ନୂଆଦିଲ୍ଲୀ: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍‌ ପ୍ୟାରିସ୍‌ ଅଲିମ୍ପିକ୍ସରୁ ଖାଲି ହାତରେ ଫେରିଥିଲେ ମଧ୍ୟ ହରିୟାଣାରେ ରବିବାର ସ୍ବର୍ଣ୍ଣ ପଦକ ପାଇଛନ୍ତି। ପ୍ୟାରିସ୍‌ରେ ସେ ଫାଇନାଲ୍‌ରେ ପହଞ୍ଚି ଇତିହାସ ରଚିଥିବାରୁ ଖାପ୍‌ ପଞ୍ଚାୟତ ତରଫରୁ ରବିବାର ତାଙ୍କ ଜନ୍ମଦିନ ଅବସରରେ ଏକ ସ୍ବର୍ଣ୍ଣ ପଦକ ଉପହାର ଦିଆଯାଇଛି। ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ୧୦୦ ଗ୍ରାମ୍‌ ଓଜନ ବୃଦ୍ଧି ପାଇଁ ତାଙ୍କୁ ପ୍ରତିଯୋଗିତାରେ ଅଯୋଗ୍ୟ ଘୋଷିତ କରାଯାଇଥିଲା। ପରେ ‘କାସ୍‌’ରେ‌ ସେ ଯୁଗ୍ମ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ ମଧ୍ୟ ତାହାକୁ ଖାରଜ କରିଦିଆଯାଇଥିଲା। ପ୍ୟାରିସ୍‌ରୁ ନିରାଶ ହୋଇ ଫେରିଥିଲେ ମଧ୍ୟ ଭାରତରେ ତାଙ୍କୁ ପ୍ରଶଂସକଙ୍କ ଭଲପାଇବା ମିଳିଥିଲା।

Advertisment

 ହରିୟାଣା ସରକାର ମଧ୍ୟ ତାଙ୍କୁ ଜଣେ ପଦକ ବିଜେତା ଭାବେ ସମସ୍ତ ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଥିଲେ। ତେବେ ଖାପ୍‌ ପଞ୍ଚାୟତଠୁ ସ୍ବର୍ଣ୍ଣ ପଦକ ପାଇବା ପରେ ଭିନେଶ କହିଛନ୍ତି, ମୋ ଲଢ଼େଇ ଶେଷ ହୋଇ ନାହିଁ, ବରଂ ଏହା ଏବେ ଆରମ୍ଭ ହୋଇଛି। ଆମ ଝିଅଙ୍କ ସମ୍ମାନ ପାଇଁ ଲଢ଼େଇ ଏବେ ଆରମ୍ଭ ହେଲା। ଧାରଣାରେ ବସିଥିଲା ବେଳେ ମଧ୍ୟ ଆମେ ସମାନ କଥା କହିଥିଲୁ। ଯେତେବେଳେ ମୁଁ ପ୍ୟାରିସ୍‌ରେ ଖେଳିପାରି ନଥିଲି, ମୁଁ ଭାବିଥିଲି ଯେ ମୁଁ ଜଣେ ହତଭାଗା। କିନ୍ତୁ ଭାରତକୁ ଫେରିବା ପରେ ବହୁତ ଭଲପାଇବା ଓ ସମର୍ଥନ ପାଇଛି। ତେଣୁ ମୁଁ ବହୁତ ଭାଗ୍ୟବାନ ମନେ କରୁଛି। ଏଭଳି ସମ୍ମାନ ପାଇଁ ମୁଁ ସବୁବେଳେ ଋଣୀ ରହିବି ଯାହାକି କୌଣସି ପଦକଠୁ ବହୁତ ଉପରେ ରହିବ ବୋଲି ଭିନେଶ କହିଛନ୍ତି।