ନୂଆଦିଲ୍ଲୀ: ଆଇଜଲ ଏଫ୍ସିକୁ ୨୦୧୭ରେ ଆଇ-ଲିଗ୍ ବିଜେତା କରାଇ ପ୍ରସିଦ୍ଧ ଲାଭ କରିଥିବା ଖଲିଦ ଜାମିଲଙ୍କୁ ଶୁକ୍ରବାର ଭାରତୀୟ ପୁରୁଷ ଫୁଟ୍ବଲ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ମିଳିଛି। ଏହି ପଦରେ ୧୩ ବର୍ଷ ପରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି। କିଂବଦନ୍ତି ଷ୍ଟ୍ରାଇକର୍ ଆଇଏମ୍ ବିଜୟନ୍ଙ୍କ ନେତୃତ୍ବରେ ଗଠିତ ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ (ଏଆଇଏଫ୍ଏଫ୍) ବୈଷୟିକ କମିଟି ଜାମିଲଙ୍କ ସହ ଭାରତର ପୂର୍ବତନ ମୁଖ୍ୟପ୍ରଶିକ୍ଷକ ଷ୍ଟିଫେନ କନ୍ଷ୍ଟାଣ୍ଟାଇନ ଏବଂ ପୂର୍ବତନ ସ୍ଲୋଭାକିଆ ପ୍ରବନ୍ଧକ ଷ୍ଟିଭାନ୍ ତାରକୋଭିକଙ୍କ ନାଁ ପରିଚାଳନା କମିଟିକୁ ଚୂଡ଼ାନ୍ତ ଲାଗି ପଠାଇଥିଲା।
ଶେଷରେ ଦୁଇ ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇ ସଂପ୍ରତି ଆଇଏସ୍ଏଲ୍ ଦଳ ଜାମସେଦପୁର ଏଫ୍ସି ଦାୟିତ୍ବରେ ଥିବା ୪୮ ବର୍ଷୀୟ ଏହି ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ପଦ ଅଳଙ୍କୃତ କରିଛନ୍ତି। ଶେଷ ଥର ଲାଗି ୨୦୧୧ରୁ ୨୦୧୨ ପର୍ଯ୍ୟନ୍ତ ଭାରତୀୟ ପ୍ରଶିକ୍ଷକ ଭାବେ ସାଭିଓ ମୈଦେଇରା ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଥିଲେ। ଏହାପରଠୁ ଭାରତୀୟ ଫୁଟ୍ବଲ୍ରେ ବଡ଼ ପରିବର୍ତ୍ତନ ଆଶାରେ ଏଆଇଏଫ୍ଏଫ୍ ବିଦେଶୀ ପ୍ରଶିକ୍ଷକ ନିଯୁକ୍ତି କରୁଥିଲା। ତଥାପି ପ୍ରଦର୍ଶନରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳି ନଥିଲା। ଏଥିଲାଗି ପୂର୍ବତନ ଫୁଟ୍ବଲର୍ମାନେ ଏଆଇଏଫ୍ଏଫ୍କୁ ସମାଲୋଚନା କରିଥିଲେ।