ଖାସି କପ୍‌ରୁ ବିଶ୍ବକପ୍

୨୦୧୩ ମସିହା ଜାତୀୟ କ୍ରୀଡ଼ା ଦିବସ ଅବସରରେ ସମ୍ବାଦରେ ପ୍ରକାଶିତ ବିଶେଷ ଆଲେଖ୍ୟର ଫଟୋ କପି

ଭୁବନେଶ୍ବର(ଦେବାଶିଷ ସୁନ୍ଦରାୟ): ପୁରୁଷ ହକି ବିଶ୍ବକପ୍‌ର ପଦାର୍ପଣ ସହ ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଛି ଅଭିନବ ଇତିହାସ। ମନ୍ତ୍ରମୁଗ୍ଧକର ଉଦ୍‌ଘାଟନୀ ଉତ୍ସବ ସାଙ୍ଗକୁ ଉଦଯାପନୀରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଉପସ୍ଥିତି ଭୁବନେଶ୍ବର ବିଶ୍ବକପ୍‌କୁ ଅଭୁଲା ଓ ଅବିସ୍ମରଣୀୟ କରିଛି। ସେହିଭଳି ବିଶ୍ବକପ୍ ଭିତରେ କେବଳ ଭାରତ ନୁହେଁ, ଭାରତ ବାହାରର ବହୁ କ୍ରୀଡ଼ା କିମ୍ବଦନ୍ତୀଙ୍କ ଭିଡ଼ ଓଡ଼ିଶା କ୍ରୀଡ଼ା ଫର୍ଦକୁ ଅଧିକ ସମୃଦ୍ଧ କରିଛି। ପୁରୁଷ ହକି ବିଶ୍ବକପ୍ କେବଳ ଓଡ଼ିଶା ନୁହେଁ ଭାରତର କ୍ରୀଡ଼ା କ୍ୟାଲେଣ୍ଡରରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଯାଇଛି। ସେହିଭଳି ‘ଭୁବନେଶ୍ବର ବିଶ୍ବକପ୍’ ଦଳ ଓ ଦର୍ଶକ ସଂଖ୍ୟା, ପ୍ରାୟୋଜକ ତଥା ସିଧା ପ୍ରସାରଣର ପରିସର, ସବୁ କ୍ଷେତ୍ରରେ ବିଶ୍ବ ହକିର ପୂର୍ବ ଇତିହାସକୁ ବଳି ଯାଇଛି। ଭୁବନେଶ୍ବର, ସର୍ବୋ‌ପରି ଓଡ଼ିଶା ବିଶ୍ବ ହକି ମାନଚିତ୍ରରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ଓଡ଼ିଶା ଆଉ କେବଳ ହକି ଖେଳାଳି ସୃଷ୍ଟିରେ ସୀମିତ ରହିନାହିଁ, ବିଶ୍ବକପ୍ ଭଳି ସମ୍ମାନଜନକ ଏବଂ ବୃହତ୍ ପ୍ରତିଯୋଗିତା ଆୟୋଜନ କରିଥିବା ବିଶ୍ବର ହାତଗଣତି ପ୍ରଦେଶ ମଧ୍ୟରେ ସ୍ଥାନ ପାଇଛି ଆମ ରାଜ୍ୟ। ଭାରତୀୟ ଦୃଶ୍ୟପଟ୍ଟକୁ ବିଚାରକୁ ନେଲେ ପୂର୍ବରୁ କେବଳ ମହାରାଷ୍ଟ୍ର ଏବଂ ଦିଲ୍ଲୀ ବିଶ୍ବକପ୍ ଆୟୋଜନର ସୌଭାଗ୍ୟ ଲାଭ କରିଥିଲେ। ଏବେ ଓଡ଼ିଶା ଏଥିରେ ସାମିଲ ହୋଇଛି। ସେହିଭଳି ବିଶ୍ବକପ୍‌ ଆୟୋଜନ କରିବାରେ ରାଜଧାନୀ ଭୁବନେଶ୍ବର ପୂର୍ବ ଭାରତର ପ୍ରଥମ ଏବଂ ବମ୍ବେ ଓ ଦିଲ୍ଲୀ ପରେ ଭାରତର ତୃତୀୟ ସହର ହୋଇଛି। ହକି ଜଗତକୁ ବି ବେଲ୍‌ଜିୟମ ରୂପରେ ନୂଆ ବିଶ୍ବ ବିଜେତା ମିଳିଯାଇଛି।
ଓଡ଼ିଶା ଏବେ ଯେଉଁ ପ୍ରଶଂସା ସାଉଣ୍ଟୁଛି, ତା ପଛରେ ନିଃସନ୍ଦେହରେ ରାଜ୍ୟ ସରକାରଙ୍କ ଉଦ୍ୟମ ସହ ହକି ଖେଳାଳିଙ୍କ ଖଣି ଭାବେ ପରିଚିତ ସୁନ୍ଦରଗଡ଼ର ସର୍ବାଧିକ ଅବଦାନ ରହିଛି। ଯଦିଓ ଟିକେଟ ବିକ୍ରିକୁ ନେଇ କିଛିଟା ସମସ୍ୟା ଦେଖା ଦେଇଥିଲା ମୋଟାମୋଟି ଭାବେ କିନ୍ତୁ ବିଶ୍ବକପ୍ ସଫଳତାର ସହ ଶେଷ ହୋଇଛି। ବିଶ୍ବକପ୍‌କୁ ସଫଳ କରିବାରେ ଓଡ଼ିଶାର ଉତ୍ସାହୀ ହକି ପ୍ରେମୀଙ୍କର ମଧ୍ୟ ଢେର ଭୂମିକା‌ ରହିଛି। ସେହିଭଳି ସୁନ୍ଦରଗଡ଼ରେ ଦୀର୍ଘ ଏକ ଶତାବ୍ଦୀରୁ ଅଧିକ ସମୟ ହେବ ଆୟୋଜିତ ହେଉଥିବା ଖାସିକପ୍‌ର ମଧ୍ୟ କିଛି କମ୍ ଅବଦାନ ନାହିଁ। ସୁନ୍ଦରଗଡ଼ର ସାହି-ସାହି, ଗାଁ-ଗାଁ, ପଞ୍ଚାୟତରୁ ପଞ୍ଚାୟତ ମଧ୍ୟରେ ଖେଳା ଯାଉଥିବା ଖାସି କପ୍‌କୁ ହିଁ ଓଡ଼ିଶା ବିଶ୍ବକପ୍‌ର ମୂଳଦୁଆ କୁହାଯାଇପାରେ। ଓଡ଼ିଶାର ଏହି ଖାସି କପ୍‌ରୁ ବିଶ୍ବକପ୍‌ ଅଭିଯାନ ମଧ୍ୟ ବେଶ୍ ରୋଚକ। ଖ୍ରିଷ୍ଟିଆନ ଧର୍ମଯାଜକଙ୍କ ଦ୍ବାରା ଓଡ଼ିଶା ଅଣାଯାଇଥିବା ହକି ବିଭିନ୍ନ ପର୍ଯ୍ୟାୟ ଦେଇ କଳିଙ୍ଗ ଷ୍ଟାଡିୟମରେ ବିଶ୍ବକପ୍‌ର ରୂପ ନେଇଛି। କହିବାକୁ ଗଲେ ହକି ଏବେ ପ୍ରତି ଓଡ଼ିଶାଙ୍କ ରକ୍ତରେ ସାମିଲ ହୋଇ ଯାଇଛି। ସୁନ୍ଦରଗଡ଼ର ଘାସ ପଡ଼ିଆରେ ବାଉଁଶବାଡ଼ି ଓ କାଠ ପେଣ୍ଡୁରେ ଆରମ୍ଭ ହୋଇଥିବା ଏହି ଖେଳ ଏବେ ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ଖେଳ।
ଆଷ୍ଟୋଟର୍ଫ ଓ ଆଜିର ବ୍ୟୟ ବହୁଳ ସୁରକ୍ଷା ଉପକରଣର ଅଭାବ ସତ୍ତ୍ବେ ସମୟାନୁକ୍ରମେ ହକି ସୁନ୍ଦରଗଡ଼ରେ କେବଳ ଏକ ଖେଳ ହୋଇ ରହିନି। ହକି ଏବେ ସୁନ୍ଦରଗଡ଼ରେ ଜୀବନ ଜିଇଁବାର ଏକ ମାଧ୍ୟମରେ ପରିଣତ ହୋଇଛି। ଏଠାରେ ବର୍ଷକୁ ୪୦୦ରୁ ଅଧିକ ହକି ପ୍ରତିଯୋଗିତା ଆୟୋଜିତ ହେ‌ଉଛି। ଯେଉଁଠି ଖେଳାଳିମାନେ ପୁରସ୍କାର ବାବଦରେ ଟ୍ରଫି ନୁହେଁ ଖାସି ଏବଂ କୁକୁଡ଼ା ନେବାକୁ ଅଧିକ ପସନ୍ଦ କରନ୍ତି। ଏହି ଆଦିବାସୀ ବହୁଳ ଜିଲ୍ଲାର ହକି ନିଶା ପାଇଁ ଓଡ଼ିଶା ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରି ପାରିଛି। ଉଭୟ ବିଶ୍ବ ମହିଳା ଏବଂ ପୁରୁଷ ହକିରେ ଏହି ଖେଳାଳିମାନେ ଓଡ଼ିଆ ଛାପ ଛାଡ଼ିଛନ୍ତି। ବିଶ୍ବକପ୍‌ରେ ସାମିଲ ଥିବା ଦୁଇ ଓଡ଼ିଆ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ମଧ୍ୟ ଏହି ଜିଲ୍ଲାର। ସୁନ୍ଦରଗଡ଼ ପାଇଁ ଓଡ଼ିଶା ଭାରତର ଅନ୍ୟତମ ହକିଗଡ଼ ଭାବେ ପରିଚିତ ହେଉଛି।
ବହୁ ପୂର୍ବରୁ ରାଉରକେଲାର ପାନପୋଷ୍ ଷ୍ଟାଡିୟମରେ ଆଷ୍ଟୋଟର୍ଫ ବିଛା ହୋଇଥିଲେ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଆଷ୍ଟୋଟର୍ଫ ବିଛାଯିବା କିନ୍ତୁ ଓଡ଼ିଶାକୁ ଅନ୍ତର୍ଜାତୀୟ ହକି ଆସିବାର ବାଟ ଫିଟାଇ ଦେଇଥିଲା। ତେବେ ୨୦୧୪ରେ କଳିଙ୍ଗ ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍‌ର ପଦାର୍ପଣ ଏବଂ ଏଥିରେ କଳିଙ୍ଗ ଲାନସର୍ସ ଦଳର ଅଂଶଗ୍ରହଣ ଓଡ଼ିଶା ହକିକୁ ନୂଆ ମୋଡ଼ ଦେଇଥିଲା। ହକି ଇଣ୍ଡିଆ ଲିଗ୍‌କୁ ଓଡ଼ିଶା ହକି ପ୍ରେମୀ ଅଜସ୍ର ଭଲପାଇବା ଅଜାଡ଼ି ଦେଇଥିଲେ।

ଏହା ପରେ କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସରେ ଚାମ୍ପିଅନ୍ସ ଟ୍ରଫି, ବିଶ୍ବ ହକି ଲିଗ୍ ଫାଇନାଲ୍ସ ଭଳି ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏହି ଦୁଇ ପ୍ରତିଯୋଗିତାର ସଫଳ ଆୟୋଜନ ପରେ ଅନ୍ତର୍ଜାତୀୟ ହକି ମହାସଂଘ ଚତୁର୍ଦଶ ହକି ବିଶ୍ବକପ୍‌ର ଆୟୋଜନ ଲାଗି ଭୁବନେଶ୍ବରକୁ ଚୂଡ଼ାନ୍ତ କରିଥିଲା। ଭୁବନେଶ୍ବର ଭାରତର ଅନ୍ୟତମ ହକି ହବ୍‌ରେ ପରିଣତ ହୋଇଥିଲା।
ଭୁବନେଶ୍ବରକୁ ଭାରତୀୟ ହକିର ପେଣ୍ଠସ୍ଥଳୀ କରିବାର ସ୍ବପ୍ନ ‘ସମ୍ବାଦ’ ମଧ୍ୟ ଦେଖିଥିଲା। ୨୦୧୩ ମସିହା ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସ ପାଇଁ ପ୍ରକାଶିତ ଲେଖାରେ ‘ହକି ହବ୍‌ର ପରିକଳ୍ପନା’ ଶୀର୍ଷକ ଲେଖା ଏହାର ଜ୍ବଳନ୍ତ ଉଦାହରଣ। ସେହି ସ୍ବପ୍ନ ଆଜି ପୂରଣ ହୋଇଛି। ଭୁବନେଶ୍ବର କେବଳ ହକିର ‌ପେଣ୍ଠସ୍ଥଳୀ ପାଲଟି ନାହିଁ, କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସ ବିଶ୍ବର ଶ୍ରେଷ୍ଠ ତିନିଟି ହକି ଷ୍ଟାଡିୟମ ମଧ୍ୟରୁ ଅନ୍ୟତମ ବୋଲି ଖୋଦ୍ ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରେନ୍ଦ୍ର ବାତ୍ରା ଘୋଷଣା କରିଛନ୍ତି। କେବଳ ହକି ନୁହେଁ ଆଗକୁ ଭୁବନେଶ୍ବର ଦେଶର କ୍ରୀଡ଼ା କ୍ୟାପିଟାଲ୍‌ରେ ପରିଣତ ହେବ ବୋଲି ମଧ୍ୟ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା କିମ୍ବଦନ୍ତୀ ଭବିଷ୍ୟବାଣୀ କରି ସାରିଛନ୍ତି। ତେବେ ହକି କଥା ଯଦି ବିଚାରକୁ ନିଆଯାଏ ବିଶ୍ବକପ୍ ଆୟୋଜନ ନିଶ୍ଚିତ ଭାବେ ଓଡ଼ିଶା ହକି ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହା ଏକ ବଡ଼ ସ୍ବପ୍ନ ସାକାର ‌ହେବାଠାରୁ କୌଣସି ଗୁଣରେ କମ୍ ନୁହେଁ। ଓଡ଼ିଶା ହକିକୁ କିନ୍ତୁ ଆହୁରି ଆଗକୁ ନେବାକୁ ହେବ। ସେଥିଲାଗି ହକି ରାଜ୍ୟର ପ୍ରତିଟି କୋଣ ଅନୁକୋଣରେ ଖେଳାଯିବା ଭଳି ବ୍ୟବସ୍ଥା ହେବା ଜରୁରୀ। ସୁନ୍ଦରଗଡ଼ ସହ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ହକି ଷ୍ଟାଡିୟମ୍ ନିର୍ମାଣ ହେଉ। ଗାଁ ଗାଁରେ ଖାସି ଓ କକୁଡ଼ା କପ୍ ଭଳି ଅଭିନବ ପ୍ରତିଯୋଗିତାର ଆୟୋଜନ ପାଇଁ ପ୍ରୋତ୍ସାହନ ମିଳୁ। ଆଗାମୀ ବିଶ୍ବକପ୍‌ରେ ଓଡ଼ିଶାରୁ ଯେମିତି ଅଧଡଜନେ ଖେଳାଳି ଖେଳିବେ ସେ ଲକ୍ଷ୍ୟ ପୂରଣ ପାଇଁ ଏବେଠାରୁ କାମ ଆରମ୍ଭ ହେଉ। ଏହା ହେଲେ ବିଶ୍ବକପ୍‌ ଆୟୋଜନର ଅସଲ ଲକ୍ଷ୍ୟ ପୂରଣ ହେବ। ହକି ‌ନିର୍ଦିଷ୍ଟ ସ୍ଥାନ କିମ୍ବା ଜିଲ୍ଲା ନୁହେଁ ବରଂ ସମଗ୍ର ଓଡ଼ିଶା ଓ ସବୁ ଓଡ଼ିଆଙ୍କ ଖେଳରେ ବଦଳିବ। ଓଡ଼ିଶା ଭାରତର ହକି କ୍ୟାପିଟାଲ୍‌ ଆଖ୍ୟା ପାଇବ। କେବଳ ହକି ନୁହେଁ ସବୁ ଖେଳ ପାଇଁ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଭିତ୍ତିଭୂମି ସୃଷ୍ଟି କରାଯାଉ। ସ୍କୁଲ ସ୍ତରରୁ ଖେଳକୁ ଅଗ୍ରାଧିକାର ଦିଆଯାଉ। ପୁରୁଷ ହକି ବିଶ୍ବକପ୍‌ର ଫାଇନାଲ ଅବସରରେ କଳିଙ୍ଗ ଷ୍ଟାଡିୟମର ‌ନୀଳଟର୍ଫ ଉପରେ ଛିଡ଼ାହୋଇ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଭାରତ କେବଳ ଖେଳପ୍ରେମୀ ନୁହେଁ ଖେଳୁଆଡ଼ର ଦେଶ ହେବାକୁ ଆହ୍ବାନ ‌ଦେଇଛନ୍ତି। ଏହି ଆହ୍ବାନ ପୂରଣ ଦିଗରେ ଓଡ଼ିଶା ଦେଶର ନେତୃତ୍ବ ନେଇ ପାରିବ। ଆଗକୁ ଓଡ଼ିଶା କେବଳ ଖେଳ ପ୍ରତିଯୋଗିତା ଆୟୋଜନ ନକରି ଏଥିରେ ଖେଳୁ ମଧ୍ୟ। ଇଚ୍ଛାଶକ୍ତି ରହିଲେ ଏହି ସ୍ବପ୍ନ ଅବଶ୍ୟ ଆଉ ବେଶୀ ଦୂର ନୁହେଁ…..

ସମ୍ବନ୍ଧିତ ଖବର