ପ୍ୟାରିସ୍ ଅଲିମ୍ପିକ୍ସ କାଂସ୍ୟ ବିଜେତା ଭାରତୀୟ ଦଳର ଅଧିନାୟକ ହର୍ମନପ୍ରୀତ ସିଂହ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ ଗୁରୁବାର ମନୋନୀତ ହୋଇଛନ୍ତି। ରାଉରକେଲାରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ରେ ଖେଳୁଥିବା ହର୍ମନପ୍ରୀତ ଭାରତର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଳରତ୍ନ ପୁରସ୍କାର ମନୋନୀତ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଏହାକୁ ଦେଶବାସୀଙ୍କୁ ସମର୍ପିତ କରୁଛନ୍ତି ବୋଲି ୟୁପି ରୁଦ୍ରାସ ବିପକ୍ଷ ମ୍ୟାଚ୍ ପରେ ସ୍ବତନ୍ତ୍ର ସାକ୍ଷାତକାରରେ ସେ କହିଛିନ୍ତି। ‘‘ଦେଶରେ ସମ୍ମାନ ପାଇବା ନିଶ୍ଚିତ ସୌଭାଗ୍ୟ ଓ ଗୌରବର ବିଷୟ। ବିଶେଷକରି ଖେଳରତ୍ନ ପାଇବାକୁ ଯାଉଥିବାରୁ ଗର୍ବିତ। ବହୁତ ବଡ଼ ପୁରସ୍କାର, ବହୁତ ଖୁସି ଅଛି। ଏହି ସମ୍ମାନ ପାଇଁ ସମସ୍ତ ପରିବାରବର୍ଗ, ସାଥୀ ଖେଳାଳି, କୋଚ୍ଙ୍କ ଅବଦାନ ରହିଛି।
ପ୍ରତିଟି କ୍ଷେତ୍ରରେ ସେମାନଙ୍କର ଅକୁଣ୍ଠ ସମର୍ଥନ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୋତ୍ସାହିତ କରିଛି। ବିନା ପରିଶ୍ରମରେ କିଛି ସମ୍ଭବ ନୁହେଁ। ଯେପର୍ଯ୍ୟନ୍ତ ଖେଳୁଥିବି, ସେଯାଏ ନିଷ୍ଠାପର ଭାବେ କଠୋର ପରିଶ୍ରମ ଜାରିରଖିବି। ଆଗକୁ ବଡ଼ ବଡ଼ ପ୍ରତିଯୋଗିତା ରହିଛି। ସେଥିରେ ଭଲ ପ୍ରଦର୍ଶନ କରି ଆହୁରି ଗୌରବ ଆଣିବାକୁ ପ୍ରାୟାସ କରିବି। ଏହି ସମ୍ମାନ ମିଳିବା ନେଇ ହକି ଇଣ୍ଡିଆ ପକ୍ଷରୁ ପ୍ରଥମେ ଅବଗତ କରାଯାଇଥିଲା। ଏହା ନିଶ୍ଚିତ ଭାବରେ ଖୁସିର ମୁହୂର୍ତ୍ତ। ସଦାସର୍ବଦା ମୋତେ ସମର୍ଥନ ଜଣାଇଥିବା ସମଗ୍ର ଭାରତବାସୀଙ୍କୁ ଏହି ଖେଳରତ୍ନ ସମ୍ମାନ ସମର୍ପିତ କରୁଛି’’ ବୋଲି ଶେଷରେ ହର୍ମନପ୍ରୀତ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/03/7Bc9R7K6VNyKuInwLzoj.jpg)