ଖେଳରତ୍ନ ଦୀପାଙ୍କ ଅବସର

ନୂଆଦିଲ୍ଲୀ: ଗତବର୍ଷର ଖେଳ ରତ୍ନ ବିଜେତା ପାରା ଆଥ୍‌ଲେଟ୍‌ ଦୀପା ମଲ୍ଲିକ ‌ସୋମବାର ଅପ୍ରତ୍ୟାଶିତ ଭାବେ ସକ୍ରିୟ କ୍ରୀଡ଼ା ଜୀବନରୁ ଅବସର ଘୋଷଣା କରିଛନ୍ତି। ଜାତୀୟ କ୍ରୀଡ଼ା ଆଚରଣ ସଂହିତାର ନିୟମାବଳୀକୁ ସମ୍ମାନ ଜଣାଇ ଦୀପା ପିସିଆଇ (ପାରାଲିମ୍ପିକ୍ କମିଟି ଅଫ୍‌ ଇଣ୍ଡିଆ)ର ସଭାପତି ପଦ ବଜାୟ ରଖିବା ଲାଗି ଏଭଳି ନିଷ୍ପତ୍ତି ନେଇଛନ୍ତି। ‘ନିର୍ବାଚନ ଉଦ୍ଦେଶ୍ୟରେ ମୁଁ ଦୀର୍ଘ ଦିନରୁ ପିସିଆଇକୁ ପତ୍ର ଲେଖିଥିଲି ଏବଂ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିଲି। ଏବେ ହାଇକୋର୍ଟ ଆମ କମିଟି ଉପରେ ମୋହର ମାରିଥିବାରୁ ଦେଶରେ ପାରା ସ୍ପୋର୍ଟର ସେବା ତଥା କ୍ରୀଡ଼ାବିତ୍‌ଙ୍କୁ କୃତିତ୍ବ ଲାଗି ସମର୍ଥନ କରିବା ଲାଗି ଏଭଳି ନିଷ୍ପତ୍ତି ନେଇଛି’ ବୋଲି ଦୀପା ଟ୍ବିଟ୍‌ କରିଛନ୍ତି। ଏବେ ଦେଶରେ ପାରା ସ୍ପୋର୍ଟର ବ୍ୟାପକ ପ୍ରସାର କରିବା ଲାଗି ସେ କାମ କରିବେ ବୋଲି କହିଛନ୍ତି। ଜାତୀୟ କ୍ରୀଡ଼ା ନୀତିକୁ ସମ୍ମାନ ଜଣାଇବା ମଧ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ସେ ମତ ଦେଇଛନ୍ତି। ଏହି ନୀତି ଅନୁସାରେ ଜଣେ ସକ୍ରିୟ କ୍ରୀଡ଼ାବିତ୍‌ କେବେ କୌଣସି କ୍ରୀଡ଼ା ସଂଘର ପଦ ପଦବିରେ ରହିପାରିବେ ନାହିଁ। ମୁଁ ୨୦୨୨ ଏସୀୟ କ୍ରୀଡ଼ା ପରନେବାକୁ ଯୋଜନା କରିଥିଲେ ମଧ୍ୟ ଏହା ବହୁ ବିଳମ୍ବ ହୋଇଯିବ ବୋଲି ଅନୁଭବ କରିଥିଲି। ମୁଁ ଏହି ନିଷ୍ପତ୍ତି ମୋ ହୃଦୟ ଭିତରୁ ନେଇଛି। ନିଜ ଖେଳକୁ କିଛି ଦେବାର ସୁଯୋଗ ପାଇଥିବାରୁ ମଧ୍ୟ ଗର୍ବିତ ମନେ କରୁଛି ବୋଲି ୪୯ ବର୍ଷୀୟ ଦୀପା ପ୍ରକାଶ କରିଥିଲେ।

ଦେଶର ପାରା ସ୍ପୋର୍ଟସ ‌କ୍ଷେତ୍ରରେ ଦୀପା ମଲ୍ଲିକ ଅଗ୍ରଜ ଏବଂ ଗତବର୍ଷ ସେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଥିଲେ। ଦେଶର ପ୍ରଥମ ମହିଳା ପାରା ଆଥ୍‌ଲେଟ୍ ଭାବେ ସେ ଏହି ଗୌରବ ପାଇଥିଲେ। ଦେଶର ପ୍ରଥମ ମହିଳା ଭାବେ ମଧ୍ୟ ପାରା ଅଲିମ୍ପିକ୍ ପଦକ ଜିତିଥିଲେ। ନିଜର ସମ୍ପୂର୍ଣ୍ଣ ଖେଳ ଜୀବନରେ ସେ ୫୮ ଜାତୀୟ ଓ ୨୩ ଅନ୍ତର୍ଜାତୀୟ ପଦକ ଅର୍ଜନ କରିଥିଲେ। ଖେଳରତ୍ନ ପୁରସ୍କାର ପାଇବା ପୂର୍ବରୁ ସେ ଅର୍ଜୁନ ଓ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ହାସଲ କରି ସାରିଥିଲେ।

ସମ୍ବନ୍ଧିତ ଖବର