼ ୫୦ (୧୬ ସ୍ୱର୍ଣ୍ଣ, ୧୫ ରୌପ୍ୟ ଓ ୧୯ କାଂସ୍ୟ) ଏବଂ ଖୋର୍ଧା ୩୧ (୯ ସ୍ୱର୍ଣ୍ଣ, ୧୦ ରୌପ୍ୟ ଓ ୧୨ କାଂସ୍ୟ) ପଦକ ଜିତି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଛନ୍ତି। ବ୍ୟକ୍ତିଗତ ଭାବେ ଖୋର୍ଧାର ଆଶୁତୋଷ ମହାରଣା ୩ ବର୍ଗରେ ସ୍ୱର୍ଣ୍ଣ ଜିତିଥିଲା ବେଳେ ଅଜିତେଶ ରାୟ, ସାଇ ସତ୍ୟମ୍‌, ପଲ୍ଲବୀ ସାମଲ ଓ ପ୍ରତାପ ସାହୁ ଗୋଟିଏ ଲେଖାଏଁ ବର୍ଗରେ ସ୍ୱର୍ଣ୍ଣ ଜିତିଥିଲେ। ସେହିପରି ସୁନ୍ଦରଗଡ଼ର ପ୍ରିୟମ୍ବଦା ପ୍ରଧାନ, ନିକି କୁମାରୀ, ଆଦ୍ୟା ଅଗ୍ରଓ୍ଵାଲ, ଡୁଲ୍‌ମୁ କଣ୍ଡାଙ୍ଗ୍‌କେଲ୍‌, ରତିକାନ୍ତ ମହାପାତ୍ର, କିସାନ ଗୁରୁଙ୍ଗ, ରାଜା ପ୍ରଭୂ ପ୍ରଧାନ ନିଜ ନିଜ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରୀର ସ୍ୱର୍ଣ୍ଣପ୍ରଭା ନାୟକ, ସୁପ୍ରଭା ସାହୁ ଓ ସୋମନାଥ ଦଳାଇ, କଟକର ପ୍ରସାଦ କୁମାର ନାୟକ, ସମ୍ବଲପୁରର ଅରୁଣ ଅଜାଦିଓ୍ଵାଲ, କେନ୍ଦୁଝରର ସଚିନ ମହନ୍ତ, ହରିହର ବାରିକ, ସ୍ୱସ୍ତିକ ମହନ୍ତ ଓ ଗୁରୁ ମୁଣ୍ଡା ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଖୋର୍ଧାର ପ୍ରତାପ ସାହୁ ଶ୍ରେଷ୍ଠ ପୁରୁଷ ଓ କେନ୍ଦୁଝରର ସୁକାନ୍ତୀ ମୁଣ୍ଡା ଶ୍ରେଷ୍ଠ ମହିଳା ଯୋଦ୍ଧା ବିବେଚିତ ହୋଇଥିଲେ।
ଉଦ୍‌ଯାପନୀ ଉତ୍ସବରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦକ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଉଶୁ ସଂଘର ସଂପାଦକ ସୋହେଲ୍‌ ଅହମ୍ମଦ, ବିକ୍ରିକର ଅତିରିକ୍ତ କମିଶନର ଶ୍ରୀଚନ୍ଦନ ମିଶ୍ର, ଓଡ଼ିଶା ପୁଲିସ ସହକାରୀ କମାଣ୍ଡାଣ୍ଟ୍‌ ବିଭୂତି ଭୂଷଣ ପରିଡ଼ା, କର୍ପୋରେଟର ବାଦଲ ମହାନ୍ତି, ଓଡ଼ିଶା ଉଶୁ ସଂଘ ସଭାପତି ସୁଧାଂଶୁ ଶେଖର ହରିଚନ୍ଦନ ଏବଂ ସଂପାଦକ ପ୍ରଦ୍ୟୁମ୍ନ ବେହେରା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର