ଭୁବନେଶ୍ୱର: ଓଡ଼ିଶା ଠାରୁ ବେଶ୍‌ ଦୂର କେରଳର ସେ ଲୋକ। କାଲିକଟ୍‌ ସହର ମାଲାବାର ଖ୍ରୀଷ୍ଟିଆନ୍‌ କଲେଜରେ ସେ ଇତିହାସର ଆସୋସିଏଟ୍‌ ପ୍ରଫେସର । ନାଁ ତାଙ୍କର ବଶିଷ୍ଠ । ଓଡ଼ିଶାର ଦୁଇଟି ସହରରେ ହକି ବିଶ୍ୱକପ୍‌ ଆୟୋଜିତ ହେବାକୁ ଯାଉଥିଲା ବେଳେ ସେ ବଡ଼ ଉତ୍ସାହିତ ହୋଇଯାଇଛନ୍ତି। ୨୬ ବର୍ଷ ହେଲା ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ବଶିଷ୍ଠ ଜଣେ ଖେଳ ପାଗଳ ମଣିଷ। ସେ ଫୁଟବଲ, ଟେନିସ ଓ କ୍ରିକେଟ ଉପରେ କବିତା ଲେଖିବା ସାଙ୍ଗକୁ ସଚିନ ତେନ୍ଦୁଲକରଙ୍କ ଉପରେ ଏକ ସଂଗ୍ରାହାଳୟ ତାଙ୍କ କଲେଜରେ ସ୍ଥାପନା କରିଛନ୍ତି।

Advertisment

ସଚିନଙ୍କ ଉପରେ ବିଭିନ୍ନ ଭାଷାରେ ଲେଖାଯାଇଥିବା ଲେଖା ସେ ସାଇତି ରଖିଛନ୍ତି। ଓଡ଼ିଆ ଲେଖା ମଧ୍ୟ ସେଥିରେ ଅଛି । ଏଥର ହକି ବିଶ୍ୱକପ୍‌ ସକାଶେ ବଶିଷ୍ଠ ଏକ ସ୍ୱତନ୍ତ୍ର କ୍ୟାଲେଣ୍ଡର ତିଆରି କରି ତାଙ୍କୁ ରିଲିଜ୍‌ କରିଛନ୍ତିି । ବାରମାସର ପୃଷ୍ଠାରେ ହକି ବିଶ୍ୱକପ୍‌ ବାବଦରେ ତଥ୍ୟ ସାଙ୍ଗକୁ ସ୍ମରଣୀୟ ଫଟୋ ମଧ୍ୟ ସ୍ଥାନିତ ଅଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହକି ବିଶ୍ୱକପ୍‌ ଟ୍ରଫି ସହ ଫଟୋ ସାଙ୍ଗକୁ ୧୯୭୫ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ଫଟୋ ମଧ୍ୟ ସେ ଏହି ସ୍ୱତନ୍ତ୍ର କ୍ୟାଲେଣ୍ଡରରେ ସ୍ଥାନିତ କରିଛନ୍ତି । ଯାହା କେରଳରେ ରିଲିଜ୍‌ ମଧ୍ୟ ହୋଇଯାଇଛି । ସେ ୨୦୧୮ ବିଶ୍ୱକପ୍‌ ଫାଇନାଲ ଦେଖିବାକୁ ଭୁବନେଶ୍ୱର ଆସିଥିଲେ । ଏଥର ମଧ୍ୟ ସେ ଫାଇନାଲ ଦିନ କଳିଙ୍ଗ ଷ୍ଟାଡ଼ିୟମରେ ବସି ମ୍ୟାଚ୍‌ ଦେଖିବାକୁ କିଣି ସାରିଛନ୍ତି ଟିକେଟ ।