ଖୱାଜା ଆଇସିସି ଉପାଧ୍ୟକ୍ଷ ରହିଲେ

ଦୁବାଇ : ସିଙ୍ଗାପୁରର ୬୪ ବର୍ଷ ବୟସ୍କ ଆଇନଜୀବୀ ଇମ୍ରାନ୍‌ ଖୱାଜା ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି)ର ଉପାଧ୍ୟକ୍ଷ ପଦ ବଜାୟ ରଖିବେ। ଚଳିତ ସପ୍ତାହରେ ଅନୁଷ୍ଠିତ ହୋଇଥିବା ଉତ୍କଣ୍ଠାପୂର୍ଣ୍ଣ ନିର୍ବାଚନରେ ଖୱାଜା (୯-୮) ମାତ୍ର ଗୋଟିଏ ଭୋଟ ବ୍ୟବଧାନରେ ୱେଷ୍ଟଇଣ୍ଡିଜ୍‌ର ରିକି ସ୍କେରିଟ୍‌ଙ୍କୁ ପରାସ୍ତ କରିଦେଇଛନ୍ତି। ଏହି ନିର୍ବାଚନ ଏକ ସ୍ବାଧୀନ କମିଟି ଦ୍ବାରା ପରିଚାଳିତ ହୋଇଥିଲା। ଏଥିରେ ୧୭ ସଦସ୍ୟ ଭୋଟ ଦେଇଥିଲେ। ଯଦିଓ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ ତଥାପି ଖୱାଜା ଆଇସିସି ପଦ ବଜାୟ ରଖିବା ନିଶ୍ଚିତ ହୋଇଯାଇଛି। ବିଶେଷକରି ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ୍‌, ୱେଷ୍ଟ୍‌ଇଣ୍ଡିଜ୍‌, ଆଫ୍‌ଗାନିସ୍ତାନ, ଆୟର୍ଲାଣ୍ଡ୍‌ ଏବଂ ଅଧ୍ୟକ୍ଷ ଗ୍ରେଗ୍‌ ବାର୍କଲେ ଆଇସିସିର ଘନିଷ୍ଠ ଗ୍ରୁପ୍‌ରେ ଜଣାଶୁଣା ଥିବାରୁ ସେମାନେ ସ୍କେରିଟ୍‌ଙ୍କୁ ଭୋଟ ଦେଇଥିବା ବିଶ୍ବାସ କରାଯାଉଛି।

ଅନ୍ୟପକ୍ଷରେ ପାକିସ୍ତାନ, ଶ୍ରୀଲଙ୍କା, ଜିମ୍ବାୱେ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଓ ତିନି ସହଯୋଗୀ ରାଷ୍ଟ୍ର (ବର୍‌ମୁଡ଼ା, ମାଲେସିଆ ଓ ସିଙ୍ଗାପୁର) ସହିତ ସ୍ବାଧୀନ ନିର୍ଦେଶକ (ଇନ୍ଦ୍ର ନୁୟୀ)ଙ୍କ ଭୋଟ ସମ୍ଭବତଃ ଖୱାଜାଙ୍କ ପକ୍ଷରେ ପଡ଼ିଥିବ। ତେବେ ୯-୮ ବ୍ୟବଧାନର ବିଜୟ ଏବେ ଆଇସିସି ମଧ୍ୟରେ ଫାଟକୁ ପ୍ରମାଣିତ କରିଛି।

ମୁଁ ମାତ୍ର ଗୋଟିଏ ଭୋଟରେ ହାରିଗଲି। ତେବେ କିଏ ମୋତେ ଭୋଟ ଦେଇଛନ୍ତି କିମ୍ବା ଦେଇନାହାନ୍ତି ସେ ସଂପର୍କରେ କହିବାକୁ ମନା କରିଦେଇଛନ୍ତି ସ୍କେରିଟ୍‌। ପ୍ରାଇଭେଟ୍‌ ବାଲଟ୍‌ ଜରିଆରେ ଭୋଟ ଗ୍ରହଣ ହୋଇଥିଲା। ତେଣୁ ନିର୍ଦ୍ଦିଷ୍ଟ ଭାବେ କିଏ କାହାକୁ ଭୋଟ ଦେଇଛନ୍ତି ସେନେଇ ମୁଁ ନିଶ୍ଚିତ ନୁହେଁ ବୋଲି କହିଛନ୍ତି ୬୨ ବର୍ଷ ବୟସ୍କ ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ବୋର୍ଡର ସଭାପତି ସ୍କେରିଟ୍‌। ଅନ୍ୟପକ୍ଷରେ ଗତବର୍ଷ ଆଇସିସି ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିବା ଖୱାଜା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଜିତିବା ପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ତେବେ ଲମ୍ବା ସମୟ ଧରି ଖୱାଜା ଆଇସିସି ବୋର୍ଡରେ ରହିଆସିଥିବାରୁ ଏହାକୁ କିପରି ପରିଚାଳନା କରିବେ ସେନେଇ ଭଲ ଭାବେ ଅବଗତ ଅଛନ୍ତି ବୋଲି ନାମ ଗୋପନ ରଖି ଜଣେ ଆଇସିସି ବୋର୍ଡ ସଦସ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର