ପ୍ରତ୍ୟାବର୍ତନରେ ଖୱାଜାଙ୍କ ଶତକ: ‌ଅଷ୍ଟ୍ରେଲିଆ ପାଳି ୪୧୬/୮ରେ ଘୋଷିତ

ସିଡନି: ପ୍ରତ୍ୟାବର୍ତନ ପାଳିରେ ଆକର୍ଷଣୀୟ ଶତକ ହାସଲ କରି ଉସମାନ ଖୱାଜା ଅଷ୍ଟ୍ରେଲିଆକୁ ଚତୁର୍ଥ ଆସେସ୍‌ ଟେଷ୍ଟ୍‌ରେ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି। ୩-୦ ଅଗ୍ରଣୀ ସହ ଆସେସ୍‌ ସୁରକ୍ଷିତ କରି ସାରିଥିବା ଅଷ୍ଟ୍ରେଲିଆ ଏହାର ପ୍ରଥମ ପାଳିକୁ ୪୧୬/୮ରେ ଘୋଷଣା କରି ଦେଇଛି। ଜବାବରେ ଇଂଲଣ୍ଡ ସମ୍ଭବ ହୋଇଥିବା ୫ ଓଭରରେ କୌଣସି ୱିକେଟ୍ ନହରାଇ ୧୩ ରନ୍‌ କରିଛି। ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନର ସ୍କୋର୍‌ ୧୨୬/୩ରୁ ଖେଳିଥିବା ଅଷ୍ଟ୍ରେଲିଆ ପାଇଁ ଅଧିକାଂଶ ବ୍ୟାଟର୍‌ ଭଲ ଆରମ୍ଭ କରିଥିଲେ ମଧ୍ୟ ଲମ୍ବା ଖେଳିବାର ସୁଯୋଗ ହାତଛଡ଼ା କରିଥିଲେ। ଖୱାଜା କିନ୍ତୁ ବ୍ୟକ୍ତିଗତ ଭାବେ ୨୮ ରନ୍‌ରେ ଥିବାବେଳେ ସ୍ଲିପ୍‌ କ୍ୟାଚ୍‌ ହାତଛଡ଼ାରୁ ସମ୍ପୂର୍ଣ୍ଣ ଫାଇଦା ଉଠାଇ ନିଜ ନବମ ଟେଷ୍ଟ୍ ଶତକ ହାସଲ କରିନେଇଥିଲେ। ଟ୍ରାଭିସ୍ ହେଡ୍‌ କୋଭିଡ୍ ପଜିଟିଭ୍ ଆସିବାରୁ ସୁଯୋଗ ପାଇଥିବା ଖୱାଜା ୪ ବର୍ଷ ତ‌ଳେ ସିଡନିରେ ଖେଳିଥିବା ଶତକୀୟ ପାଳିକୁ ଏକ ପ୍ରକାର ଦୋହରାଇଥିଲେ। ୨୬୦ ବଲ୍‌ର ସମ୍ମୁଖୀନ ହୋଇ ୧୩ ଚୌକା ସହାୟତାରେ ୧୩୭ ରନ୍‌ କରିଥିଲେ। ଏହି ଟେଷ୍ଟରେ ପ୍ରତ୍ୟାବର୍ତନ କରିଥିବା ଇଂଲଣ୍ଡର ଅଭିଜ୍ଞ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ତାଙ୍କୁ ବୋଲ୍ଡ କରି ୫ ୱିକେଟ୍ ସଫଳତା ଅର୍ଜନ କରିଥିଲେ। ଖୱାଜାଙ୍କ ବ୍ୟତୀତ ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍‌ (୬୭, ୧୪୧ ବଲ୍‌) କେବଳ ୩୮ ରନ୍‌ ସୀମା ଅତିକ୍ରମ କରିଥିଲେ। ଭ୍ରମଣକାରୀ ଦଳ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍‌ ୫/୧୦୧ର ବୋଲିଂ ସଫଳତା ପାଇଥିଲେ। ୩୫ ବର୍ଷୀୟ ବ୍ରଡ୍ ମଧ୍ୟ ଅନ୍ୟତମ ବୟସ୍କ ବୋଲର୍‌ ଭାବେ ୫ ୱିକେଟ୍ ସଫଳତା ଅର୍ଜନ କରିଥିଲେ।

ସଂକ୍ଷିପ୍ତ‌ ସ୍କୋର୍‌: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୩୪ ଓଭରରେ ୪୧୬/୮ (ଉସମାନ ଖୱାଜା-୧୩୭, ଷ୍ଟି‌ଭେନ୍‌ ସ୍ମିଥ୍‌-୬୭, ମାର୍କସ ହାରିସ୍‌-୩୮, ମିଚେଲ୍ ଷ୍ଟାର୍କ-୩୪*, ଷ୍ଟୁଆର୍ଟ ବ୍ରଡ୍‌-୫/୧୦୧, ‌ଜୋ ରୁଟ୍-୧/୩୬, ଜେମ୍ସ ଆଣ୍ଡରସନ୍-୧/୫୪, ମାର୍କ ଉଡ୍‌-୧/୭୬)। ଇଂଲଣ୍ଡ ପ୍ରଥମ ପାଳି: ୫ ଓଭରରେ ୧୩/୦ (ହସିବ୍ ହମିଦ୍‌-୨*, ଜାକ୍ କ୍ରଲି-୨*)।

ସମ୍ବନ୍ଧିତ ଖବର